ରାଜଧାନୀର ସବୁ ଦୋକାନ, ବଜାର ଖୋଲିବ, ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍‌ ହେବ

ସକାଳ ୭ରେ ଖୋଲିବ, ସଂଧ୍ୟା ୬ଟା‌ ୩୦ରେ ବନ୍ଦ ହେବ, ୧୧ ମଲ୍‌ ଖୋଲିବନି

ସେଲୁନ୍‌, ମାର୍କେଟ୍‌ କମ୍ପ୍ଲେକ୍ସ, ହାଟ ଉପରୁ ପ୍ରତିବନ୍ଧକ ହଟିଲା
ରେସ୍ତୋରାଁ, ଜଳଖିଆ ଦୋକାନ ଖୋଲିବ, କେବଳ ପାର୍ସଲ ମିଳିବ
ମଦ ଦୋକାନ ଖୋଲିବା ନିଷ୍ପତ୍ତି ସରକାର ନେବେ

ଭୁବନେଶ୍ବର : ଲକ୍‌ଡାଉନ୍‌-୪ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବା ପରେ ଆଜି ବିଏମ୍‌ସି ଭୁବନେଶ୍ବର ପାଇଁ ଏସ୍‌ଓପି ଜାରି କରିଛି। କେନ୍ଦ୍ର ଓ ରାଜ୍ୟ ସରକାର ଯାହା ଯାହା ବାରଣ କରିଛନ୍ତି, ତାହାକୁ ବିଏମ୍‌ସି ବି ବାରଣ କରିଛି। ସ୍ଥାନୀୟ ପ୍ରଶାସନ ତଥା ମହାନଗର ନିଗମରେ ନିଗମ କମିସନର ନିଷ୍ପତ୍ତି ନେବାର ଅଧିକାର ଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ କିନ୍ତୁ କୌଣସି କଟକଣା ଲଗାଇ ନାହାନ୍ତି। ରାଜଧାନୀର ସବୁ ଦୋକାନ, ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ସର୍ତ୍ତ ରଖିଛନ୍ତି, ଦୋକାନରେ ସାମାଜିକ ଦୂରତା ନ ରଖିଲେ କି କୋଭିଡ୍‌-୧୯ ନିୟମାବଳୀ ନମାନିଲେ, ଦୋକାନକୁ ସିଲ୍‌ କରାଯିବ। ସକାଳ ୭ଟାରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦୋକାନ, ବଜାର ଖୋଲିବ।

ରାଜଧାନୀରେ ପ୍ରାୟ ଦୁଇ ମାସ ହେଲା ବନ୍ଦ ଥିବା ସେଲୁନ୍‌, ମାର୍କେଟ କମ୍ପ୍ଲେକ୍ସ, ହାଟ ଆଦିକୁ ଖୋଲବାକୁ ଅନୁମତି ଦିଆଯାଇଛି। ଏଣିକି ଗୋଟିଏ କୋଠାରେ ୫ରୁ ଅଧିକ ଦୋକାନ ଥିଲେ ବି ଖୋଲି ପାରିବ। ବାପୁଜୀନଗର, ୟୁନିଟ-୧ ହାଟ, ୟୁନିଟ-୪ ହାଟ, ୟୁନିଟ-୨ ମାର୍କେଟ୍‌ ବିଲ୍‌ଡିଂ ଭଳି ଜନଗହଳି ମାର୍କେଟ୍‌ଗୁଡ଼ିକୁ ବି ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି। ଯେଉଁ ହାଟରେ ପରିବା ଦୋକାନୀମାନଙ୍କୁ ସ୍ଥାନାନ୍ତର କରି ଖୋଲା ସ୍ଥାନରେ ବସାଯାଇଛି, ସେମାନେ ଆସନ୍ତା ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେଠାରେ ବସିବେ। ହାଟ ଭିତରେ ଥିବା ଅନ୍ୟ ଦୋକାନଗୁଡ଼ିକର ଖୋଲିବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।
ସେଲୁନ୍‌, ବିୟୁଟି ପାର୍ଲର ଆଦି ଖୋଲିବ। କିନ୍ତୁ ଏଠାରେ କର୍ମଚାରୀମାନେ ଆବଶ୍ୟକ ପିପିଇ ଯଥା ମୁହଁରେ ମାସ୍କ, ହାତରେ ଗ୍ଲୋବ୍ସ ଆଦି ପିନ୍ଧିବେ। ସେହିପରି ସବୁ ଖାଦ୍ୟ ଦୋକାନ ଯଥା ହୋଟେଲ, ରେସ୍ତୋରାଁ, ଜଳଖିଆ ଦୋକାନ ଖୋଲି ପାରିବ। କିନ୍ତୁ ଏଠାରେ କାହାକୁ ଖାଇବାକୁ ଅନୁମତି ମିଳିବନି। ଯିଏ ପାର୍ସଲ୍‌ ଯୋଗାଇ ପାରିବେ, ସେମାନେ ଦୋକାନ ଖୋଲିବାକୁ କୁହାଯାଇଛି। ଯେଉଁ ସବୁ ଦୋକାନ ଖୋଲିବ, ସେମାନେ କୋଭିଡ୍‌-୧୯ ଗାଇଡଲାଇନ୍ ମାନି‌ବେ। ଦୋକାନରେ ହ୍ୟାଣ୍ଡ ୱାସ୍‌ ଓ ସାନିଟାଇଜର୍‌ ସୁବିଧା ରହିବ। ଯଦି କର୍ମଚାରୀଙ୍କର କୌଣସି ଫ୍ଲୁ’ ଲକ୍ଷଣ ଦେଖାଯାଏ, ସେମାନଙ୍କୁ ଦୋକାନ ଆସିବାକୁ ବାରଣ କରାଯିବ।

