ଭୁବନେଶ୍ବର: ଲୋକମାନଙ୍କ ଠାରୁ ଟଙ୍କା ନେଇ କ୍ୟାବିନ୍‌ ପକାଇବାକୁ ସୁଯୋଗ ଦେଉଛନ୍ତି ସ୍ବଚ୍ଛସାଥୀ ବୋଲି ଜଣେ କର୍ପୋରେଟର ଅଭିଯୋଗ କରିବା ପରେ ତନାଘନା ହୋଇଛି। ୩୪ ନମ୍ବର ୱାର୍ଡରେ ଜଣେ ସ୍ବଚ୍ଛ ସୁପରଭାଇଜରଙ୍କ ଚାକିରି ଯାଇଥିବାବେଳେ ସ୍ବଚ୍ଛସାଥୀଙ୍କ ବିରୋଧରେ ଥିବା ଏହି ସାଂଘାତିକ ଅଭିଯୋଗର ତଦନ୍ତ ଚାଲିଛି। ଅନ୍ୟପଟେ ଜୋନ୍‌ରେ ଥିବା ଉଚ୍ଛେଦକାରୀ ଦଳ ହାତଗୁଞ୍ଜା ନେଇ କେଉଁଠି କ୍ୟାବିନ୍‌ ଉଚ୍ଛେଦ କରୁଛନ୍ତି ତ କେଉଁଠି ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ରାସ୍ତାକଡ଼ରେ ଏକାଧିକ ବେଆଇନ କ୍ୟାବିନ୍‌ ବର୍ଷ ବର୍ଷ ଧରି ପଡ଼ି ରହିଥିବାବେଳେ ସେମାନେ ଜଣେ କ୍ୟାନ୍‌ସର ରୋଗୀଙ୍କ ଠେଲାଗାଡ଼ି ଭାଙ୍ଗିଦେବା ସହ ସମସ୍ତ ଜିନିଷପତ୍ର ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି।

Advertisment

ଗତ ଜାନୁଆରି ମାସ କର୍ପୋରେସନ ‌ବୈଠକରେ ୩୪ ନମ୍ବର ୱାର୍ଡର କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ ଅଭିଯୋଗ କରିଥିଲେ ଯେ ତାଙ୍କ ୱାର୍ଡରେ କାର୍ଯ୍ୟରତ ସ୍ବଚ୍ଛସାଥୀମାନେ ଲୋକଙ୍କ ଠାରୁ ଟଙ୍କା ନେଇ କ୍ୟାବିନ୍‌ ପକାଇବାକୁ ଅନୁମତି ଦେଉଛନ୍ତି। ଏଭଳି ଅଭିଯୋଗ ପରେ ଏହି ୱାର୍ଡରେ ସ୍ବଚ୍ଛସାଥୀମାନଙ୍କର ଦୈନନ୍ଦିନ କାର୍ଯ୍ୟ କଣ ଓ ସେମାନଙ୍କର ପ୍ରଦର୍ଶନ କିଭଳି, ଏହା ତଦନ୍ତ କରିବା ପାଇଁ ଦକ୍ଷିଣପୂର୍ବ ଜୋନ୍‌ ଜେଡ୍‌ଡିସିଙ୍କୁ ଦାୟିତ୍ବ ଦିଆଯାଇଥିଲା। ତଦନ୍ତ ବେଳେ ସ୍ବଚ୍ଛ ସୁପରଭାଇଜରଙ୍କ ପ୍ରଦର୍ଶନ ଖରାପ ଥିବା ସହ ତାଙ୍କ ବିରୋଧରେ ଆସିଥିବା ଏକାଧିକ ଅଭିଯୋଗର ପ୍ରମାଣ ମିଳିଥିଲା। ଏଣୁ ଜେଡ୍‌ଡିସିଙ୍କ ରିପୋର୍ଟ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଥିଲା। ସେ କାମ କରୁଥିବା ଏନ୍‌ଜିଓକୁ ଚିଠି (ଚିଠ ସଂଖ୍ୟା.୯୪୮୧/୨୨.୨.୨୪)ଜରିଆରେ ଏ ବିଷୟରେ ଅବଗତ କରାଯାଇଥିବା ବିଏମ୍‌ସି କହିଛି। ଏବେ ସ୍ବଚ୍ଛସାଥୀଙ୍କ ବିରୋଧରେ ତଦନ୍ତ ଚାଲିଛି। ତଦନ୍ତରେ ପ୍ରମାଣ ମିଳିଲେ ତାଙ୍କୁ ସେବାରୁ ବହିଷ୍କାର କରାଯିବ ବୋଲି ବିଏମ୍‌ସି କହୁଛି।

