ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ: ରଫାଦଫା ପାଇଁ ହୋଇଥିଲା ଉଦ୍ୟମ!

ଭୁବନେଶ୍ୱର: ଶ୍ରୀଜୟଦେବ କଲେଜ ଅଫ୍‌ ଏଜୁକେସନ୍‌ ଆଣ୍ଡ ଟେକ୍ନୋଲୋଜିର ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଦୁଷ୍କର୍ମ କରିବା ଅଭିଯୋଗ ଆଜି ପଦାକୁ ଆସିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଗତ ଡିସେମ୍ବର ମାସରେ ଏହି ଘଟଣା ଘଟିଥିଲେ ହେଁ କଲେଜ କର୍ତ୍ତୃପକ୍ଷ ଏହାକୁ ଚାପିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ଆଭ୍ୟନ୍ତରୀଣ କମିଟି ଗଠନ କରି ରଫାଦଫା କରିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ।

ଏପରିକି ସଂପୃକ୍ତ ଅଧ୍ୟାପକଙ୍କୁ ଅନ୍ୟତ୍ର ବଦଳି ମଧ୍ୟ କରିଦିଆଯିବା ସହ କଲେଜର ନାଭାଲ୍‌ ୟୁନିଟ୍‌କୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଏଥିରେ ଅସନ୍ତୁଷ୍ଟ ଛାତ୍ରୀଜଣଙ୍କ ଗତ ମାସ ୨୫ ତାରିଖରେ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହେବା ଓ ବିଭାଗ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅଧ୍ୟକ୍ଷଙ୍କୁ ଚିଠି ଲେଖିବା, ଏହି ଘଟଣା ଉପରୁ ପରଦା ହଟାଇ ଦେଇଛି। ‌ତେବେ ପୀଡ଼ିତା ଛାତ୍ରୀଜଣଙ୍କ କଲେଜ କର୍ତ୍ତୃପକ୍ଷ ଓ ଉଚ୍ଚଶିକ୍ଷା ବିଭାଗରେ ଅଭିଯୋଗ କରିଥିଲେ ହେଁ କାହିଁକି ପୁଲିସର ଦ୍ବାରସ୍ଥ ହୋଇନାହାନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ଯେ ଥାନାରେ ଏତଲା ଦେବା ପାଇଁ ଉପଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରୀଜଣକ ଚାହିଲେ ଥାନାର ଦ୍ବାରସ୍ଥ ହୋଇପାରିବେ ବୋଲି କହିଥିଲେ। ମାତ୍ର କେହି ବି ଥାନାକୁ ଯାଇ ନ ଥିଲେ।
ଏହି ଘଟଣା ଆଜି ଦିନତମାମ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ୍‌ ପକ୍ଷରୁ ଏନେଇ ବିଶେଷ ତତ୍ପରତା ଦେଖାଯାଇନାହିଁ।

ଅଭିଯୋଗକୁ ଅଭିଯୁକ୍ତ ଅଧ୍ୟାପକଙ୍କ ଖଣ୍ଡନ

ପୁଣିଥରେ ତଦନ୍ତ ହେବ: କଲେଜ ଅଧ୍ୟକ୍ଷ

ଅପରପକ୍ଷେ ଏହି ତନାଘନା ପରେ ଆଜି ଅଭିଯୁକ୍ତ ଅଧ୍ୟାପକଜଣକ ସାମ୍ନାକୁ ଆସି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ୩୦ବର୍ଷ ହେଲା କାର୍ଯ୍ୟ କରୁଛି। ମୁଁ କେଉଁଭଳି ବ୍ୟକ୍ତି, କଲେଜର ଗୋଡ଼ି ମାଟି ଜାଣିଛନ୍ତି। ସବୁ ପିଲା କହିପାରିବେ ମୁଁ କ’ଣ? ପିଲାମାନେ ମୋତେ ଭଲପାଆନ୍ତି, କାରଣ ମୁଁ ପିଲାଙ୍କୁ ଭଲପାଏ। ଯୋଉଠି ବି ଥାଏ ପିଲାମାନେ ଘେରି ଯାଆନ୍ତି। ସେମାନଙ୍କ ପାଠପଢ଼ା ଦ୍ବନ୍ଦ୍ବ ଦୂର କରେ। ଯାହାର କିଛି ବି ସମସ୍ୟା ଥିବା ନେଇ ମୋ ପାଖକୁ ଆସେ, ତାହାକୁ ମୋ ସ୍ତରରେ ସମାଧାନ କରେ। ମୋର ଦୁଇଟି ବଡ଼ ପୁଅ ଅଛନ୍ତି। ବଡ଼ ପୁଅ ଡାକ୍ତରୀ ପଢ଼ିବାକୁ ଯାଉଛି। ଏଭଳି ହୀନ କାର୍ଯ୍ୟ ମୁଁ କରିବି କାହିଁକି? ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ।

କଲେଜ ଅଧ୍ୟକ୍ଷ ପ୍ରଭୁଚରଣ ଗୋଚ୍ଛାୟତ କହିଛନ୍ତି ଯେ ଅଭିଯୋଗ ଆସିବା ପରେ ଆଭ୍ୟନ୍ତରୀଣ କମିଟି ଗଠନ ସହ ଘଟଣାର ତଦନ୍ତ କରାଯାଇ କଲେଜ ମୁଖ୍ୟ ଖୋର୍ଧା ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏଥିସହ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କ ବଦଳି ହୋଇଛି। ଏବେ ପୁଣିଥରେ ତଦନ୍ତ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଚିଠି ପହଞ୍ଚିଛି। ଖୁବ୍‌ଶୀଘ୍ର ପୁଣିଥରେ କମିଟି ଗଠନ କରି ତଦନ୍ତ କରାଯିବ ଓ ବିଭାଗକୁ ରିପୋର୍ଟ ଦିଆଯିବ।

ସମ୍ବନ୍ଧିତ ଖବର