କଟକ : ଭୁବନେଶ୍ବରରେ ବହୁ ଆବାସିକ ସରକାରୀ ପ୍ଲଟ୍ରେ ଥିବା କୋଠାକୁ ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହି ପ୍ରସଂଗରେ ବିଏମ୍ସି ନିୟମାବଳୀ ଓ ଅନ୍ୟ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନକାରୀ ଅଭିଯୋଗ ଦାଖଲ କରିବେ। ଏହା ପରେ ମଧ୍ୟ ଯଦି କିଛି ସମସ୍ୟା ରୁହେ ତେବେ ପ୍ରତିକାର ପାଇଁ ଆବେଦନକାରୀ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ହାଇକୋର୍ଟ କହିବା ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି।
ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବରରେ ଆବାସିକ ସରକାରୀ ପ୍ଲଟ୍ରେ ନିର୍ମିତ କୋଠାରେ ବିଭିନ୍ନ ପ୍ରକାର ବ୍ୟବସାୟ ଚାଲିଛି ବୋଲି ଅଭିଯୋଗ କରି ୨୦୧୪ରେ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ଲିଜ୍ ସର୍ତ୍ତ ଉଲ୍ଲଂଘନ କରି ଆବାସିକ ପ୍ଲଟ୍ରେ ଥିବା କୋଠାକୁ ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏହା ବିଡିଏ ଓ ବିଏମ୍ସି ନିୟମାବଳୀର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ପ୍ରସଂଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହିତ ନିୟମ କଡ଼ାକଡ଼ି ପାଳନ କରାଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାରେ ରାଜ୍ୟ ସରକାର, ବିଏମ୍ସି, ବିଡିଏ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/high-court.jpg)