ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍‌ର ଦାବି: ଘରୋଇ ସ୍କୁଲର ଏନ୍‌ଓସି ଅବଧି ୩ବର୍ଷ ବଢ଼ାଯାଉ

ଭୁବନେଶ୍ବର : ଗତ ୨ ବର୍ଷ ହେବ, କରୋନା ମହାମାରୀ ଯୋଗୁଁ ଘରୋଇ ବିଦ୍ୟାଳୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ତେଣୁ ସ୍ଥିତି ନ ସୁଧୁରିବା ଯାଏ ସରକାର ଏହି ଘରୋଇ ବିଦ୍ୟାଳୟଗୁଡ଼ିକର ସିଓଆର/ଏନଓସି ଅବଧି ସୀମା ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲସ୍‌ ଆସୋସିଏସନ୍‌ ପକ୍ଷରୁ ବୁଦ୍ଧମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି ରଖାଯାଇଛି।

ସେହିପରି ବିନା ଟିସିରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଆସୋସିଏସନ୍‌ ବିରୋଧ କରିଛି। ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ ସରକାରୀ ନିୟମ ଅନୁଯାୟୀ କେବଳ ଡ୍ରପଆଉଟ୍‌ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିନା ଟିସିରେ ନାମଲେଖାର ବ୍ୟବସ୍ଥା ଅଛି। କିନ୍ତୁ ଗତ ୨ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷରୁ ଊର୍ଧ୍ବ ଛାତ୍ରଛାତ୍ରୀ ବିନା ଟିସିରେ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି।

ସେହିପରି ଘରୋଇ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ, ବେସରକାରୀ ବିଦ୍ୟାଳୟରେ ୨୫ପ୍ରତିଶତ ମାଗଣା ଶିକ୍ଷାଦାନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆଦି ନେଇ ଦାବି ରଖାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ସତ୍ୟନାରାୟଣ ମିଶ୍ର, ସାଧାରଣ ସଂପାଦକ ଅବନ୍ତୀ କୁମାର ସୂତାରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର