ପୁରାତନ ଛାତ୍ର ସଂଘର ଅଭିଯୋଗ: ବଳପୂର୍ବକ ବିଦ୍ୟାଳୟ ଜାଗା କବ୍‌ଜା କରୁଛି ବିଡିଏ

ବିକାଶ ନାଁ’ରେ ଖେଳ ପଡ଼ିଆ ସଙ୍କୁଚିତ କରାଯାଉଛି: ୟୁନିଟ୍-୬ ଆଥ୍‌ଲେଟିକ୍ ଆସୋସିଏସନ୍

ଭୁବନେଶ୍ବର: ୟୁନିଟ୍-୬ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଖେଳ ପଡ଼ିଆକୁ ବଳପୂର୍ବକ ନିଜ ଅକ୍ତିଆରକୁ ନେଉଛି ବିଡିଏ। ବିଦ୍ୟାଳୟର ପ୍ରାୟ ୮ ଏକର ଜାଗାରୁ ୩ ଏକରରୁ ଅଧିକ ଜାଗାକୁ ବିଡିଏ ପାଚେରି ବୁଲାଇ କବ୍‌ଜା କରୁଛି ବୋଲି ଆଜି ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି। ଏନେଇ ସଂଘର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ଦାସ କହିଛନ୍ତି, ୫ ଦିନ ତଳେ ବିଡିଏ ପକ୍ଷରୁ ବିଦ୍ୟାଳୟର ଗେଟ୍ ତାଲା ଭାଙ୍ଗି ପାଚେରି ନିର୍ମାଣ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁମତି ନ ନେଇ ସରକାରୀ ଘୋଷିତ ୮ ଏକର ଜମି ଜୋର ଜବରଦସ୍ତ ଅଧିଗ୍ରହଣ କରିବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ‘ମୋ ସ୍କୁଲ୍’ ଯୋଜନା ମଳିନ ପଡ଼ି ଯାଉଛି ବୋଲି ସେ କହିଛନ୍ତି।

ସେହିଭଳି ୟୁନିଟ୍-୬ ଆଥ୍‌ଲେଟିକ୍ ଆସୋସିଏସନ୍ ମଧ୍ୟ ବିଡିଏର ଏତାଦୃଶ କାର୍ଯ୍ୟକୁ ବିରୋଧ କରି କହିଛି, ରାଜ୍ୟରେ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ଗତ କିଛି ବର୍ଷ ହେବ ପଂଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଖେଳ ପଡ଼ିଆଗୁଡ଼ିକର ଆଧୁନିକୀକରଣ, ଇନ୍‌ଡୋର ହଲ, ସୁଇମିଂ ପୁଲ୍ ନିର୍ମାଣ ସାଙ୍ଗକୁ ଏକାଧିକ ଖେଳରେ କ୍ରୀଡ଼ା ଛାତ୍ରାବାସ,ଏକାଡେମି, ହାଇ ପରଫରମାନ୍ସ ସେଣ୍ଟର ସ୍ଥାପନ କରାଯାଉଛି। ଏହି ଆଧାରରେ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ଉନ୍ନତୀକରଣ ସହ ଗ୍ୟାଲେରି ନିର୍ମାଣ ମଧ୍ୟ ହୋଇଥିଲା। ୧୯୮୭ ମସିହାରୁ ସ୍ଥାପିତ ୟୁନିଟ୍-୬ ଆଥ୍‌ଲେଟିକ ଆସୋସିଏସନ୍‌ ରାଜ୍ୟରେ ଫୁଟ୍‌ବଲ୍ ଖେଳର ପ୍ରସାର ଓ ଦକ୍ଷତା ବିକାଶ ପାଇଁ ବର୍ଷସାରା ତାଲିମ କାର୍ଯ୍ୟକ୍ରମ ସାଙ୍ଗକୁ ଭୁବନେଶ୍ୱର ଆନ୍ତଃ ସ୍କୁଲ, ବିଜୁ ପଟ୍ଟନାୟକ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟ୍‌ବଲ୍ ପ୍ରତିଯୋଗିତା, ଟାଟା-ଉତ୍କଳିକା ସର୍ବଭାରତୀୟ ଫୁଟ୍‌ବଲ୍ ପ୍ରତିଯୋଗିତା ଆଦି ଆୟୋଜନ କରିଆସୁଛି। ମାତ୍ର ସ୍ଥାନୀୟ ଅଞ୍ଚଳରେ ସାଧାରଣ ପିଲାଙ୍କ ପାଇଁ ଥିବା ଏହି ପଡ଼ିଆକୁ ବର୍ତ୍ତମାନ ବିକାଶ ନାଁ’ରେ ସଙ୍କୁଚିତ କରାଯାଉଛି। ତେବେ ଏଭଳି ବେଆଇନ କାର୍ଯ୍ୟରୁ ଯଦି ବିଡିଏ କର୍ତ୍ତୃପକ୍ଷ ନିବୃତ୍ତ ନ ରୁହନ୍ତି, ତା’ ହେଲେ ଦୃଢ଼ ବିରୋଧ କରାଯାଇ ଆନ୍ଦୋଳନ କରାଯିବ ବୋଲି ଛାତ୍ର ସଂଘ ଓ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବେଆଇନ କାମକୁ ବିରୋଧ କରି ସ୍ଥାନୀୟ ଲୋକ ନିର୍ମାଣ କରିବାକୁ ଆସିଥିବା ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା କି କାମ ସ୍ଥଗିତ ହୋଇନଥିଲା। ଫଳରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ, ୟୁନିଟ୍-୬ ଆଥ୍‌ଲେଟିକ୍ ଆସୋସିଏସନ୍ ବିଦ୍ୟାଳୟର ଅଭିଭାବକ କମିଟି ଓ ସ୍ଥାନୀୟ ବାସିନ୍ଦାମାନେ ମିଳିତ ଭାବେ ବେଆଇନ ଜାଗା କବ୍‌ଜାକୁ ବିରୋଧ କରିଥିଲେ। ଏହାପରେ ଘଟଣାସ୍ଥଳରେ କ୍ୟାପିଟାଲ୍‌ ଥାନା ପୁଲିସ୍ ପହଞ୍ଚି ସରକାରୀ କାମରେ ଦଖଲ କଲେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର