ଶୃଙ୍ଖଳିତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ: ଖୋଲିଲା ନିୟନ୍ତ୍ରଣ କକ୍ଷ

ହ୍ବା‌ଟ୍‌ସ୍‌ଆପ୍‌ ନମ୍ବର ଜାରି, ଆଜି ଇଭିଏମ୍‌ କମିସନିଂ

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ଓୟୁଏଟି କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ଏକ ବୈଠକରେ ଆଦର୍ଶ ଆଚରଣ ବିଧି ଅନୁପାଳନ ସଂପର୍କରେ ଦଳୀୟ ପ୍ରାର୍ଥୀ ଓ ସେମାନଙ୍କର ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି।

ମାର୍ଚ୍ଚ ୨୪ ତାରିଖରେ ସକାଳ ୮ରୁ ସଂଧ୍ୟା ୫ଟା ଯାଏ ମତଦାନ ଚାଲିବ। ମତଦାତାମାନେ ଯେଭଳି କୋଭିଡ୍ କଟକଣା ପାଳନ କରିବେ ତାହା ଅଧିକାରୀମାନେ ନିଶ୍ଚିତ କରିବେ। ୨୩ ତାରିଖରେ ପ୍ରିଜାଇଡିଂ ଅଫିସରଙ୍କ ସମେତ ୫ଜଣିଆ ଟିମ୍ ପ୍ରତ୍ୟେକ ବୁଥ୍‌କୁ ଯିବେ। ବିଜେବି ଆର୍ଟସ୍ ବ୍ଲକରେ ଥିବା ଷ୍ଟ୍ରଙ୍ଗରୁମ୍ ଝରକାକୁ ସିଲ୍ କରାଯାଇଛି। ଏଠାରେ ଆସନ୍ତାକାଲି ଇଭିଏମ୍‌ କମିସନିଂ ହେବ। ଏହା କମିସନିଂ ଠାରୁ ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ। ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ନିର୍ଦ୍ଧାରିତ ସ୍ଥାନରୁ ଷ୍ଟ୍ରଙ୍ଗରୁମ୍‌କୁ ସିସିଟିଭି ଜରିଆରେ ଦେଖି ପାରିବେ। ମତଦାନ କେନ୍ଦ୍ରର ୧୦୦ ମିଟର ଭିତରେ କୈାଣସି ପ୍ରାର୍ଥୀଙ୍କର ପ୍ରଚାର ପତ୍ର ବା ବ୍ୟାନର ରହିବନାହିଁ।

ଶୃଙ୍ଖଳିତ ନିର୍ବାଚନ ପାଇଁ ମୋବାଇଲ୍ ପୁଲିସ୍ ଟିମ୍ ଗଠନ କରାଯାଇଛି। ରାଜନୈତିକ ହିଂସା ଓ ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ଟିମ୍‌ କଡ଼ା ନଜର ରଖିବ।
ବୈଠକରେ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ବିଏମ୍‌ସି ନିର୍ବାଚନ ଅଧିକାରୀ ତଥା ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ୱାଇଁ, ପୌର ନିର୍ବାଚନ ନୋଡାଲ ଅଧିକାରୀ ମନୋଜ କୁମାର ପାଢୀ, ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ, ବିଏମ୍‌ସି ଅତିରିକ୍ତ କମିସନର ବିନୟ ଦାସ ଓ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ୱାର୍ଡ ପାଇଁ ୭୦୫ଟି ମତଦାନ କେନ୍ଦ୍ର ରହିଛି। ସେଥିରୁ୫ଟି ପିଙ୍କ୍‌ ବୁଥ ରହିଛି। ପ୍ରତି ପିଙ୍କ୍‌ ବୁଥରେ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୫ ଜଣ ମହିଳା ପୋଲିଂ ଅଫିସର ରହିବେ। ନିୟମାନୁସାରେ ଜରୁରୀସେବା ପାଇଁ ୨୫ ପ୍ରତିଶତ ଭୋଟିଂ ମେସିନ୍‌କୁ ମିଶାଇଲେ ୭୦୫ଟି ମତଦାନ କେନ୍ଦ୍ର ପାଇଁ ଭଭୟ ମେୟର ଓ କର୍ପୋରେଟର ପାଇଁମୋଟ ୧୭୬୩ଟି ବାଲାଟ ୟୁନିଟ୍ ଓ ୧୭୬୩ ଟି କଣ୍ଟ୍ରୋଲ ୟୁନିଟ୍ ବ୍ୟବହୃତ ହେବ।

ନିର୍ବାଚନ ପାଇଁ ଏକ ହ୍ୱାଟସ୍‌ ଆପ୍ ନଂ-୮୧୪୪୫୩୭୭୯୨ ପ୍ରଶାସନ ତରଫରୁ ଜାରି କରାଯାଇଛି। ଏହା ସହିତ ଲ୍ୟାଣ୍ଡ ଲାଇନ୍ ନଂ- ୦୬୭୪-୨୯୧୩୪୪୦ କାର୍ଯ୍ୟ କରୁଛି। ଡିସିପିଙ୍କ କଣ୍ଟ୍ରୋଲ୍ ରୁମ୍ (୮୦୯୩୦୨୮୧୦୭) ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଏହାଛଡ଼ା ସବୁ ଥାନାରେ ନିର୍ବାଚନ ସଂକ୍ରାନ୍ତୀୟ ଅଭିଯୋଗ ଗ୍ରହଣ କରାଯାଇ ପାରିବ।

ସମ୍ବନ୍ଧିତ ଖବର