ଲକ୍‌ଡାଉନ୍ ପାଇଁ ଅଟକିଛି କାମ: ରାଜଧାନୀକୁ ଜଳବନ୍ଦୀ ଭୟ, ମୁଖ୍ୟ ଡ୍ରେନ୍ ସଫା ହୋଇନି, ବହୁ ଡ୍ରେନ୍ କାମ ଅଧା ପଡ଼ିଛି

ବର୍ଷା ଋତୁ ପୂର୍ବରୁ ସବୁ କାମ ସରିବ: ବିଏମ୍‌ସି

ଭୁବନେଶ୍ବର: ପ୍ରତିବର୍ଷ ଜଳବନ୍ଦୀ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ରାଜଧାନୀବାସୀଙ୍କୁ ଏଥର ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ୩୭ଟି ସମ୍ବେଦନଶୀଳ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ରୁ ଆରମ୍ଭ କରି ପୂର୍ତ୍ତ ବିଭାଗ, ଇଡ୍‌କୋ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍‌ସି ଅଧୀନରେ ଥିବା ସମସ୍ତ ଡ୍ରେନର ପୁନରୁଦ୍ଧାର କାମ ହେବ। ସବୁ ଡ୍ରେନ୍ ସଫା ହେବ, ଯେଉଁଠି ଜଳବନ୍ଦୀ ସମସ୍ୟା ଥିବ ସେଠାରେ ନୂଆ ଡ୍ରେନ୍‌ ନିର୍ମାଣ ହେବ। ଏପରିକି ଜଳବନ୍ଦୀ ଅଞ୍ଚଳରେ ମାଟି ତଳକୁ କିପରି ଅଧିକ ପାଣି ଯିବ, ସେ ବ୍ୟବସ୍ଥା କରାଯିବ। ଏହିଭଳି ମାଳମାଳ ଯୋଜନା କରି ରାଜଧାନୀକୁ ଜଳବନ୍ଦୀରୁ ମୁକୁଳାଇବାକୁ ବିଏମ୍‌ସି ଏହି ଆର୍ଥିକ ବର୍ଷରେ ୧୦୦ କୋଟି ଖର୍ଚ୍ଚ କରିଥାନ୍ତା। କାମ ବି କେତେକ ସ୍ଥାନରେ ଆରମ୍ଭ ହୋଇଯାଇଥିଲା। ହେଲେ କରୋନା ଜନିତ ଲକ୍‌ଡାଉନ୍ ସବୁ ଉପରେ ରୋକ୍‌ ଲଗାଇଦେଲା। ଲକ୍‌ଡାଉନ୍‌ ରାଜଧାନୀ‌କୁ ବର୍ଷା ଦିନେ ଜଳବନ୍ଦୀ କରିଦେବନି ତ! ଏହି ପ୍ରଶ୍ନ ଏବେ ରାଜଧାନୀବାସୀଙ୍କ ମନରେ ଉଠିଲାଣି। କରୋନାଜନିତ ଲକ୍‌ଡାଉନ୍ ପାଇଁ ମୁଖ୍ୟ ଡ୍ରେନ୍‌ ପୁନରୁଦ୍ଧାରରୁ ଆରମ୍ଭ କରି ଗଳିକନ୍ଦିରେ ଥିବା ଡ୍ରେନ୍‌ ସଫେଇ, ମୁଖ୍ୟ ଡ୍ରେନ୍‌ ସଫେଇ, ନୂଆ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସବୁ ଅଟକି ଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ମାସେ ହେଲା ସବୁ ବନ୍ଦ ହୋଇପଡ଼ିଛି।

ବମିଖାଲରୁ ଆରମ୍ଭ କରି ମଲ୍ଲିକ କମ୍ପ୍ଲେକ୍ସ, ଗୌରୀ ଗାର୍ଡେନ୍‌ରୁ ଆରମ୍ଭ କରି କଳାରାହଙ୍ଗ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ମନରେ ଜଳବନ୍ଦୀ ଭୟ ଘାରିଛି। ଆଜିର କାଳବୈଶାଖୀ ବର୍ଷା ରାଜଧାନୀବାସୀଙ୍କୁ ଡରାଇ ଦେଇଛି। ଆକାଶରେ ଯେଉଁଭଳିଆ କଳାହାଣ୍ଡିଆ ମେଘ ଘୋଟେଇକି ରହିଲା ଓ ବରକୋଳି ଟୋପା ବର୍ଷିଲା ଲୋକ ଭାବିଥିଲେ, ଆଜି ବର୍ଷାରୁ ଉଦ୍ଧାର ମିଳିବନି। ଅଳିଆ ଆବର୍ଜନା, ପଙ୍କରେ ଭର୍ତ୍ତି ହୋଇରହିଥିବା ଡ୍ରେନ୍‌ରେ ପାଣି ନଗଲେ, ସେମାନଙ୍କ ଅବସ୍ଥା କ’ଣ ହେବ, ସେହି ଆଶଙ୍କାରେ ରହିଥିଲେ। ସୌଭାଗ୍ୟବଶତଃ ବଡ଼ ବର୍ଷା ହେଲାନି। ଆଜି ପାଇଁ ସିନା ଜଳବନ୍ଦୀ ଭୟ ଟଳିଗଲା। ହେଲେ ଏପ୍ରିଲ, ମେ’ରେ ରାଜଧାନୀରେ କାଳବୈଶାଖୀ ବର୍ଷା ଜନିତ ଜଳବନ୍ଦୀ ଗତ କିଛି ବର୍ଷ ହେଲା ଦେହସୁହା ହୋଇ ଯାଇଥିବାରୁ ଏଥର ଯେ ସେ ପରିସ୍ଥିତି ନହେବ, କହିହେବନି। ବିଏମ୍‌ସି ଏ ପର୍ଯ୍ୟନ୍ତ ସବୁ ଡ୍ରେନ୍‌ ସଫା କରିନଥିବାରୁ ମୁଖ୍ୟ ଡ୍ରେନ୍‌ କଡ଼ରେ ଭୁଶୁଡ଼ି ପଡ଼ିଥିବା ପାଚେରି ନିର୍ମାଣ ହୋଇ ନଥିବାରୁ ଜଳବନ୍ଦୀ ଅଞ୍ଚଳରେ ନୂଆ ଡ୍ରେନ୍ ନିର୍ମାଣ କାମ ଶେଷ ହୋଇନଥିବାରୁ ଏଥର ସ୍ଥିତି ସାଂଘାତିକ ହେବା ସମ୍ଭାବନାକୁ ଏଡ଼ାଇ ହେବନି।

ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର କହିଛନ୍ତି ଯେ ଆମେ ବର୍ଷା ପୂର୍ବରୁ ଯେମିତି ଡ୍ରେନ୍‌ ସଫା କରିବାକୁ ଯୋଜନା କରିଥିଲୁ, ସେମିତି କରିବୁ। ଯେଉଁଠି ନୂଆ ଡ୍ରେନ୍‌ ନିର୍ମାଣ ହେଉଥିଲା, ତାହା ଏବେ ବନ୍ଦ ହୋଇଥିଲେ ହେଁ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ସମସ୍ତ ଅଧା ପଡ଼ିଥିବା କାମ ଓ ଡ୍ରେନ୍‌ ପୁନରୁଦ୍ଧାର କାମ ପାଇଁ କମିସନର ଅନୁମତି ଦେଇଛନ୍ତି। ତେଣୁ ଆମେ ପୂର୍ବରୁ ଯେଉଁ ସବୁ କାମ ପାଇଁ ଟେଣ୍ଡର୍‌ ହୋଇଥିଲା, ସେଗୁଡ଼ିକୁ ଦିନେ ଦୁଇ ଦିନ ଭିତରେ କାର୍ଯ୍ୟାଦେଶ ଦେବୁ। ଯେଉଁ କେତେକ ସ୍ଥାନରେ ଡ୍ରେନ୍‌ କାମ ଅଧା ପଡ଼ିଥିଲା, ସେଗୁଡ଼ିକୁ ସାରିବୁ। ଏବେ ପ୍ରାୟ ୨୮କିମି ଡ୍ରେନ୍ ନିର୍ମାଣ ବାକି ଥିବାରୁ ସେଗୁଡ଼ିକୁ ମୌସୁମୀ ବର୍ଷା ପୂର୍ବରୁ ନିର୍ମାଣ କରିବୁ। ମୁଖ୍ୟ ଡ୍ରେନ୍‌ଗୁଡ଼ିକ ମାର୍ଚ୍ଚ ୧ରୁ ୨୦ ଭିତରେ କେତେକ ସ୍ଥାନରେ ସଫା ହୋଇଥିଲା। ଏବେ ସବୁ ଡ୍ରେନ୍‌ ଯେପରି ଧାର୍ଯ୍ୟ ସମୟରେ ସଫା ହେବ ଏବଂ ଏହା କଡ଼ରେ ପାଚେରି ନିର୍ମାଣ ଶେଷ ହେବ, ସେନେଇ ପଦକ୍ଷେପ ନେବୁ। ଡ୍ରେନ୍‌ ସଫେଇ ପାଇଁ ଏବେ ଲୋକ ମିଳିବ‌ା କଷ୍ଟ ହେଲେ ଯନ୍ତ୍ରାଂଶ ବ୍ୟବହାର କରି କାମ କରିବୁ। ରାଜଧାନୀବାସୀ ଯେପରି ଏଥର ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେନି, ସେଥିପାଇଁ ଧ୍ୟାନ ଦେବୁ। ବମିଖାଲ ଓ ନୂଆପଲ୍ଲୀ-ଇସ୍କନ୍‌ ସମ୍ମୁଖରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ହେଉଥିବା କାମ ଖୁବ୍‌ ଶୀଘ୍ର ଶେଷ କରିବୁ। ଏହାବ୍ୟତୀତ ସଫେଇ ସଂସ୍ଥାଙ୍କୁ ସେମାନଙ୍କ ୱାର୍ଡରେ ଡ୍ରେନ୍‌ ସଫା କରିବାକୁ ନିର୍ଦ୍ଦେଶ ‌ଦିଆଯିବ। ପୂର୍ତ୍ତ, ଇଡ୍‌କୋ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବି ସେମାନଙ୍କ ଡ୍ରେନ୍‌ଗୁଡ଼ିକୁ ତୁରନ୍ତ ସଫା କରିବାକୁ ଚିଠି ଲେଖାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର