ମଲ୍‌ ଛାଡ଼ି ସବୁ ଦୋକାନ ଖୋଲିବ : ପୁଣି ଚଳଚଞ୍ଚଳ ହେବ ରାଜଧାନୀ, ମଦ ଦୋକାନ ବନ୍ଦ

ଭୁବନେଶ୍ବର : ପ୍ରାୟ ୪୦ଦିନର ଲକ୍‌ଡାଉନ୍‌ରେ ଥିବା ରାଜଧାନୀ ପୁଣି ଚଳଚଞ୍ଚଳ ହେବ। ବିଏମ୍‌ସି ଭୁବନେଶ୍ବରରେ ପ୍ରାୟ ସବୁ ଦୋକାନ, କାର୍ଯ୍ୟାଳୟ ଖୋଲିବା ସହ ନିର୍ମାଣ କାମକୁ ଅନୁମତି ଦେଇଛି। ୨୮ତାରିଖ ସଂଧ୍ୟାରେ ବିଏମ୍‌ସି ବିଭିନ୍ନ ଦୋକାନ, କାର୍ଯ୍ୟାଳୟ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରିବା ପରେ ଏଥିରେ କିଛି ଦୋକାନ ଖୋଲିବା ନେଇ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନଥିଲା। ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ହେବାରୁ ବିଏମ୍‌ସି ପକ୍ଷରୁ ଆଜି ପୁଣି କେଉଁ ଦୋକାନ ଖୋଲିପାରିବ, କେମିତି ଯାତାୟାତ କରିହେବ ସେନେଇ ସୂଚନା ଦିଆଯାଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ୨୮ତାରିଖ ରାତିରୁ ରାଜଧାନୀରେ ଲକ୍‌ଡାଉନ୍ ନିୟମ କୋହଳ ହୋଇଛି। ମଲ୍‌ରେ କୌଣସି ଦୋକାନ ଥିଲେ ଖୋଲିବନି। ମଲ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ଯେଉଁଠି ଗୋଟିକିଆ ଦୋକାନ ଥିବ ସେଗୁଡ଼ିକ ଖୋଲିବ। ହେଲେ ଯେଉଁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିବ ତାହାର ମାଲିକ ଓ କର୍ମଚାରୀ ଦୋକାନର ଟ୍ରେଡ୍‌ ଲାଇସେନ୍ସ ନକଲକୁ ପାସ୍‌ ଭାବେ ବ୍ୟବହାର କରିପାରିବେ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ମାର୍କେଟ୍‌ କମ୍ପ୍ଲେକ୍ସ ଓ ମଲ୍‌ରେ ନଥିବା ମୋବାଇଲ୍‌ ଦୋକାନ ଖୋଲିପାରିବ, ପ୍ଲାଇଉଡ୍‌, ରଙ୍ଗ, ହାର୍ଡ‌େୱୟାର ଦୋକାନ, ଦୁଇ ଚକିଆ ଗାଡ଼ି ସୋ’ରୁମ୍‌, ପୋଷାକ ଦୋକାନ, ପ୍ରିଣ୍ଟିଂ ପ୍ରେସ୍‌, ଫ୍ଲେକ୍ସ ଦୋକାନ, ଡିଜିଟାଲ୍‌ ପ୍ରିଣ୍ଟିଂ, ମାର୍ବଲ୍‌, ଟାଇଲ୍‌, ଗ୍ରାନାଇଟ୍‌, ଜୁଏଲାରି ସୋ’ ରୁମ୍‌, କାଚ ଦୋକାନ, ଲୋକ ପାର୍ସଲ ନେଇପାରୁଥିବା ମିଠା ଦୋକାନ, ସାନିଟାରି ଦୋକାନ, କମ୍ପ୍ୟୁଟର ଓ ଲାପଟପ୍ ଦୋକାନ ଖୋଲିପାରିବ।

ହେଲେ ଚାରିଚକିଆ ‌ଗାଡ଼ି ସୋ ରୁମ୍‌ ଖୋଲିବନି। ବୀମା କମ୍ପାନିଗୁଡ଼ିକ ଖୋଲିବ, କିନ୍ତୁ ୨୫% କର୍ମଚାରୀଙ୍କୁ ନେଇ କାମ କରିବେ। ଲିଫ୍‌ଟ/ଏସ୍କାଲେଟର ‌ଚାଲି ପାରିବ। ଏଠାରେ ସାମାଜିକ ଦୂରତା ରକ୍ଷା ସହ ନିୟମିତ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦିଆଯିବ। ମଦ ଦୋକାନ ଖୋଲିବାକୁ କିନ୍ତୁ ଅନୁମତି ଦିଆଯାଇନି।

ସେହିପରି ଘରେ କାମ କରୁଥିବା ସହାୟକ/ସହାୟିକା ରୋଷେୟା, ଡ୍ରାଇଭର ଆଦିଙ୍କୁ କାମ କରିବାକୁ ଅନୁମତି ମିଳିବ। ହେଲେ ସେମାନେ ହାତ ଧୋଉଥିବେ, ପରିଷ୍କାର ପରିଚ୍ଛନ୍ନ ରହୁଥିବେ, ମାସ୍କ ପିନ୍ଧିବେ। ସେମାନଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଦେଲେ ଘରେ ରହିବା ପାଇଁ କହିବାକୁ ଘର ମାଲିକମାନଙ୍କୁ କୁହାଯାଇଛି। ଅପରପକ୍ଷରେ ସେଲୁନ, ସ୍ପା, ବଡି ମସାଜ, ବିଉଟି ପାର୍ଲର, ଚା ଓ କଫି, ପାନ ଦୋକାନ ଇତ୍ୟାଦି ଖୋଲି ପାରିବ ନାହିଁ।

ଆଉ କେଉଁ ଦୋକାନ ଖୋଲିବ
ଗହଣା
ଦୁଇ ଚକିଆ ଗାଡ଼ି ସୋ’ରୁମ୍‌
ପୋଷାକ ଦୋକାନ
ମୋବାଇଲ୍‌ ଦୋକାନ
ପ୍ଲାଇଉଡ୍‌
ରଙ୍ଗ
ହାର୍ଡ‌େୱୟାର ଦୋକାନ
ପ୍ରିଣ୍ଟିଂ ପ୍ରେସ୍‌
ଫ୍ଲେକ୍ସ ଦୋକାନ
ଡିଜିଟାଲ୍‌ ପ୍ରିଣ୍ଟିଂ
ମାର୍ବଲ୍‌
ଟାଇଲ୍‌
ଗ୍ରାନାଇଟ୍‌
କାଚ ଦୋକାନ
ପାର୍ସଲ ଦେଇପାରୁଥିବା ମିଠା ଦୋକାନ
ସାନିଟାରି ଦୋକାନ
କମ୍ପ୍ୟୁଟର ଓ ଲାପଟପ୍ ଦୋକାନ

ସମ୍ବନ୍ଧିତ ଖବର