ପଜିଟିଭ୍‌ ନାଁରେ ଘରୋଇ ହସ୍ପିଟାଲରେ ଶୋଷଣ ଅଭିଯୋଗ: ୩ଦିନ ପରେ କ୍ୟାପିଟାଲ ହସ୍ପିଟାଲ ରିପୋର୍ଟ ଆସିଲା ‌ନେଗେଟିଭ୍

ଭୁବନେଶ୍ବର : ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ପାଇଁ ଯାଇଥିବା ଜଣେ ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ପୂର୍ବରୁ ରୋଗୀଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ମାତ୍ର କୋଭିଡ୍‌ ହସ୍ପିଟାଲରେ ଭର୍ତି ହେବା ଲାଗି ତାଙ୍କୁ କର୍ତ୍ତୃପକ୍ଷ ୨୫ ହଜାର ଟଙ୍କା ମାଗିଥି‌ଲ‌ଲେ। ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ହସ୍ପିଟାଲରୁ ବାହାର କରି ଦିଆଯାଇଥିଲା। ଏହାପରେ ରୋଗୀଜଣକ କ୍ୟାପିଟାଲ ହସ୍ପିଟାଲରେ ନିଜର କରୋନା ପରୀକ୍ଷା କରାଇଥିବା ବେଳେ ତାହା ନେଗେଟିଭ୍ ଆସିଥିଲା।

ସୂଚନାନୁଯାୟୀ, ରାଜଧାନୀ ବାସିନ୍ଦା ମଳୟ ଦାଶ ଗତ ୩୧ ତାରିଖରେ ନିଜର ଷ୍ଟୋନ୍‌ ଅସ୍ତ୍ରୋପଚାର ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। କୋଭିଡ ପରୀକ୍ଷା ପରେ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିଲେ। ରାତି ୧୧ଟାରେ ନର୍ସ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା କହିଥିଲେ। କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ତୁରନ୍ତ ୨୫ହଜାର ଟଙ୍କା ଦେବାକୁ ହେବ। ପାଖରେ ଥିବା ମଳୟଙ୍କ ମା’ ହୋମ୍ ଆଇସୋଲେସନ୍‌ରେ ରହିବା ଲାଗି କହିବାରୁ ତାଙ୍କୁ ରାତି ୧୨ଟାରେ ହସ୍ପିଟାଲରୁ ବାହାର କରି ଦିଆଗଲା। ସେହିପରି ଆମ୍ବୁଲାନ୍‌ସରେ ଧଉଳି ପର୍ଯ୍ୟନ୍ତ ଆସିବା ଲାଗି ୫ ହଜାର ଟଙ୍କା ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ସେ ଏହାର ୩ଦିନ ପରେ କ୍ୟାପିଟାଲ ହସ୍ପିଟାଲରେ ନିଜର ଆରଟି-ପିସିଆର ନମୁନା ପରୀକ୍ଷା କରିଥିବା ବେଳେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା।

ସମ୍ବନ୍ଧିତ ଖବର