ଭୁବନେଶ୍ବର: ଆଜି ଅପରାହ୍ଣରେ ସହିଦନଗର ସାଇ ମନ୍ଦିର ନିକଟରେ ଜଣେ ମହିଳାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ମୃତକ ହେଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ମିଲି ବଡ଼ଜେନା(୨୩)। ପରକୀୟାପ୍ରୀତି ପାଇଁ ମିଲି ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ସ୍ବାମୀ ସୁବ୍ରତ ପାତ୍ର ଦାବି କରୁଥିବା ବେଳେ ମିଲିଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ସକାଳେ ସ୍ବାମୀଙ୍କ ସାଙ୍ଗ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଥିବା ମିଲିଙ୍କର ଅପରାହ୍ଣ‌ରେ ମୃତ୍ୟୁ ହୋଇଥିବାରୁ ଘଟଣାଟି ଅଧିକ ରହସ୍ୟମୟ ହୋଇପଡ଼ିଛି। ପୁଲିସ ସବୁ ପକ୍ଷର ଅଭିଯୋଗକୁ ଗ୍ରହଣ କରିବା ସହ ସୁବ୍ରତ ଓ ତାଙ୍କ ବନ୍ଧୁକୁ ଅଟକ ରଖି ଖୋଳତାଡ଼ ଚଳାଇଛି।

Advertisment

ସୂଚନା ମୁତାବକ ପ୍ରାୟ ୨ ବର୍ଷ ତଳେ ମିଲି ଓ ସୁବ୍ରତ ପ୍ରେମ ବିବାହ କରିଥିଲେ। ଜାତିଭେଦ ଯୋଗୁ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ବେ ସୁବ୍ରତଙ୍କ ହାତ ଧରି ମିଲି ଘର ଛାଡ଼ି ଚାଲିଆସିଥିଲେ। ଏହି ପ୍ରେମ ବିବାହରେ ସୁବ୍ରତଙ୍କ ଜଣେ ବନ୍ଧୁ ବହୁ ସହଯୋଗ କରିଥିଲେ। ବିବାହ ପରଠୁ ସୁବ୍ରତ, ମିଲି ଓ ଉକ୍ତ ବନ୍ଧୁ ଏକାଠି ସହିଦନଗର ସାଇମନ୍ଦିର ନିକଟରେ ଭଡ଼ା ଘରେ ରହୁଥିଲେ। ଏକାଠି ରହିବା ଭିତରେ ସୁବ୍ରତଙ୍କ ବନ୍ଧୁ ଓ ମିଲିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଲୁଚାଚୋରାରେ ଚାଲିଥିବା ଏହି ଅନୈତିକ ସମ୍ପର୍କ ଅଧିକ କାଳ ଲୁଚି ରହିନଥିଲା। ଆଜି ସକାଳେ ସୁବ୍ରତ ନିଦରୁ ଉଠିବା ବେଳକୁ ମିଲି ଓ ତାଙ୍କ ବନ୍ଧୁଙ୍କୁ ଅସଂଜତ ଅବସ୍ଥାରେ ଦେଖିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ମିଲି ଓ ବନ୍ଧୁ ସୁବ୍ରତଙ୍କ ଗୋଡ଼ ଧରି ଭୁଲ ମାଗିଥିଲେ।

କିନ୍ତୁ ସୁବ୍ରତ ବୁଝିବା ଅବସ୍ଥାରେ ନଥିଲେ। ବନ୍ଧୁ ବିରୋଧରେ ମିଲି ଦୁଷ୍କର୍ମ ଅଭିଯୋଗ କରୁ ବୋଲି ଜିଦ୍‌ କରିଥିଲେ ଏବଂ ମିଲି ବି ବାଧ୍ୟ ହୋଇ ରାଜି ହୋଇଥିଲେ। ଏହାପରେ ସେମାନେ ସହିଦନଗର ଥାନାକୁ ଆସି ବନ୍ଧୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ସେମାନେ ଘରକୁ ଆସିଥିଲେ। ସୁବ୍ରତଙ୍କ କହିବା କଥା ସେ ଘରେ ମିଲିଙ୍କୁ ଛାଡ଼ି କାମରେ ବାହାରିଯାଇଥିଲେ। ଅପରାହ୍ଣ ପାଖାପାଖି ୧ଟା ବେଳେ ସେ ଖାଇବା ପାଇଁ ଘରକୁ ଆସିବା ବେଳେ ମିଲି ଚଟାଣରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ପାଟିରୁ ଗରଳ ବାହାରୁଥିଲା। ତୁରନ୍ତ ସେ ମିଲିଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମିଲିଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଖବର ପାଇ ବାପା ପ୍ରମୋଦ କୁମାର ବଡ଼ଜେନା ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଯୌତୁକ ପାଇଁ ସୁବ୍ରତ ତାଙ୍କ ଝିଅକୁ ହତ୍ୟା କରିଛି ବୋଲି ସେ ଅଭି‌ଯୋଗ କରିଥିଲେ।