ଭୁବନେଶ୍ବର: କ୍ରାଇମ୍ବ୍ରାଞ୍ଚ ଅଧିକାରୀ ବୋଲି ପରିଚୟ ଦେଇ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ତଥା ନକଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀ ହେଲା ନୟାଗଡ଼ ଜିଲ୍ଲା ରାଜପାଟଣା ଅଞ୍ଚଳର ରମାକାନ୍ତ ନାୟକ(୩୯)। ସେ ଖାରବେଳନଗରରେ ରହୁଥିଲା। ଖଣ୍ଡଗିରି ଅଞ୍ଚଳର ଏକ କଲେଜରେ ପଢ଼ୁଥିବା ଅଭିଯୋଗକାରିଣୀ ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଗତ ୧୧ ତାରିଖ ଦିନ ସେ ତାଙ୍କ ସାଇକେଲ୍ରେ କଲେଜ ଯାଉଥିବା ବେଳେ ରମାକାନ୍ତ ହଠାତ୍ ତାଙ୍କ ଆଗକୁ ଆସି ଅଟକାଇଥିଲା।
ନିଜକୁ କ୍ରାଇମ୍ବ୍ରାଞ୍ଚର ଅଫିସର ବୋଲି ପରିଚୟ ଦେଇ କଥା ହେଲା। କଥା ଆରମ୍ଭ କରିବାକୁ ଯାଇ ସେ ତାଙ୍କ ସାଇକେଲ୍ର ପ୍ରଶଂସା କରିଥିଲେ। ଏମିତିକି ସାଇକେଲ୍ କିଣିବେ ବୋଲି କହି କିଛି ବାଟ ଚଲାଇଥିଲା। ଜଣେ ପୁଲିସ ଅଧିକାରୀ ବୋଲି ଛାତ୍ରୀଜଣଙ୍କ ତାଙ୍କୁ ଏସବୁ ସୁଯୋଗ ଦେବାକୁ କୁଣ୍ଠାବୋଧ କରିନଥିଲେ। ତେବେ ମନରେ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଧୂର୍ତ୍ତ ରମାକାନ୍ତ ଏହି ମଉକାରେ କୌଶଳ କରି ଛାତ୍ରୀଙ୍କ ବିଭିନ୍ନ ଅଙ୍ଗ ଛୁଇଁବାକୁ ଉଦ୍ୟମ କରିଥିଲା। ତା’ର ଏଭଳି ଅସ୍ବାଭାବିକ ଆଚରଣ ଦେଖି ଛାତ୍ରୀଜଣଙ୍କ ଚିତ୍କାର କରି ଲୋକଙ୍କୁ ଡାକିଥିଲେ। ତେବେ ଲୋକମାନେ ଏକାଠି ହେବା ପୂର୍ବରୁ ଧୂର୍ତ୍ତ ରମାକାନ୍ତ ଖସି ପଳାଇଥିଲା। ଏନେଇ ଛାତ୍ରୀଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।