ସେହିଭଳି ଉଚ୍ଛେଦକାରୀ ଦଳ ହାତଗୁଞ୍ଜା ନେଇ ବାଛିବାଛି ବେଆଇନ ଉଠା ଦୋକାନୀ ଓ କ୍ୟାବିନ୍‌ ଉଚ୍ଛେଦ କରୁଥିବା ଓ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଗତକାଲି ରବି ଟକିଜ୍‌ ରୋଡ୍‌ରେ ଅଭାବନୀୟ ଘଟଣା ଘଟିଛି। ମାଳମାଳ ‌କ୍ୟାବିନ୍‌ ରାସ୍ତାକଡ଼ରେ ପଡ଼ିଥିବା ବେଳେ କ୍ୟାନ୍‌ସର ପିଡ଼ିତା ରୋଗୀଙ୍କ ପରିବାରର ଉଠା ଦୋକାନକୁ ଦକ୍ଷିଣପୂର୍ବ ଜୋନ୍‌ର ଉଚ୍ଛେଦକାରୀ ଦଳ ଭାଙ୍ଗି ଦେଇଛନ୍ତି। ଏହା ସହିତ ୪ଟି ଉଠ‌ା ଦୋକାନୀ ଉଚ୍ଛେଦ କରିଛନ୍ତି। ଅଜୟ କୁମାର ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ଙ୍କୁ କ୍ୟାନ୍‌ସର। ଦୋକାନ ବନ୍ଦ ଥିବାବେଳେ ଉଚ୍ଛେଦକାରୀମାନେ ଡ୍ରୋଜର ଚଢ଼ାଇ ଭାଙ୍ଗି ଦେଇଛନ୍ତି। ଦୋକାନରେ ଥିବା ସବୁ ଜିନିଷପତ୍ର ନଷ୍ଟ ହୋଇଯାଇଛି। ଉଚ୍ଛେଦର ଶିକାର ହୋଇଥିବା ଅନ୍ୟ ବ୍ୟବସାୟୀ ରବି ସାହୁ, ନାରାୟଣ ସାହୁ ଓ ରବି ନାରାୟଣ ପାଢ଼ୀ ଅଭିଯୋଗ କରିଛନ୍ତି ଯେ ସେମାନେ ହାତଗୁଞ୍ଜା ନେଇ ନିର୍ଦ୍ଦିଷ୍ଟ କିଛି ଉଠାଦୋକାନକୁ ସୁରକ୍ଷା ଦେଉଛନ୍ତି। ଉଚ୍ଛେଦକାରୀ ଦଳରେ ଥିବା ପ୍ରମୋଦ ଜେନାଙ୍କ ନାମରେ ଏଭଳି ଅଭିଯୋଗ ହେବା ପରେ ତାଙ୍କୁ ଉତ୍ତର ଜୋନ୍‌ରୁ ବଦଳି କରାଯାଇଛି। ‌ଏ ନେଇ କର୍ପୋରେଟର ନୃପେଶ ନାୟକ କହିଛନ୍ତି, ‘‘ପୂର୍ବରୁ ମୁଁ ଏଭଳି ଅନେକ ଅଭିଯୋଗ ପାଇଛି। ବିଭିନ୍ନ ୱାର୍ଡରୁ ଏଭଳି ଅଭିଯୋଗ ଆସିବା ପରେ କର୍ପୋରେସନ ବୈଠକରେ ଏ ନେଇ ମାନସମନ୍ଥନ ମଧ୍ୟ ହୋଇଛି। ଉଚ୍ଛେଦ ପୂର୍ବରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଏ ନେଇ ଅବଗତ କରାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ହାତଗୁଞ୍ଜା କାରବାର ଚାଲୁଥିବାରୁ କୌଣସି ଉଚ୍ଛେଦକାରୀ ଦଳ ଜନପ୍ରତିନିଧିଙ୍କୁ ଅବଗତ କରାଉନାହନ୍ତି।’’ ବିଏମ୍‌ସି କହିଛି, ଏଭଳି ଅଭିଯୋଗ ଉପରେ ତଦନ୍ତ ହେଉଛି।