ଭୁବନେଶ୍ବର: ରମାଦେବୀ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କୁ ରୢାଗିଂ ଦିଆଯାଉଛି। ଜାତିଆଣ ମନ୍ତବ୍ୟ, ଅଶ୍ଳୀଳ ଭିଡିଓ ଦେଖାଇବା, ରାତିରେ ସର୍ଟସ ପିନ୍ଧିବାକୁ ଅନ୍ତେବାସୀମାନେ ବାଧ୍ୟ କରୁଛନ୍ତି। କଥା ନ ମାନିଲେ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଉଛନ୍ତି। ଘଟଣା ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଏକଦଶ ଶ୍ରେଣୀର ଜଣେ ଛାତ୍ରୀ ବିଦ୍ୟାଳୟରୁ ଟିସି ନେବା ପରେ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଏହି ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବର ୪ରେ ୧ ନମ୍ବର ହଷ୍ଟେଲରେ ରହିବାକୁ ପହଞ୍ଚିବାର ୩ ଦିନ ପରେ ସେଠାକାର ରୁମ୍‌ମେଟ୍‌ ମାନସିକ ନିର୍ଯାତନା ଦେଇଥିଲେ। ସେମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଆସିଥିବାରୁ ଏବଂ ମୁଁ ଓଡ଼ିଆ ମାଧ୍ୟମ ସ୍କୁଲରେ ପଢ଼ିଥିବାରୁ ଅଣଦେଖା କରୁଥିଲେ। ବିଭିନ୍ନ ପ୍ରକାର ହଇରାଣ କରିବା ପରେ ସେପ୍ଟେମ୍ବର ୧୪ରେ ଏ ସମ୍ପର୍କରେ ବାପା, ମା’ଙ୍କୁ ଜଣାଇଥିଲି। ସେମାନେ ରାତି ୮ଟା ୩୦ରେ ମୋତେ ନେବାକୁ ପହଞ୍ଚିଥିଲେ। ଯିବା ସମୟରେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍‌ ଓ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଏବିଷୟରେ ଅବଗତ କରିଥିଲି। ଏହାର ୪ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୧୮ରେ ମୋତେ ବିଦ୍ୟାଳୟକୁ ଆସିବାକୁ କୁହାଯାଇଥିଲା। ଏଠାରେ ପହଞ୍ଚିବା ପରେ ଆଣ୍ଟି ରୢାଗିଂ କମିଟି ଦ୍ବାରା ମୋ ବୟାନ ରେକର୍ଡ କରାଯାଇଥିଲା। ସେତେବେଳେ ମଧ୍ୟ କମିଟିର ସଦସ୍ୟଙ୍କୁ ଅଭିଯୋଗର ଲିଖିତ ତଥ୍ୟ ଦେଇଥିଲି।

