ସହିଦନଗରରେ ସବୁ ରାସ୍ତା ଶୋଚନୀୟ: ନିଦାବିଷ୍ଣୁ ସାଜିଛନ୍ତି ବିଏମ୍‌ସି, ପୂର୍ତ୍ତ ବିଭାଗ

ଭୁବନେଶ୍ବର: ରାଜଧାନୀର ଅନ୍ୟତମ ବ୍ୟାବସାୟିକ ପେଣ୍ଠସ୍ଥଳ ଓ ଦାମୀ ଆବାସିକ କଲୋନି ଥିବା ଭିଆଇପି ଅଞ୍ଚଳ ଭାବେ ସହିଦନଗର ଜଣାଶୁଣା। କିନ୍ତୁ ଏଠିକାର ସବୁ ରାସ୍ତା ଅବସ୍ଥା ଶୋଚନୀୟ। ଏହି ଅଞ୍ଚଳର ରାସ୍ତା ଉଭୟ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଉଭୟ ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି। ଦୀର୍ଘ ୩ ବର୍ଷ ହେଲା ରାସ୍ତାଗୁଡ଼ିକ ମରାମତି ହେଉ ନଥିବାରୁ ସ୍ଥାନୀୟ ଲୋକେ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବିଏମ୍‌ସିର ୩୦ ନମ୍ବର ୱାର୍ଡରେ ରହିଛି ସହିଦନଗର। ଏହି ଅଞ୍ଚଳରେ ମୋଟ୍ ୩୩ କିଲୋମିଟର ରାସ୍ତା ରହିଥିବା ବେଳେ ସେଥିରୁ ୩ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ମହର୍ଷି କଲେଜ ଛକରୁ ସହିଦନଗର ଫ୍ଲାଏଓଭର ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା, ସହିଦ ସ୍ପୋର୍ଟିଂ କ୍ଲବ୍‌ରୁ ସାଇ ସ୍କୁଲ୍‌ ପର୍ଯ୍ୟନ୍ତ ଆସିଥିବା ରାସ୍ତା, ଇନ୍‌ଡୋର ଷ୍ଟାଣ୍ଡିୟମ୍‌ ରାସ୍ତା, ବିଷ୍ଣୁମନ୍ଦିର ପଛ ରୋଡ୍‌, ବାଣୀବିହାର ରେଲୱେ ଷ୍ଟେସନ୍‌ ଓ ଏସ୍‌ବିଆଇ ବ୍ୟାଙ୍କ୍‌ ରାସ୍ତା ଓ ଇମ୍ଫା ପାର୍କର ପଛ ଗେଟ୍‌ଠାରୁ ସହିଦନଗର ମାର୍କେଟ୍‌ ପର୍ଯ୍ୟନ୍ତ ପ୍ରମୁଖ ରାସ୍ତା ସବୁ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ସମସ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଗଲାଣି। ମହର୍ଷି କଲେଜ ଛକରୁ ସହିଦନଗର ଫ୍ଲାଏଓଭର ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ପଶୁ ଡାକ୍ତରଖାନାଠାରୁ ଏମ୍ପାୟା‌ର୍ସ ହୋଟେଲ ଦେଇ ବାଣୀବିହାର ଓଭରବ୍ରିଜ୍‌ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ବଡ଼ କଦର୍ଯ୍ୟ।

