ନା’ ମୋବାଇଲ୍‌, ନା’ ଇଣ୍ଟରନେଟ୍‌; ଏଥର ସବୁ କାମ ଡିଜିଟାଲ କିଓସ୍କରେ

ରାଜଧାନୀରେ ୭୫ରୁ ୬୨ଟି କିଓସ୍କ କାର୍ଯ୍ୟକ୍ଷମ

ଭୁବନେଶ୍ବର : ମୋବାଇଲ ଦରକାର ନାହିଁ କିମ୍ବା ଇଣ୍ଟରନେଟ୍‌ର ବି ଆବଶ୍ୟକତା ନାହିଁ। ଫୋନ୍‌ କଲ୍‌ ଠାରୁ ଆରମ୍ଭ କରି ପ୍ରମାଣପତ୍ର ହାସଲ, ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନଠାରୁ ଆରମ୍ଭ କରି ଯେ କୌଣସି ଆବେଦନର ସ୍ଥିତି ଜାଣିବା ଭଳି ସବୁ କାମ ଏଥର ଡିଜିଟାଲ କିଓସ୍କରେ ହେବ। ଭୁବନେଶ୍ବରରେ ସ୍ଥାପନ ହୋଇଥିବା ୭୫ ଡିଜିଟାଲ କିଓସ୍କରୁ ୬୨ ଟି କାର୍ଯ୍ୟକ୍ଷମ ହୋଇଛି। ଅନ୍ୟ ୧୩ଟି ଖୁବ୍‌ଶୀଘ୍ର ସର୍ବସାଧାରଣଙ୍କ ପାଇଁ ସମର୍ପିତ ହେବାକୁ ଯାଉଥିବା ସୂଚନା ଦେଇଛି ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌)।

ଏହି ଡିଜିଟାଲ କିଓସ୍କ ୨୦୨୦ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଧାର୍ଯ୍ୟ ହୋଇଥିଲା। ଇନ୍‌ଡୋର୍‌ରେ ୫୦ ଓ ଆଉଟ୍‌ଡୋର୍‌ ୨୫ ଏଭଳି ୭୫ଟି କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଥିଲା। ଏହି ସମୟସୀମାର ଦେଢ଼ ବର୍ଷ ପରେ ୬୨ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେବେ ଜନସାଧାରଣଙ୍କ ମଧ୍ୟରେ ଏହାର ବ୍ୟବହାର ନେଇ ସଚେତନତା ନ ଥିବାରୁ କିଓସ୍କର ବ୍ୟବହାର ଆଶାନୁରୂପ ହେଉନାହିଁ। ଆଉଟ୍‌ଡୋର୍‌ରେ ଲାଗିଥିବା ୨୫ଟି କିଓସ୍କ ମଧ୍ୟରୁ କାର୍ଯ୍ୟକ୍ଷମ ହୋଇଥିବା ୧୮ଟି ହେଉଛି ଇନ୍‌ଫୋସିଟି, କିଟ୍‌ ଛକ ବିଗ୍‌ବଜାର ପାଖ, କଳିଙ୍ଗ ଷ୍ଟାଡିୟମ ୮ ନମ୍ବର ଗେଟ୍‌, କ୍ୟାପିଟାଲ ହସ୍‌ପିଟାଲ, ଶିଶୁଭବନ ଛକ, ଏମ୍ସ ଛକ, ଆର୍‌ବିଆଇ, ବିଏମ୍‌ସି ଅଫିସ୍‌, ଆଚର୍ଯ୍ୟବିହାର, ମଧୁସୂଦନ ପାର୍କ, ଆଇଜି ପାର୍କ, ତନିସ୍କ ସାମ୍ନା ଗ୍ରିନ୍‌ ମାର୍କେଟ୍‌, ବୁଦ୍ଧ ପାର୍କ, ଆଇଡି ମାର୍କେଟ୍, ପୋଖରୀପୁଟ୍‌ ରିଲାଏନ୍ସ ଫ୍ରେସ୍‌, ରାମମନ୍ଦିର ପାଖ, ବାଣୀବିହାର ପାଖ, ରୁଚିକା ମାର୍କେଟ୍‌।

ସୂଚନା ମୁତାବକ, କାଗଜପତ୍ର ବ୍ୟବହାରକୁ କମାଇବା ତଥା ‘କଣ୍ଟାକ୍ଟଲେସ୍‌’ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଏଭଳି କିଓସ୍କ ବ୍ୟବସ୍ଥା ହୋଇଛି। ଏହି କିଓସ୍କ ଜରିଆରେ ସର୍ବସାଧାରଣ ପୌର ପ୍ରଶାସନ ଅଧୀନରେ ଥିବା ବିଭିନ୍ନ ଯୋଜନା ଓ ବ୍ୟବସ୍ଥାକୁ ନେଇ ଅଭିଯୋଗ କରିପାରିବେ। ଟେଲିଫୋନ୍‌ କଲ୍‌ ମଧ୍ୟ କରିପାରିବେ। ଜନ୍ମ, ମୃତ୍ୟୁ, ବିବାହ ପ୍ରମାଣପତ୍ରଠାରୁ ଆରମ୍ଭ କରି ଟ୍ରେଡ୍‌ ଲାଇସେନ୍ସ ଫି, ହୋଲ୍ଡିଂ ଟ୍ୟାକ୍ସ ମଧ୍ୟ ଦାଖଲ କରିହେବ। ଏହା ଭୁବନେଶ୍ବର କମାଣ୍ଡ ସେଣ୍ଟର (ବିସିସି)ସହ ସଂଯୁକ୍ତ ହୋଇଛି। ଆଗକୁ ଅଧିକ ସେବା ଉପଲବ୍ଧ ହେବା ଯୋଜନା ରହିଛି। ଏହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି; ଏମର୍ଜେନ୍‌ସି କଲ୍‌ ବଟନ(ଇସିବି)। ଯେ କେହି  ଯଦି କୌଣସି ଅସୁବିଧାରେ ପଡ଼େ ତେବେ ଏହି ଇସିବି ବଟନ ଦବାଇ ପାରିବ। ଏହି ସୁଇଚ୍‌ ଅନ୍‌ ହେଲେ ଏଠାରେ ଲାଗିଥିବା ଉଚ୍ଚଶକ୍ତି ସମ୍ପନ୍ନ କ୍ୟାମେରା କାର୍ଯ୍ୟକ୍ଷମ ହେବା ସହ ସେଠାକାର ସମସ୍ତ ଦୃଶ୍ୟ ବିସିସିକୁ ତତ୍‌କ୍ଷଣାତ୍‌ ସ୍ଥାନାନ୍ତର ହେବ। ଏହା ଦେଖିବା ପରେ ବିସିସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ଏହି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ରାଜଧାନୀରେ କାର୍ଯ୍ୟକ୍ଷମ ହୋଇ ନାହିଁ।  ଏହା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର