ଏଓପିଏମ୍‌ଏଫ୍‌ର ଚେତାବନୀ : ସରକାରୀ ସ୍ୱାସ୍ଥ୍ୟ ବୀମା ଅନୁସାରେ ଚିକିତ୍ସା ସେବା ଦେଇହେବ ନାହିଁ

ଭୁବନେଶ୍ୱର : ସରକାରଙ୍କ ପ୍ରଚଳିତ କୌଣସି ସ୍ୱାସ୍ଥ୍ୟବୀମା ଯୋଜନାରେ ସହଭାଗିତା ଯୋଗାଇ ଦେବନାହିଁ ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଫୋରମ୍ (ଏଓପିଏମ୍‌ଏଫ)। ବକେୟା ଅର୍ଥ ସରକାର ପଇଠ କରିନଥିବାରୁ ଫୋରମ୍‌ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିକେକେୱାଇ ଏବଂ ଓଡ଼ିଶା ଷ୍ଟେଟ୍ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ ଆଦି ବ୍ୟବସ୍ଥାରେ ସରକାର ଗରିବ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ଏ ବାବଦ ଅର୍ଥ ସରକାର ପଇଠ କରିବା ନିୟମ ରହିଛି। ମାତ୍ର ଏପର୍ଯ୍ୟନ୍ତ ରାଜ୍ୟ ସରକାର ବାକି ପଡ଼ିଥିବା ୨୫ କୋଟି ଟଙ୍କା ଘରୋଇ ହସ୍ପିଟାଲ୍‌କୁ ଦେଇନାହାନ୍ତି। ତେଣୁ ସରକାର ତୁରନ୍ତ ବାକି ପଡ଼ିଥିବା ଅର୍ଥରାଶି ଦେବାକୁ ଦାବି କରିଛି ଫୋରମ୍‌। ଫୋରମ୍ ପକ୍ଷରୁ ଏ ନେଇ ଏକ ଜରୁରି ବୈଠକ ଆଇଏମ୍ଏ ଭବନରେ ଅନୁଷ୍ଠିତ ହୋଇଯାଇଛି। ଫୋରମ୍‌ର ସଭାପତି ଡାକ୍ତର ଅଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫୋରମ୍‌ର ସମସ୍ତ ସଦସ୍ୟଙ୍କ ସମେତ ରାଜ୍ୟ ଆଇଏମ୍ଏ ସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଡାକ୍ତର ଜନ୍ମେଜୟ ମହାପାତ୍ର, ସହ ସମ୍ପାଦକ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ୨୦୧୪ ମସିହାରୁ ୭୫ ପ୍ରତିଶତ ଘରୋଇ ଡାକ୍ତରଖାନାର ପଞ୍ଜୀକରଣ, ନବୀକରଣ ଦରଖାସ୍ତ ପଡ଼ି ରହିଥିଲେ ବି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ୧୫ ମିଟର ଉଚ୍ଚତା ମଧ୍ୟରେ କୋଠାଘର ଅତ୍ୟୁଚ୍ଚ ଶ୍ରେଣୀଭୁକ୍ତ ନୁହେଁ। ମାତ୍ର ଏହି କାରଣରୁ ଅନେକ ସ୍ୱାସ୍ଥ୍ୟାନୁଷ୍ଠାନ ପଞ୍ଜୀକରଣରେ ସମସ୍ୟା ସୃଷ୍ଟି ହୋଇଛି। ଦୀର୍ଘ ୪ ବର୍ଷ ହେବ ଫୋରମ୍ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ ଦାବି କରିଆସୁଛି। ମାତ୍ର ସରକାରୀ ଉଦାସୀନତା ଯୋଗୁଁ ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନରେ କାମ କରୁଥିବା କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି ଫୋରମ୍‌ର ସଭାପତି ଅଜୟ କୁମାର ମିଶ୍ର କହିଛନ୍ତି। ସବୁ ରାଜ୍ୟରେ ସରକାରୀ, ବେସରକାରୀ ଡାକ୍ତରଖାନା କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆଇନ୍‌ରେ ପଞ୍ଜୀକୃତ। ମାତ୍ର ଆମ ରାଜ୍ୟରେ କେବଳ ବେସରକାରୀ ଡାକ୍ତରଖାନାକୁ ଏହି ଆଇନ ପରିସରରେ ରଖାଯାଇ ସରକାରୀ ଡାକ୍ତରଖାନାକୁ ଏହି ଆଇନର ଅଗ୍ନିଶମ ଓ ପ୍ରଦୂଷଣ ପରି ନିୟାମକୁ ବାହାରେ ରଖାଯାଇଛି। । ଫୋରମ୍ ପକ୍ଷରୁ ଏସବୁ ସମସ୍ୟା ସଂକ୍ରାନ୍ତରେ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କୁ ଅଭିଯୋଗ କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପ୍ରତିକାର କରାଯାଇନାହିଁ। ଏହି ବୈଠକରେ ଫୋରମ୍‌ର ଉପସଭାପତି ଡାକ୍ତର ଜଗନ୍ନାଥ ମହାପାତ୍ର, ଡାକ୍ତର କୃପାସିନ୍ଧୁ ପଣ୍ଡା, ଡାକ୍ତର ସୁବ୍ରତ ଜେନା, ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା, ଡାକ୍ତର ଦେବଦତ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରି ଆଗକୁ କଠୋର କାର୍ଯ୍ୟପନ୍ଥା ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର