ଭୁବନେଶ୍ବର: ଏକାମ୍ରରେ ଧୀରେ ଧୀରେ ପ୍ରଚାର ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ଦଳ ଭିତରେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବାକି ରହିଛି କଂଗ୍ରେସର ପ୍ରାର୍ଥୀ ଘୋଷଣା। ହେଲେ ଏବେଠାରୁ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଉଷ୍ମ ହେଲାଣି। ଟିକେଟ ଘୋଷଣା ହେବାପରେ ପ୍ରାର୍ଥୀଙ୍କୁ ଭେଟି କର୍ମୀ ଶୁଭେଚ୍ଛା ଜଣାଉଛନ୍ତି। ପ୍ରାର୍ଥୀ ଟାଣଖରାକୁ ଖାତିର ନକରି ଘର ଘର ବୁଲି ଭୋଟ୍ ମାଗୁଛନ୍ତି। ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ ବି କରୁଛନ୍ତି ଏବଂ ବୈଠକ ପରେ ବୈଠକ କରି ସଙ୍ଗଠନ ସଜାଡ଼ୁଛନ୍ତି। ବିଜେଡିର ଫୋକସ୍ରେ ରହିଛି ଏହି ନିର୍ବାଚନମଣ୍ଡଳୀ। ଏ ନିର୍ବାଚନ ମଣ୍ଡଳୀରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘର। ଟିକେଟ୍ ପାଇଁ ଏଠି ଏକାଧିକ ଦାବିଦାର୍ ଥିଲେ ହେଁ ଦଳ ସମ୍ମାନ ରକ୍ଷା ପାଇଁ ପୁଣି ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଭରସା କରିଛି। ଗତ ୩ ତାରିଖରେ ଟିକେଟ୍ ମିଳିବା ପରଠାରୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ଓ ପଞ୍ଚାୟତର ଶହ ଶହ କର୍ମୀ ଶ୍ରୀ ପଣ୍ଡାଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି। ଶ୍ରୀ ପଣ୍ଡାଙ୍କ ଫରେଷ୍ଟ ପାର୍କ ବାସଭବନରେ ଲଗାତାର ୩ଦିନ ହେବ ଶୁଭେଚ୍ଛା ପର୍ବ ଚାଲିଛି। ବିଧିବଦ୍ଧ ଭାବେ ପ୍ରଚାରକୁ ବାହାରି ନଥିଲେ ହେଁ ପ୍ରସ୍ତୁତି ବୈଠକ ଘନ ଘନ ବସୁଛି। ଆଜି ୱାର୍ଡ ନମ୍ବର ୨୩ ଘାଟିକିଆରେ ଯୁବଛାତ୍ରଙ୍କୁ ନେଇ ନିର୍ବାଚନ ପ୍ରସ୍ତୁତି ବୈଠକରେ ଯୋଗଦେଇ ସେ ରଣନୀତି ପ୍ରସ୍ତୁତ କରିଛନ୍ତି।
ସେହିପରି ବିଜେପି ପ୍ରାର୍ଥୀ ବାବୁ ସିଂ ମଧ୍ୟ ପ୍ରଚାର ଜୋର୍ଦାର କଲେଣି। ୨ ତାରିଖରେ ବିଜେପି ତାଙ୍କ ନାମ ଘୋଷଣା କରିଥିଲା। ୩ ତାରିଖରେ ବିଶାଳ ଶୋଭାଯାତ୍ରାରେ ଆସି ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ପ୍ରଚାର ଚଳାଇଛନ୍ତି ବାବୁ। ଆଜି ଟାଣଖରାରେ ବି ବାବୁଙ୍କ ପ୍ରଚାର ଅଟକି ନଥିଲା। ନୂଆଗାଁ, ନାଥପୁର ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ସେ ଜନସମ୍ପର୍କ ଅଭିଯାନ କରିଛନ୍ତି। ‘ଆମ ସଂକଳ୍ପ ବିକଶିତ ଏକାମ୍ର’, ‘ଏକାମ୍ର ଚାହେଁ ପରିବର୍ତ୍ତନ’ ଓ ‘ବିକଶିତ ଓଡ଼ିଶା ପାଇଁ ମୋଦୀ ଗ୍ୟାରେଣ୍ଟି’ ନାରାଦେଇ ମଇଦାନକୁ ଉଷ୍ମ ମଧ୍ୟ କରିଛନ୍ତି। କଂଗ୍ରେସ ଟିକେଟ ଆଶାୟୀ ପ୍ରଶାନ୍ତ ଚମ୍ପତି ଜାଗମରା ଓ ଶିଶୁପାଳଗଡ଼ ପଞ୍ଚାୟତରେ ପ୍ରଚାର କରିଛନ୍ତି। ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ବିରଞ୍ଚି ନାରାୟଣ ମହାସୁପକାର ମଧ୍ୟ ଧଉଳି ଓ ଲିଙ୍ଗିପୁର ଅଞ୍ଚଳରେ ପ୍ରଚାର କରିଛନ୍ତି।