ବିଏମ୍‌ସି ପ୍ଲାନିଂ ସେକ୍ସନରେ ଲାଞ୍ଚ କାରବାର ଅଭିଯୋଗ: କର୍ପୋରେଟର-କର୍ମଚାରୀ ମୁହାଁମୁହିଁ

ଭୁବନେଶ୍ବର : ବିଏମ୍‌ସି ପ୍ଲାନିଂ ସେକ୍ସନରେ ଆଜି ଲାଞ୍ଚ କାରବାର ଅଭିଯୋଗକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସଂଗିନ୍ ଅଭିଯୋଗ ପାଇଁ ବରିଷ୍ଠ କର୍ପୋରେଟର ଓ ପ୍ଲାନିଂ ମେମ୍ବର ମୁହାଁମୁହିଁ ହୋଇଥିଲେ। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଦୀର୍ଘ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ଅଭିଯୋଗ ମେୟର ଓ କମିସନରଙ୍କ ପାଖରେ ପହଞ୍ଚିଛି। ଗୁରୁବାର ସାରା ଦିନ ବିଏମ୍‌ସିରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଜଣେ ହିତାଧିକାରୀ ଗୁରୁବାର ଦିନ ନିଜ ଘର ପାଇଁ ଆବଶ୍ୟକ ହେଉଥିବା ଏନ୍‌ଓସି ନେବାକୁ ପ୍ଲାନିଂ ସେକ୍ସନ ଆସିଥିଲେ। ସେଠାରେ ସେ ହତାଶ ହେବା ପରେ ଜଣେ ବରିଷ୍ଠ କର୍ପୋରେଟର ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ସମ୍ପୃକ୍ତ କର୍ପୋରେଟର ତାଙ୍କୁ ଏନ୍‌ଓସି ପ୍ରଦାନ କରିବା ପାଇଁ ପ୍ଲାନିଂ ମେମ୍ବରଙ୍କୁ କହିଥିଲେ। ହେଲେ ଏଥିପାଇଁ ୫ ଲକ୍ଷ ଟଙ୍କା ଲାଗିବ ବୋଲି ସିଟି ପ୍ଲାନର କହିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ହୋ’ ହଲ୍ଲା ହୋଇଥିଲା। ସେଠାରେ ଉପସ୍ଥିତ ଥିବା କେତେକ ହିତାଧିକାରୀ ମଧ୍ୟ ପ୍ଲାନିଂ ସେକ୍ସନରେ ଏଭଳି ଲାଞ୍ଚ କାରବାର ହେଉଥିବା ନେଇ ଅଭିଯୋଗ କରିଥିଲେ। ଫଳରେ ଏହି ହଟ୍ଟଗୋଳ ତୀବ୍ର ରୂପ ନେଇଥିଲା। ଶେଷରେ ଅଭିଯୋଗ ମେୟର ଓ କମିସନରଙ୍କ ପାଖରେ ପହଞ୍ଚିବା ପରେ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରାଯାଇଛି। ଲାଞ୍ଚ କାରବ‌ାର ନେଇ ଏକାଧିକ ହିତାଧିକାରୀ ଅଭିଯୋଗ କରିଛନ୍ତି। ଯଦିଓ ଏ ବାବଦରେ କର୍ତ୍ତୃପକ୍ଷଙ୍କର ମତ ମିଳିପାରିନାହିଁ, ତଥାପି କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଗୁରୁତ୍ବର ସହ ନେଇଛନ୍ତି।

ସମ୍ବନ୍ଧିତ ଖବର