ଭୁବନେଶ୍ବର: ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଫୋରମ୍ (ଏଓପିଏମ୍ଇଏଫ୍)ର ଷଷ୍ଠ ସାଧାରଣ ପରିଷଦ ଅଧିବେଶନ ବ୍ରହ୍ମପୁରସ୍ଥିତ ଇକୋସ୍ ଚକ୍ଷୁ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବହୁ ଘରୋଇ ଚିକିତ୍ସା ସେବା ସଂସ୍ଥାର ଉଦ୍ୟୋକ୍ତାମାନେ ଯୋଗଦେଇ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କିଛିଦିନ ତଳେ ଅନୁଗୁଳର ୨ଟି ଘରୋଇ ଚିକିତ୍ସାଳୟରେ ଘଟି ଯାଇଥିବା ଭଙ୍ଗାରୁଜା ଏବଂ ପୁଲିସ୍ ଉପସ୍ଥିତିରେ ଜବରଦସ୍ତ ଅର୍ଥ ଆଦାୟକୁ ଅଧିବେଶନରେ ନିନ୍ଦା କରାଯାଇଥିଲା। ଅନ୍ୟ ରାଜ୍ୟରେ ଘରୋଇ ଚିକିତ୍ସା ସେବା ସଂସ୍ଥା ପାଇଁ ଅନେକ ସୁବିଧା ଉପଲବ୍ଧ ହେଉଛି। ମାତ୍ର ଓଡ଼ିଶାରେ ସରକାରୀ ଡାକ୍ତରଖାନାକୁ ସୁରକ୍ଷା ଦିଆ ଯାଉଥିବା ବେଳେ ଘରୋଇ ଚିକିତ୍ସା ସେବା କ୍ଷେତ୍ରରେ ସୁରକ୍ଷା ବାବଦରେ ସରକାର ଦୃଷ୍ଟି ଦେଉନାହାନ୍ତି। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଥିଲା। ଏଥିସହ ବହୁ ସରକାରୀ ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ବୀମାର ଧାର୍ଯ୍ୟ ପରିମାଣ ୭ ବର୍ଷ ଧରି ସଂଶୋଧିତ ହୋଇନାହିଁ। କିଛି ସଂସ୍ଥାରେ ୩୪ବର୍ଷ ଧରି ଇନ୍ସୁରାନ୍ସ ଉପରେ ଲକ୍ଷଲକ୍ଷ ଟଙ୍କା ବାକି ପଡ଼ିଛି। ଏଥିସହ ଘରୋଇ ଡାକ୍ତରଖାନାଗୁଡ଼ିକର ପଞ୍ଜୀକରଣ ଓ ନବୀକରଣ ପାଇଁ ଫୋରମ୍ ଦାବି କରି ଆସୁଥିଲେ ମଧ୍ୟ ଅଗ୍ନିଶମ କାହାକୁ କ୍ଲିୟରାନ୍ସ ଦେଉନାହିଁ। ତେଣୁ ଏ ଦିଗରେ ସରକାର ତୁରନ୍ତ ନିଷ୍ପତ୍ତି ନେବାକୁ ଫୋରମ ପକ୍ଷରୁ ଦାବି ହୋଇଥିଲା। ଏଥିସହ ଫୋରମର ୨ ବର୍ଷ ପାଇଁ ନୂଆ କର୍ମକର୍ତା ଚୟନ କରାଯାଇଥିଲା। ଫୋରମ୍ର ସଭାପତି ଡାକ୍ତର ଅଜୟ କୁମାର ମିଶ୍ର, ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା, ଉପସଭାପତି ଡାକ୍ତର ଜଗନ୍ନାଥ ମହାପାତ୍ର, ଡାକ୍ତର ସୁବ୍ରତ ଜେନା, ବ୍ରହ୍ମପୁରର ଡାକ୍ତର ସୁବାସ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ମତ ରଖିଥିଲେ।