ଅନେକ ଥର ଏହି ରାସ୍ତାରେ କେବଳ ତାଳି ପକା ଯାଉଛି। ସେହିପରି ଏସ୍‌ବିଆଇ ରାସ୍ତା, ବିଷ୍ଣୁ ମନ୍ଦିର ରାସ୍ତା, ସ୍ପର୍ଶ ହସ୍ପିଟାଲ ରାସ୍ତା, ସହିଦ ସ୍ପୋର୍ଟିଂ ରାସ୍ତା, ଦୁର୍ଗାପୂଜା ମଣ୍ଡପ ପଛ ରାସ୍ତା, ବାଣୀବିହାର ରେଲୱ ଷ୍ଟେସନ୍‌ ରାସ୍ତା, ଇନ୍‌ଡୋର୍‌ ଷ୍ଟାଣ୍ଡିୟମ୍‌ ପାଖ ରୋଡ୍‌, ସହିଦନଗର ପ୍ରାଥମିକ ଚିକିତ୍ସାଳୟ, ପୋଷ୍ଟ ଅଫିସ୍‌ ଲାଇନ୍‌, ହାଇସ୍କୁଲ୍ ନିକଟ ରାସ୍ତା, ଭବାନୀ ମଲ୍‌ ନିକଟ ରାସ୍ତା ସହ ସମସ୍ତ ଛୋଟ ଗଳିକନ୍ଦିର ରାସ୍ତା ସଂପୂର୍ଣ୍ଣ ଭାବେ ଖରାପ ହୋଇଯାଇଛି। ସ୍ଥାନୀୟ ‌ଲୋକଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ରାସ୍ତା ଖୋଳା‌ଯିବା ଦ୍ବାରା ଏଭଳି ଅବସ୍ଥା ଉପୁଜୁଛି। କେତେବେ‌ଳେ ୱାଟ୍‌କୋ ପକ୍ଷରୁ ଖୋଳି ଦିଆଯାଉଛି ତ କେବେ ପୁଣି ସ୍ବେରେଜ୍‌ ପାଇଁ ରାସ୍ତାକୁ ଖୋଳି ଦିଆଯାଉଛି। ସେହିଭଳି ବିଭିନ୍ନ ସଂସ୍ଥା ପକ୍ଷରୁ କେବୁଲ୍‌ ବିଛାଇବା ପାଇଁ ରାସ୍ତାକୁ ଖୋଳି ଦିଆଯାଉଛି। ମାତ୍ର କାମ ସରିବା ପରେ ରାସ୍ତାର ମରାମତି କଥାକୁ ସମସ୍ତେ ଭୁଲି ଯାଉଛନ୍ତି। ତେଣୁ ଗତ ୩ ବର୍ଷ ହେଲାଣି ସେମାନେ ଖଣ୍ଡିଆଖାବରା ରାସ୍ତାରେ ବଡ଼ କଲବଲ ହେଉଛନ୍ତି। ବର୍ଷା ବେଳେ କାଦୁଅ ପଚପଚ ହେଉଥିବା ବେଳେ ଖରାବେଳେ ପ୍ରବଳ ଧୂଳି ଉଡ଼ୁଛି। ରାତିରେ ବାଇକ୍‌ ଓ ସ୍କୁଟି ଚାଳକମାନେ ଖାଲରେ ପଡ଼ି ଆହତ ହେବା ଏକ ନିତିଦିନିଆ କଥା ହୋଇଗଲାଣି।

ଏନେଇ କର୍ପୋ‌ରେଟର୍‌ ରାଜକିଶୋର ଦାସଙ୍କ କହିବା କଥା, ମହର୍ଷି କଲେଜ୍‌ ଛକରୁ ସହିଦନଗର ଫ୍ଲାଏଓଭର ବ୍ରିଜ୍‌ ଯାଏ ଯାଇଥିବା ରାସ୍ତା କାମ ପାଇଁ ଟେଣ୍ଡର୍‌ ହୋଇଥିଲା। ମାତ୍ର କୌଣସି କାରଣରୁ ଏହି ଟେଣ୍ଡର ବାତିଲ ହୋଇଯାଇଛି। ଆଉ ଥରେ ବ୍ୟୟବରାଦ କରାଯିବ ବୋଲି ପୂର୍ତ୍ତ ବିଭାଗ ସହ ଆଲୋଚନା ହୋଇଛି। ସେହିଭଳି ବିଏମ୍‌ସି ଅଧୀନରେ ଥିବା ରାସ୍ତାର ମରାମତି ପାଇଁ ଟେଣ୍ଡର ହୋଇଛି ଏବଂ ଶିଳାନ୍ୟାସ ମଧ୍ୟ ହୋଇଛି। ଖୁବ୍‌ଶୀଘ୍ର ସବୁ କାମ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ବର୍ଷାଦିନ ପୂର୍ବରୁ ସବୁ କାମ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର