ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ରାଜଧାନୀର ସବୁ ଟାଙ୍କିରେ ଲାଗିଲା ସତର୍କ ସୂଚନା

ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପ‌ରେ ଛାତିଥରା ବିସ୍ଫୋରଣ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଆଇଓସିଏଲ୍। ଦେଶ‌ରେ ପ୍ରଥମଥର ଘଟିଥିବା ଏବି ବିସ୍ଫୋରଣର କାରଣ ଏଯାଏ ଜଣାପଡ଼ି ନଥିବା ବେଳେ ସବୁ ପେଟ୍ରୋଲ ପମ୍ପରେ ସତର୍କ ସୂଚନା ଲାଗିଛି। ତେଲ ପକାଇବାକୁ ଆସୁଥିବା ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଥିବା ଫ୍ଲେକ୍ସ ବୋର୍ଡ ଲଗାଯାଇଛି। କେବଳ ଇଣ୍ଡିଆନ୍ ଅଏଲ୍ ନୁହେଁ, ଅନ୍ୟ ତୈଳ କମ୍ପାନିର ପେଟ୍ରୋଲ ପମ୍ପରେ ମଧ୍ୟ ସତର୍କ ସୂଚନା ଲଗାଯାଇଛି।

ଟାଙ୍କିରେ ମୋବାଇଲ ଫୋନରେ କଥାବାର୍ତ୍ତା ହେଲେ କର୍ମଚାରୀମାନେ ତାଗିଦ୍ କରୁଛନ୍ତି। ସେହିପରି ବୋତଲ କିମ୍ବା ଜାରରେ ଖୋଲାରେ ଆଉ ପେଟ୍ରୋଲ ଦିଆ ନଯିବା ଲାଗି ନିଷ୍ପତ୍ତି ହୋଇଛି। ଏ ନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କର୍ମଚାରୀମାନେ ଯେପରି କାହାକୁ ଖୋଲାରେ ପେଟ୍ରୋଲ ନ ଦିଅନ୍ତି, ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ପେଟ୍ରୋଲ ପମ୍ପ ପରିସରରେ ସିଗାରେଟ୍ ନ ଟାଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମୋବାଇଲ ଫୋନରେ କଥା ନ ହେବା ପାଇଁ ପୂର୍ବରୁ ନିୟମ ଥିଲେ ବି ଏବେ ଅଧିକ କଡ଼ାକଡ଼ି କରାଯାଇଛି। ତେଲ ପକାଇବା ସମୟରେ ଗାଡ଼ିର ଇଞ୍ଜିନକୁ ବନ୍ଦ ରଖିବା ସହ ଗାଡ଼ିକୁ ଆଗପଛ ନ କରିବା ପାଇଁ ସତର୍କ ସୂଚନା ବୋର୍ଡରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖରେ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇଥିଲା।

ସମ୍ବନ୍ଧିତ ଖବର