ଉଠାଜଳସେଚନ କନିଷ୍ଠ ଯନ୍ତ୍ରୀ ଚାକିରିରେ ଦୁର୍ନୀତି ଅଭିଯୋଗ, ମନୋନୀତ ତାଲିକାରେ ଥାଇ ବି ନିଯୁକ୍ତିରୁ ବଞ୍ଚିତ

ବିନା ଇଣ୍ଟରଭ୍ୟୁରେ ଚାକିରି ପାଇଥିଲେ ୨ ଜଣ, ଆର୍‌ଟିଆଇ ତଥ୍ୟରୁ ମିଳିଲା ଦୁର୍ନୀତିର ପ୍ରମାଣ

ଭୁବନେଶ୍ବର: ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତିର ପେଡ଼ି ଧୀରେଧୀରେ ଖୋଲିବାରେ ଲାଗିଛି। ୮ ବର୍ଷ ତଳେ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପାଇଁ ହୋଇଥିବା ପରୀକ୍ଷାରେ ବି ଜାଲିଆତି ହୋଇଥିବା ଅଭିଯୋଗ ଆସିଛି। ୨୦୧୩ ମସିହାରେ ଉଠା ଜଳସେଚନର କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଁ ୩୫ଟି ପଦ ବାହାରିଥିଲା। ରାକେଶ କୁମାର ସ୍ବାଇଁ ନାମକ ଜଣେ ଯୁବକ ଏଥିପାଇଁ ମନୋନୀତ ହୋଇଥିଲେ ଏବଂ ତାଲିକାରେ ତାଙ୍କ ନାମ ୧୩ ନମ୍ବରରେ ରହିଥିଲା। ହେଲେ ଚଞ୍ଚକତା କରି ତାଙ୍କ ନାଁକୁ ଏହି ମନୋନୀତ ତାଲିକାରୁ କାଟି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ରାକେଶଙ୍କ ଅଭିଯୋଗ ମୁତାବକ, ପ୍ରାଥମିକ ପର୍ଯ୍ୟାୟରେ ୨୦ ଜଣ ପିଲାଙ୍କୁ ଚାକିରି ପାଇଁ ଚୟନ କରାଯାଇଥିଲା। ଏହି ତାଲିକାରେ ସେ ୧୩ ନମ୍ବର ସ୍ଥାନରେ ଥିବା ସତ୍ତ୍ବେ ସେ ୨୭ ନମ୍ବରରେ ଥିବା କହି ତାଙ୍କୁ ପ୍ରଥମେ ଚାକିରି ଦିଆଗଲା ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ ଖାଲି ଥିବା ୧୫ଟି ପଦ ପାଇଁ ନିଯୁକ୍ତିରେ ତାଙ୍କୁ ମନୋନୀତ କରାଯିବ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଇଥିଲା। ହେଲେ କର୍ତ୍ତୃପକ୍ଷ ଏହା କଲେ ନାହିଁ। ଏ ନେଇ ସେ ହାଇକୋର୍ଟର ଦ୍ବାରସ୍ଥ ହେବାରୁ ୨୦୧୭ରେ ତାଙ୍କୁ ଚାକିରି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ। ହେଲେ ମନୋନୀତ ତାଲିକା ବର୍ଷ ପରେ ଆଉ ବିଚାରକୁ ନିଆଯାଏ ନାହିଁ ବୋଲି ଯୁକ୍ତବାଢ଼ି ତାଙ୍କୁ ଚାକିରିରୁ ବଞ୍ଚିତ କରାଗଲା ବୋଲି ସେ କହିଛନ୍ତି। ବଡ଼ କଥା ହେଉଛି, ଏହାପରେ ରାକେଶ ଆର୍‌ଟିଆଇରେ ଆବେଦନ କରି ନିଯୁକ୍ତି ପ୍ରଦାନରେ ହୋଇଥିବା ଦୁର୍ନୀତି ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ପାଇଥିବା କହିଛନ୍ତି। ୨୦୧୩ରେ ଉଠାଜଳସେଚନର କନିଷ୍ଠ ଯନ୍ତ୍ରୀ ପଦରେ ଯେଉଁ ୨୦ଜଣ ନିଯୁକ୍ତି ପାଇଛନ୍ତି, ସେଥିମଧ୍ୟରୁ ୧୮ଜଣ ସେମାନଙ୍କର ମାର୍କ ଓ ଇଣ୍ଟରଭ୍ୟୁ ଆଧାରରେ ଚାକିରି ପାଇଥିବା ବେଳେ ୨ଜଣ ବିନା ଇଣ୍ଟରଭ୍ୟୁରେ ଏବଂ ସେମାନଙ୍କ ମାର୍କକୁ ବିଚାରକୁ ନିଆନଯାଇ ଚାକିରି ଦିଆଯାଇଛି ବୋଲି ରାକେଶ କହିଛନ୍ତି। ଆର୍‌ଟିଆଇରେ ସମସ୍ତ ତଥ୍ୟ ପାଇବା ପରେ ସେ ୨୦୧୯ରେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ମାତ୍ର ଏବେ ବି ତ‌ାଙ୍କୁ ନ୍ୟାୟ ମିଳିନି।

ଗଣମାଧ୍ୟମ ଆଗରେ ଆର୍‌ଟିଆଇ ତଥ୍ୟ ଉପସ୍ଥାପନ କରି ରାକେଶ କହିଛନ୍ତି; ଇଣ୍ଟରଭ୍ୟୁ ସମୟରେ ତାଙ୍କୁ ଦିଆଯାଇଥିବା ମାର୍କକୁ ବାରମ୍ବାର କଟାଯାଇ ଅଦଳବଦଳ କରାଯାଇଥିବା ଦେଖିବାକୁ ମିଳିଛି। ମାର୍କ ଦେଇଥିବା ଅଧିକାରୀଙ୍କୁ ଘଟଣା ସଂପର୍କରେ ପଚାରିବାରୁ ସେ ରାକେଶଙ୍କୁ ଥରେ ମାର୍କ ଦେଇଥିଲେ ଏବଂ ସେଥିରେ କିଛି ଅଦଳବଦଳ କରିନଥିଲେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଏତେ ସବୁ ତଥ୍ୟ ପ୍ରମାଣ ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜଳସେଚନ ବିଭାଗର ସଚିବଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ରାକେଶ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଉପରେ ପ୍ରଶ୍ନ ଛିଡ଼ା କରିଛନ୍ତି।

ସମ୍ବନ୍ଧିତ ଖବର