Advertisment

ମାନସିକ ନିର୍ଯାତନା ଦିଆଯାଉଥିଲା: ଅଭିଯୋଗକାରୀ
ଅଭିଯୋଗର ସତ୍ୟତା ନାହିଁ: ଅଧ୍ୟକ୍ଷ

ତେବେ ତଦନ୍ତ ସମୟରେ କମିଟିର ସଦସ୍ୟମାନେ ମୋତେ ଅଭିଯୋଗ ବାହାରେ ପ୍ରଶ୍ନ କରିଥିଲେ। ଯେଉଁଥିରୁ ଲାଗୁଥିଲା ଯେ ମୋ ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ। ତଦନ୍ତ ପ୍ରକ୍ରିୟା ସରିବା ପରେ ରିପୋର୍ଟ କେବେ ଆସିବ ବୋଲି ବାପା, ମା’ କଲେଜ ଅଧ୍ୟକ୍ଷାଙ୍କୁ ଫୋନ୍‌ କରି ପଚାରିଥିଲେ ମଧ୍ୟ ଠିକ୍‌ ଉତ୍ତର ମିଳି ନ ଥିଲା। କଲେଜରେ ଭୟ ଲାଗିବାରୁ ୧୫ ଦିନ ଧରି ଘରେ ବସିଛି। କିଛି ପଢ଼ିପାରୁ ନାହିଁ। ଯେଉଁମାନେ ମୋତେ ହଇରାଣ କରୁଥିଲେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଏହାଦ୍ବାରା ହଷ୍ଟେଲରେ ରହୁଥିବା ଅନେକ ନିରୀହ ଝିଅଙ୍କ ଭବିଷ୍ୟତ ନଷ୍ଟ ହେବ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ହଷ୍ଟେଲ ମେସ୍‌ ଚାର୍ଜ ନେଇଥିବା ମାଟ୍ରନ୍‌ ଏବଂ ଅନ୍ୟ କର୍ମଚାରୀ ପିଲାଙ୍କୁ ରୁଟି ନ ଦେଇ ତାହାକୁ ବିକ୍ରି କରୁଛନ୍ତି। ତେଣୁ ଘଟଣାର ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଛାତ୍ରୀ ଜଣକ ଅକ୍ଟୋବର ୫ରେ ଗଣଶିକ୍ଷା ବିଭାଗ ସଚିବଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ। ତାହାକୁ ଆଧାର କରି ତଦନ୍ତ କରି ରିପୋର୍ଟ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗତ ୧୯ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ କମିଟି ସମ୍ମୁଖରେ ଛାତ୍ରୀଜଣକ ଅଭିଯୋଗ କରିଛନ୍ତି ଯେ ରୁମ୍‌ମେଟ୍‌ମାନେ ରାତି ୨ଟା ପର୍ଯ୍ୟନ୍ତ ମୋବାଇଲ୍‌ରେ ଭିଡିଓ କଲ୍‌ କରି ବୟଫ୍ରେଣ୍ଡ୍‌ ସହ ଗପନ୍ତି। ଅଶ୍ଳୀଳ ଭିଡିଓ ଦେଖନ୍ତି। ଜିନିଷପତ୍ର ରଖିବା ସ୍ଥାନରେ ଜୋତା ରଖନ୍ତି। ରୁମ୍‌ରେ ମୁଣ୍ଡ କୁଣ୍ଡାଇବାକୁ ବାରଣ କରନ୍ତି। ଜାତିଆଣ ଆକ୍ଷେପ କରିବା ସହ‌ ସେମାନଙ୍କ ବେଡ୍‌ଠାରୁ ଦୂରେରେ ଶୋଇବାକୁ କହିଥାନ୍ତି।

କଲେଜ ଅଧ୍ୟକ୍ଷା ସରୋଜ ଲକ୍ଷ୍ମୀ ସିଂ କହିଛନ୍ତି ହଷ୍ଟେଲ ସମସ୍ୟା ସମ୍ପର୍କରେ ଛାତ୍ରୀ ଜଣକ ମୋତେ କିମ୍ବା ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍‌, ମାଟ୍ରନ୍‌ଙ୍କ ନିକଟରେ କୌଣସି ଅଭିଯୋଗ କରି ନ ଥିଲେ। ବାପା, ମା’ ତାଙ୍କୁ ଯେଉଁଦିନ ନେବାକୁ ଆସିଥିଲେ ଯିବା ସମୟରେ ସେଦିନ ରାତି ୧୨ଟାରେ ଏକ ଅଭିଯୋଗ ଦେଇଥିଲେ। ତାହାକୁ ଆଧାର କରି ସଙ୍ଗେ ସଙ୍ଗେ ଆଣ୍ଟି ରୢାଗିଂ କମିଟି ଗଠନ କରି ତଦନ୍ତ କରିବାକୁ ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲି। ୧୮ ତାରିଖରେ ଅଭିଯୋଗକାରୀ ଛାତ୍ରୀଙ୍କ ସହ ୩ଜଣ ରୁମ୍‌ମେଟ୍‌ଙ୍କୁ ଡାକି ବୟାନ ରେକର୍ଡ କରି ରଖାଯାଇଛି। ସମସ୍ତଙ୍କ ବୟାନ ଶୁଣିବା ପରେ ଜଣାପଡ଼ିଲା ଯେ ଅଭିଯୋଗର କୌଣସି ସତ୍ୟତା ନାହିଁ। ତା’ସ‌ତ୍ତ୍ବେ ରୁମ୍‌ରେ ରହୁଥିବା ୩ଜଣ ଛାତ୍ରୀଙ୍କୁ ବାହାର କରିଦେବାକୁ ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକ ଦାବି କରିଥିଲେ। ରୁମ୍‌ମେଟ୍‌ମାନେ ରୁମ୍‌ ଭିତରେ ମୁଣ୍ଡ କୁଣ୍ଡାଇବାକୁ ମନା କରିବାର ସତ୍ୟତା ରହିଛି। ଆଉ କୌଣସି ଅଭିଯୋଗର ସତ୍ୟତା ନାହିଁ। ଆମେ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛୁ ତାହାକୁ ବିଭାଗକୁ ପଠାଯିବ। ଅକ୍ଟୋବର ୭ରେ ଛାତ୍ରୀଜଣକ ଟିସି ନେଇଯାଇଥିବା ଅଧ୍ୟକ୍ଷା କହିଛନ୍ତି।