ଭୁବନେଶ୍ୱର : କାନ୍ଧ ଅସ୍ତ୍ରୋପଚାର ବେଳେ ଜଣେ ନାବାଳକର ମୃତ୍ୟୁକୁ ନେଇ ଆଜି ଅପରାହ୍ଣରେ ନୂଆପଲ୍ଲୀସ୍ଥିତ ଉସ୍ତି ହସ୍ପିଟାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାରଲୋକ ହସ୍ପିଟାଲରେ ହୋହଲ୍ଲା କରିଥିଲେ। ଉତ୍ତେଜନା ବଢ଼ିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସ୍କୁ ଖବର ଦେଇଥିଲେ। ନୂଆପଲ୍ଲୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ହସ୍ପିଟାଲରେ ପୁଲିସ୍ ମୁତୟନ ହୋଇଛି।
ପୁଲିସ୍ ସୂଚନାନୁଯାୟୀ, ମୃତ ନାବାଳକ ହେଲା, ଖଣ୍ଡଗିରି ଥାନା ଭରତପୁରର ବସନ୍ତ ପଣ୍ଡାଙ୍କ ପୁଅ ଶୁଭମ୍ ପଣ୍ଡା (୧୩)। ଗତ ୧୭ ତାରିଖରେ ଏକ ଦୁର୍ଘଟଣାରେ ତା’ର କାନ୍ଧ ହାଡ଼ ଭାଙ୍ଗି ଯାଇଥିଲା। ଭଲ ନ ହେବାରୁ ଗତକାଲି ପରିବାରଲୋକ ତାକୁ ଉସ୍ତି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରୀକ୍ଷାନିରୀକ୍ଷା ପରେ କାନ୍ଧରେ ପ୍ଲେଟ୍ ଲାଗିବା ପାଇଁ ଅପରେସନ୍ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଆଜି ଅପରାହ୍ଣରେ ସେ ଅପରେସନ୍ ଥିଏଟରକୁ ଯାଇଥିଲା। ହେଲେ ମାତ୍ର ଅଧଘଣ୍ଟାଏ ଭିତରେ ତା’ର ମୃତ୍ୟୁ ହୋଇଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଏନେଇ ଶୁଭମ୍ର ବାପା ବସନ୍ତ ନୂଆପଲ୍ଲୀ ଥାନାରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି।
ଅପରପକ୍ଷେ ଏ ସଂପର୍କରେ ହସ୍ପିଟାଲର ସୁପରିନ୍ଟେଣ୍ଡେଣ୍ଟ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଅପରେସନ୍ ପୂର୍ବରୁ କରାଯାଇଥିବା ବିଭିନ୍ନ ପରୀକ୍ଷାରେ ତାଙ୍କର ସବୁ ଠିକ୍ ଥିଲା। କିନ୍ତୁ ଚିକିତ୍ସା ଅବହେଳା ନେଇ ମୃତ୍ୟୁ ହୋଇଥିଲେ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/private-hospital-tension.jpg)