ସେହିପରି ରାଜଧାନୀରେ ମଦ ଦୋକାନ ଖୋଲିବ କି ନାହିଁ, କେବେ ଖୋଲିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ।

୧୧ ମଲ୍‌ ଖୋଲିବନି
ରାଜଧାନୀରେ ୧୧ଟି ସପିଂ ମଲ୍‌ ଖୋଲିପାରିବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଯେଉଁ ମଲ୍‌ଗୁଡ଼ିକ ୪୦ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଅଛି, ଫୁଡ୍‌ କୋର୍ଟ, ମଲ୍ଟିପ୍ଲେକ୍ସ ଅଛି ସେଗୁଡ଼ିକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏଠାରେ ଯେଉଁ ଷ୍ଟୋରରେ ସଉଦା, ପନିପରିବା, ଔଷଧ ଆଦି ବିକ୍ରି ହେଉଥିବ ସେଗୁଡ଼ିକୁ ଖୋଲାଯାଇପାରିବ। ଏହାସହ ଯେଉଁଠି ସରକାରୀ ବା କୌଣସି ବେସରକାରୀ କାର୍ଯ୍ୟାଳୟ ଚାଲୁଥିବ, ସେଗୁଡ଼ିକ ବି ଖୋଲା ରହିବ।

ବିଏମ୍‌ସି ପକ୍ଷରୁ ଯେଉଁ ୧୧ଟି ମଲ୍‌ ଖୋଲିବା ଉପରେ କଟକଣା ଲାଗିଛି, ସେଗୁଡ଼ିକ ହେଲା ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ୱାନ୍, ସତ୍ୟନଗରସ୍ଥିତ ଫୋରମ୍‌ ମାର୍ଟ, ସହିଦ ନଗରରେ ଥିବା ବିଏମ୍‌ସି ଭବାନୀ ମଲ୍‌, ସେଣ୍ଟ୍ରାଲ ସପିଂ ମଲ୍‌, ପାଣ୍ଟାଲୁନ୍‌, ରେଳ ଷ୍ଟେସନ ନିକଟରେ ଥିବା ରିଲାଏନ୍ସ ସୁପର୍‌, କଳ୍ପନା ଛକରେ ଥିବା ଉତ୍କଳ ଗ୍ୟାଲେରିଆ, ୟୁନିଟ-୨ରେ ଥିବା ବିଏମ୍‌ସି କେଶରୀ ମଲ୍‌, ରୁଦ୍ରପୁରରେ ଥିବା ସିମ୍ଫୋନି ମଲ୍‌, ପାତ୍ରପଡ଼ାରେ ଥିବା ଡିଏନ୍‌ ରେଗାଲିଆ ମଲ୍‌, ନୂଆପଲ୍ଲୀରେ ଥିବା କ୍ରିଷ୍ଣା ପ୍ଲାଜା।

ସମ୍ବନ୍ଧିତ ଖବର