ଖଣ୍ଡଗିରି: ‘‘ଆମକୁ ହ‌ଷ୍ଟେଲ୍‌ରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ଭଲ ଖାଇବାକୁ ଦିଆଯାଉ ନାହିଁ। ପିଭିସି ପା‌ଇପ୍‌ରେ ପିଟୁଛନ୍ତି। ଏମିତି ମାରୁଛନ୍ତି ଯେ ଗୋଡ଼ହାତ ସବୁ ଫାଟି ନୋଳା ବସି ଯା‌ଉଛି। ଦେହରୁ ରକ୍ତ ବ‌ାହାରୁଛି। ବାଡ଼େଇବା କଥା କାହାକୁ କହିଦେବୁ ବୋଲି କହି‌ଲେ, ବାପା ମା’ଙ୍କୁ କହି ଆହୁରି ଗା‌ଳି ଶୁଣାଇବେ ବୋଲି କହୁଛନ୍ତି। ଦ୍ବିତୀୟ ଥର ଖାଇବା‌କୁ ମାଗିଲେ ଅସଭ୍ୟ ଭାଷାରେ ଗା‌ଳି ଦେଉଛନ୍ତି। ‌ଖେଳିବା‌କୁ ଗଲେ ରୁମ୍‌କୁ ଆସି ପିଟୁଛନ୍ତି।’’ ରାଜଧାନୀ ଛାତି ଉପରେ ଥିବା ଖଣ୍ଡଗିରି ଶିବାନନ୍ଦ ଶତବାର୍ଷିକ ଉଚ୍ଚବିଦ୍ୟାଳୟର ଛାତ୍ରମାନେ ଆଜି ଏଭଳି ଅଭିଯୋଗ ଆଣିଛନ୍ତି। କେବଳ ଅଭିଯୋଗ ଆଣି ନାହାନ୍ତି, ବରଂ ନ୍ୟାୟ ପାଇବାକୁ କ୍ୟାମ୍ପସ୍‌ ଭିତରେ ଧାରଣା ଦେବା ସହ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ସଭା‌ପତିଙ୍କୁ ଅବଗତ କରିଛନ୍ତି। ଖଣ୍ଡଗିରି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ସ୍କୁଲ ପରିଚାଳନାରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ଛାତ୍ରମାନେ ମୁହଁ ଖୋଲିବା ସହ ଅପରାହ୍ଣ ୨ଟାରେ ପ୍ରଥମେ ଫାଟକ ଆଗରେ ଆନ୍ଦୋଳନ‌ରେ ବସିଥିଲେ। ୩ ଘଣ୍ଟା ଧରି ଆନ୍ଦୋଳନ କରିବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ କଥା ନଶୁଣିବାରୁ ଛାତ୍ରମାନେ ବିଦ୍ୟାଳ‌ୟର ଗୋଟିଏ ପରେ ଗୋଟିଏ ଗୁମର ସର୍ବସାଧାରଣରେ ପ୍ରକା‌ଶ କରିଥିଲେ। ଏହାପରେ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଓ ଛାତ୍ରମାନେ ବିଦ୍ୟାଳୟ ସଭାପତି ଓ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଥାନାରେ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ସ୍କୁଲରେ ବ୍ୟାପକ ଅର୍ଥ ହେରଫେର୍‌ ହୋଇଛି। ଆବଶ୍ୟକ ନଥିବା ପ୍ରକଳ୍ପରେ ପ୍ରାୟ ୨୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଶିକ୍ଷକ, କର୍ମଚାରୀମାନେ ଯଦି ଏନେଇ ସ୍ବର ଉଠାଉଛନ୍ତି ସେମାନଙ୍କୁ ମଧ୍ୟ ନିର୍ଯାତନା, ଛଟେଇ ଓ ଜୋରଜବରଦସ୍ତ ଚାକିରି ଛାଡ଼ିବାକୁ କୁହାଯାଉଛି। ସ୍କୁଲର ପ୍ରତିଷ୍ଠାତା ସ୍ବାମୀ ଶିବଚିଦାନନ୍ଦଜୀ ଓ ସ୍ବାମୀ ଜଗନ୍ନାଥ ସ୍ବାମୀଜୀଙ୍କୁ ପରିଚାଳନାରୁ ଦୂରେଇ ରଖିବାକୁ ହ‌ଷ୍ଟେଲ୍‌ ନିରୀକ୍ଷକ କିଶୋର ଦାସଙ୍କ ସମେତ ତାଙ୍କ ଗୋଷ୍ଠୀ ଉଦ୍ୟମ କରୁଛନ୍ତି।

