ଜାଗା ମିସନ୍‌ରେ ପ୍ରିୟାପ୍ରୀତି ଅଭିଯୋଗ: ବିଏମ୍‌ସି ଅଫିସ ଘେରିଲା ବିଜେପି

ଅଧିକାରୀ ହାତଗୁଞ୍ଜା ନେଇ ଦଳୀୟ ଲୋକଙ୍କୁ ତାଲିକାଭୁକ୍ତ କରୁଛନ୍ତି: ବାବୁ ସିଂ

ଭୁବନେଶ୍ୱର: ଜାଗା ମିସନ୍‌ରେ ରାଜ୍ୟ ସରକାର ୫୦ ହଜାର ଜମି ଅଧିକାର ପ୍ରମାଣପତ୍ର ବାଣ୍ଟିବାକୁ ଯାଉଛନ୍ତି। ଏହି ତାରିଖ ଯେତିକି ପାଖେଇ ଆସୁଛି ବିଏମ୍‌ସିରେ ଜାଗା ମିସନ୍‌କୁ ବିବାଦ ସେତିକି ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ବିଏମ୍‌ସି ଅଫିସ୍‌ ଘେରାଉ କରିଥିବା ବେଳେ ୱାର୍ଡ ନମ୍ବର ୬୬ର ଶତାଧିକ ବସ୍ତିବାସିନ୍ଦା ମଧ୍ୟ ଅତିରିକ୍ତ କମିସନରଙ୍କୁ ଭେଟିଛନ୍ତି। ଜାଗା ମିସନ ବାବଦକୁ ଆପତ୍ତି କରିବାର ଶେଷ ତାରିଖ ୨୯ ତାରିଖ (ବୁଧବାର) ରହିଥିଲା। ଏହି ଦିନ ଛୁଟି ଥିଲେ ମଧ୍ୟ ଶତାଧିକ ଅଭିଯୋଗ ଆସିଥିଲା। ଏଭଳି ହଜାରରୁ ଊର୍ଦ୍ଧ୍ବ ଲିଖିତ ଅଭିଯୋଗ ବିଏମ୍‌ସିର ଅଭିଯୋଗ ବାକ୍ସରେ ପଡ଼ିଛି। ଗୋଟିଏପଟେ ଲିଖିତ ଅଭିଯୋଗ ଓ ଅନ୍ୟପଟେ ଆନ୍ଦୋଳନ, ବିକ୍ଷୋଭ; ଏବେ ବିଏମ୍‌ସିର ନିଦ ହଜାଇଛି। ଏଣେ ଅଧିକାରୀମାନେ ହାତଗୁଞ୍ଜା ନେଇ ତାଲିକାରୁ ନାଁ କାଟିବା ଯୋଡ଼ିବା ବିଜେପିର ଅଭିଯୋଗ ମଧ୍ୟ ଏହି ପ୍ରସଙ୍ଗକୁ ବିବାଦୀୟ କରିଛି।

ଆଜି ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିଏମ୍‌ସି ଅଫିସ୍‌ ଘେରିଥିଲେ। ଯେଉଁ ସବୁ ଅଯୋଗ୍ୟଙ୍କୁ ହାତଗୁଞ୍ଜା ନେଇ ଯୋଡ଼ିଛ, ଯେଉଁ ଯୋଗ୍ୟମାନଙ୍କୁ ବିଜେଡି ଦଳର ନୁହେଁ ବୋଲି କାଟି ଦେଇଛ, ଏ ସବୁ ଉପରେ ବିଚାର କରି ସ୍ବଚ୍ଛତା ନ ଆଣିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବିଜେପି ଚେତାଇ ଦେଇଛି। ଏହି ମର୍ମରେ କମିସନରଙ୍କୁ ବିଜେପିର ପ୍ରତିନିଧି ଦଳ ସ୍ମାରକପତ୍ର ପ୍ରଦାନ କରିଛି। ପ୍ରାଥମିକ ପର୍ଯ୍ୟାୟରେ ଜମି ଅଧିକାର ପ୍ରମାଣପତ୍ର ବାଣ୍ଟିବା ପୂର୍ବରୁ ଏହାକୁ ସମାଧାନ ନକଲେ ସାରା ସହରରେ ଯେଉଁ ପରିସ୍ଥିତି ହେବ, ସେଥିପାଇଁ ବିଏମ୍‌ସି କମିସନର ଓ ମେୟର ଦାୟୀ ରହିବେ ବୋଲି କହିଛନ୍ତି ସଭାପତି ଶ୍ରୀ ସିଂ। ସେ କହିଛନ୍ତି, ସହରାଞ୍ଚଳରେ ଭୂମିହୀନମାନଙ୍କୁ ଜମି ଅଧିକାର ଦେବାକୁ ରାଜ୍ୟ ସରକାର ଜାଗା ମିସନ କରିଛନ୍ତି। ଏହି ମିସନ ଏବେ ସରକାରୀ ଅଧିକାରୀଙ୍କ ରୋଜଗାରର ମାଧ୍ୟମ ସାଜିଛି। ବସ୍ତିବାସିନ୍ଦା ଏହି ଷଡ୍‌ଯନ୍ତ୍ରର ଶିକାର ହୋଇଛନ୍ତି। ରାଜଧାନୀରେ ୪୩୬ଟି ପଂଜୀକୃତ ବସ୍ତି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨୫ଟି ବସ୍ତିର ସର୍ଭେ କାର୍ଯ୍ୟ ହୋଇଛି। ଶାସକ ବିଜେଡି ପକ୍ଷପାତିତା କରି ଦଳୀୟ ଆଧାରର ସର୍ଭେ କାର୍ଯ୍ୟ କରୁଥିବାରୁ ବହୁ ଯୋଗ୍ୟ ବାସିନ୍ଦା ମିସନ୍‌ରୁ ବଂଚିତ ହେଉଛନ୍ତି। ବିଏମ୍‌ସି ଅଧିକାରୀମାନେ ହାତଗୁଞ୍ଜା ନେଇ ପରିଚିତ ଲୋକଙ୍କୁ ତାଲିକାଭୁକ୍ତ କରୁଛନ୍ତି।

ତାଲିକାରୁ ବଂଚିତ ହୋଇଥିବା ଯୋଗ୍ୟ ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ତୁରନ୍ତ ସର୍ଭେରେ ତାଲିକାଭୁକ୍ତ କରନ୍ତୁ ବୋଲି ସେ କହିଛନ୍ତି। ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି, ଯେଉଁମାନେ ତାଲିକାରୁ ବାଦ୍‌ ପଡ଼ିଛନ୍ତି ସେମାନେ ଯିବେ କୁଆଡ଼େ? ଯେଉଁ ଏସ୍‌ଡିଏମାନେ ହସ୍ତକ୍ଷେପ ସ୍ବଚ୍ଛତାରେ କଣ୍ଟା ହୋଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ? ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବିଜେପି ନେତ୍ରୀ ସୁନିତ ମୁଣ୍ଡ, ବିଏମ୍‌ସି କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଧରିତ୍ରୀ ଜେନା, ଜୀବନ ରାଉତ, ଯଶୋଧରା ପ୍ରଧାନ, ଗୀତାଞ୍ଜଳି ସାହୁ, ଲକ୍ଷ୍ମୀପ୍ରିୟା ପରିଡା, ଜିଲ୍ଲା ବସ୍ତି ମହାସଂଘ ସଭାପତି ଅଞ୍ଜନ ନାଥଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ। ପୂର୍ବାହ୍ନରେ କର୍ମୀମାନେ ବିଜେପି ପାର୍ଟି ଅଫିସ୍‌ରେ ଏକ ଶୋଭାଯାତ୍ରାରେ ଆଜି ବିଏମ୍‌ସି ଅଫିସ୍‌ ଘେରାଉ କରିବା ସହ ଫାଟକ ଚଢ଼ି ଅଫିସ୍‌ ଭିତରେ ପ୍ରବେଶ ଉଦ୍ୟମ କରିଥିଲେ।

ବାଦ୍‌ ପଡ଼ିଥିବା ବସ୍ତିବାସିନ୍ଦା କୁଆଡ଼େ ଯିବେ?

ଏସ୍‌ଡିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ଶାସକ ଦଳ କର୍ପୋରେଟର୍‌ ବି ଘେରିଲେ
ଗୋଟିଏ ପଟେ ବିଜେପି କର୍ମୀମାନେ ବିକ୍ଷୋଭ କରି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅକଳରେ ପକାଇଛନ୍ତି। ଅନ୍ୟପଟେ ଖୋଦ୍ ଶାସକ ଦଳର କର୍ପୋରେଟର୍‌ ମଧ୍ୟ ସର୍ଭେକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଆଜି ୬୬ ନମ୍ବର ୱାର୍ଡ କର୍ପୋରେଟର ଛବି ଦାଶଙ୍କ ନେତୃତ୍ବରେ ଶତାଧିକ ବସ୍ତିବାସିନ୍ଦା ବିଏମ୍‌ସି ଅଫିସ୍‌ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ, ରଘୁନାଥ ନଗରରେ ୩୧୭ଜଣଙ୍କର ଉଷା ସର୍ଭେ ହୋଇଥିଲା। ହେଲେ ୧୧୪ ଜଣଙ୍କର ତାଲିକାରେ ନାଁ ନାହିଁ। ସେହିଭଳି ରହମତ ନଗରରେ ୪୭୪ଜଣଙ୍କର ଉଷା ସର୍ଭେ ହୋଇଥିବା ବେଳେ ୩୨୦ଜଣ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଆଉ ଥରେ ସର୍ଭେ କରି ଏମାନଙ୍କୁ ତୁରନ୍ତ ସାମିଲ କରିବାକୁ ସେ ଦାବି କରିଛନ୍ତି।

ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ସ୍ଥଗିତ

ଭୁବନେଶ୍ବର: ଜାଗା ମିସନ୍‌ ଅଧୀନରେ ଉତ୍କଳ ଦିବସରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ସ୍ଥଗିତ ରଖିଛି ବିଏମ୍‌ସି। ଏଥିପ‌ାଇଁ ପରେ ସୂଚନା ଦିଆଯିବ ବୋଲି ବିଏମ୍‌ସି କହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଏହି ଜମି ଅଧିକାର ପ୍ରମାଣପତ୍ର ବଣ୍ଟା ଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇ ଥିଲା। ଏଥିପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଠିକା ସଂସ୍ଥା ଜରିଆରେ ସର୍ଭେ ହୋଇଥିଲା। ଏଥିରେ ୧୮୯ ବସ୍ତିରୁ ୪୧ ହଜାର ୩୪୮ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସ୍ଲମ୍ ଡେଭଲପମେଣ୍ଟ ଆଣ୍ଡ ରିହାବିଲିଟେସନ୍ କମିଟି ବୈଠକରେ କମିସନର ଏହା ଉପରେ ଗୁରୁତ୍ବ ଦେବା ସହ ସର୍ଭେ କାର୍ଯ୍ୟ ତ୍ବରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଡ୍ରୋନ୍‌ ଉଡାଇବାକୁ ସ୍ବୀକୃତି ନ ମିଳିବାରୁ ଅନେକ ବସ୍ତି ସର୍ଭେରୁ ବାଦ୍‌ ପଡ଼ିଥିଲା। ସୂଚନା ମୁତାବକ, ୨୦୧୧ରେ ହୋଇଥିବା ସର୍ଭେରେ ୪୩୬ଟି ବସ୍ତିକୁ ପଞ୍ଜୀକୃତ କରାଯାଇଥିଲା। ୨୦୨୩ ରେ ସର୍ଭେ ପରେ ପଞ୍ଜିକୃତ ବସ୍ତି ସଂଖ୍ୟା ୪୭୧ରେ ପହଞ୍ଚିଛି। ସେଥିରୁ ଏ ପର୍ଯ୍ୟନ୍ତ ୧୮୯ଟି ବସ୍ତିର ସର୍ଭେ କରାଯାଇଛି।

ସମ୍ବନ୍ଧିତ ଖବର