ଖଣ୍ଡଗିରି ଥାନାର ଦ୍ବାରସ୍ଥ ହେଲେ ଶିକ୍ଷକ, ଅଭିଭାବକ
ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ
ଷ୍ଟୁଡେଣ୍ଟ ହେଲ୍‌ପଲାଇନ୍‌ରେ ଅଭିଯୋଗ କଲେ ଛାତ୍ର
ତଦନ୍ତ ନିର୍ଦ୍ଦେଶ ଦେଲେ ବ୍ଲକ ଶିକ୍ଷା ଅଧିକାରୀ

ଏମାନଙ୍କ ସହ ଚିଫ୍‌ ଏକାଡେମିକ ଅଫିସର(ସିଏଓ) ଭବାନୀ ଶଙ୍କର ପଟ୍ଟନାୟକ ମଧ୍ୟ ସାମିଲ ରହିଛନ୍ତି। ତେଣୁ ପରିଚାଳନା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ସିଏଓଙ୍କୁ ବରଖାସ୍ତ ସହ ତଦନ୍ତ, କର୍ମଚାରୀ ଓ ଛାତ୍ରଙ୍କ ସୁରକ୍ଷା, ପ୍ରତିଷ୍ଠାତାଙ୍କ ଲକ୍ଷ୍ୟ ବଜାୟ ରଖିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି। ସ୍କୁଲ ସଭାପତିଙ୍କୁ ଲେଖିଥିବା ଅଭିଯୋଗପତ୍ରରେ ସେମାନେ କହିଛନ୍ତି ଯେ ସଙ୍ଗୀତ ଶିକ୍ଷକ ସରୋଜ କୁମାର ସାହୁଙ୍କୁ ବିନା କାରଣରେ ଚାକିରିରୁ ବାହାର କରାଯାଉଛି। କୌଣସି ଭୁଲ୍‌ ନଥା‌ଇ ତାଙ୍କୁ ଛାତ୍ରମାନଙ୍କ ସମ୍ମୁଖରେ ଅପମାନିତ କରାଯିବା ସହ ୩ରୁ ୪ ଦିନ ମଧ୍ୟରେ ନିଲମ୍ବନ କରିବାକୁ ଛାତ୍ରାବାସ ନିରୀକ୍ଷକ କିଶୋର ଦାସ ଧମକ ଦେଉଛନ୍ତି। କ୍ୟାମ୍ପସ୍‌ ପରିସରର ଫଟୋକୁ ବାହାର ମହିଳାଙ୍କୁ ପ୍ରଦାନ କରୁଛନ୍ତି। ଏହାଦ୍ବାରା ସ୍କୁଲର ମର୍ଯ୍ୟାଦା ହାନି ଘଟୁଛି। ଅର୍ଥିକ ପରିଚାଳନାରେ ହେରଫେର୍‌ କରୁଛନ୍ତି। ସ୍କୁଲର ନିର୍ଯାତନା ସହ୍ୟ କରି ନପାରି ୫୦ ଜଣ ଛାତ୍ର ସ୍କୁଲ ଛାଡ଼ିଲେଣି। ଆହୁରି ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ କହିଛନ୍ତି।

ଏ ସମ୍ପର୍କରେ ବିଦ୍ୟାଳୟ ଅଧ୍ୟକ୍ଷ ଅମିତ କୁମାର କରଙ୍କ କହିବା କଥା ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ଠିକ ଭାବରେ କରି ନଥିବାରୁ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ ସରୋଜ କୁମାର ସାହୁଙ୍କୁ କାରଣଦର୍ଶାଅ ନୋଟିସ୍‌ ଦିଆଯାଇଥିଲା। ସେ ଏହାର ଉତ୍ତର ଠିକ୍‌ ଭାବରେ ଦେଇ ନଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ହେଲେ ଛାତ୍ରାବାସ‌ରେ ଛାତ୍ରଙ୍କୁ ମାରପିଟ୍‌ ସମ୍ପର୍କରେ ଆଗରୁ କେହି ସୂଚନା ଦେଇ ନଥିଲେ। ଏବେ ଏହାର ତଦନ୍ତ ହେବ। ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା କହିଛନ୍ତି, ସ୍କୁଲ ପକ୍ଷରୁ ଏସମ୍ପର୍କରେ ଆମକୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଛାତ୍ରାବାସରେ ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନଥିବା ଏବଂ ଶୌଚାଳୟ ଅପରିଷ୍କାର ରହିଥିବା ସମ୍ପର୍କରେ ଆଜି ଷ୍ଟୁଡେଣ୍ଟ ହେଲ୍‌ପଲାଇନ୍‌ରେ ଏକ ଅଭିଯୋଗ ଆସିଛି। ଏହା ଜଣାପଡ଼ିବା ପରେ ଏବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକରୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରମାନେ ଏଠାରେ ରହୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର କ୍ୟାମ୍ପସ୍‌କୁ ଯାଇ ତଦନ୍ତ କରାଯିବ।