ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତାକୁ ନେଇ ବିବାଦ ଥମୁନି। ଅଙ୍କାବଙ୍କା ୨୦୦ ଫୁଟିଆ ରାସ୍ତାର ନକ୍ସା ପରିବର୍ତ୍ତନ କରି ସିଧା ନିର୍ମାଣ କରିବାକୁ ସାଲିଆସାହି ବସ୍ତିବାସିନ୍ଦା ଅଡ଼ି ବସିଥିବା ବେଳେ ଏବେ ବସ୍ତିବାସିନ୍ଦାଙ୍କୁ ବୁଦ୍ଧବିହାରରେ ଆବଣ୍ଟନ ହୋଇଥିବା ବାସଗୃହକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଯେଉଁମାନେ ବସ୍ତିରେ ରହୁନାହାନ୍ତି ସେମାନଙ୍କୁ ବୁଦ୍ଧବିହାରରେ ଘର ମିଳିଥିବା ଅଭିଯୋଗ ଆଣିବା ସହ ଘର ବଣ୍ଟନରେ ସ୍ବଚ୍ଛତା ନଥିବା ଅଭିଯୋଗ କରିଛନ୍ତି। ଏପରିକି ଗତକାଲି ସର୍ଭେ କରିବାକୁ ସାଲିଆସାହି ବସ୍ତିକୁ ଆସିଥିବା ବିଏମ୍ସି ଟିମ୍କୁ ବସ୍ତିବାସିନ୍ଦା ପ୍ରବଳ ବିରୋଧ କରିଥିଲେ। ଉଚିତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଘର ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ସେପଟେ ବିଏମ୍ସି ଯାଞ୍ଚ ସମୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏମିତି କିଛି ହିତାଧିକାରୀ ଅଛନ୍ତି ଯେଉଁମାନଙ୍କୁ ବୁଦ୍ଧବିହାରରେ ଘର ଆବଣ୍ଟନ ହୋଇଛି, ମାତ୍ର ସେମାନେ ଏବେ ବି ବସ୍ତିରେ ରହୁଛନ୍ତି। ବୁଦ୍ଧବିହାରରେ ଥିବା ଘରକୁ ଭଡ଼ାରେ ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି। ଆଉ କିଛି ଜଣ ବୁଦ୍ଧବିହାରରେ ରହୁଛନ୍ତି ଏବଂ ବସ୍ତିରେ ଥିବା ଘର ଛାଡ଼ିନାହାନ୍ତି। ଅଧିକାଂଶ ନିଜ ସମ୍ପର୍କୀୟକୁ ଆଣି ବସ୍ତି ଘରେ ରଖିଥିବା ନଜରକୁ ଆସିଛି। ଏଭଳି ଏକାଧିକ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ବିଏମ୍ସି ଘରଗୁଡ଼ିକୁ ଚିହ୍ନଟ କରି ସେଥିରେ ନାଲିଗାର ଟାଣିଛି। ବୁଦ୍ଧବିହାର ଆବାସରେ କେଉଁ ବ୍ଲକ୍ର କେତେ ନମ୍ବର ରୁମ୍ରେ କିଏ ଘର ପାଇଛି ତାହା ଚିହ୍ନଟ କରି ବସ୍ତିରେ ଥିବା ଘରେ ଲେଖାଯାଇଛି। କେତେକ ଘରେ ତାଲା ପଡ଼ିଥିବା ବିଏମ୍ସି ସର୍ଭେ ସମୟରେ ଦେଖିବାକୁ ମିଳିଥିଲା।
ସାଲିଆସାହି ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ
ଘରକୁ ଘର ବୁଲି ହିତାଧିକାରୀ ଚିହ୍ନଟ କଲା ବିଏମ୍ସି
ଆବାସରେ ବାସଗୃହ ପାଇ ବସ୍ତି ଛାଡ଼ୁନାହାନ୍ତି
ସେମାନଙ୍କ ଅଭିଯୋଗ ଅନୁଯାୟୀ ଘର ବଣ୍ଟନରେ ପାତରଅନ୍ତର ହେଉଛି। ଯେଉଁମାନଙ୍କର ଘର ପାଇବାକୁ ଯୋଗ୍ୟତା ନାହିଁ ସେମାନେ ବୁଦ୍ଧବିହାର ଆବାସରେ ଘର ପାଇଛନ୍ତି। ଆଉ ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କୁ ଘର ମିଳି ନାହିଁ। ପ୍ରଥମ ପର୍ଯ୍ୟାୟରେ ୧୭୬ ପରିବାରକୁ ଘର ଆବଣ୍ଟନ ହୋଇଛି। ସେଥିମଧ୍ୟରୁ ମାତ୍ର ୬୦ରୁ ୬୫ ଜଣ ପ୍ରକୃତ ହିତାଧିକାରୀ, ଯେଉଁମାନେ ଆଦିବାସୀ ଗାଁରେ ରହୁଛନ୍ତି। ବାକି ଶତାଧିକ ପରିବାର ବାହାରୁ ପାଇଛନ୍ତି। କେତେଜଣ ସରକାରୀ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିବିଶେଷ ନିଜ ସମ୍ପର୍କୀୟଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦେଇଛନ୍ତି। ଚିହ୍ନଟ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସେମାନେ କହିଛନ୍ତି। ଏଥିସହ ଘର ପାଇବାକୁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରାଯାଉ। ଯଦି ବିଏମ୍ସି ସମସ୍ତ ହିତାଧିକାରୀଙ୍କ ତାଲିକା ପ୍ରକାଶ ନ କରେ ତେବେ ବିଏମ୍ସି କାର୍ଯ୍ୟାଳୟ ଘେରଉ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଆଜି ରାତିରେ ବସ୍ତିବାସିନ୍ଦାଙ୍କ ଏକ ବୈଠକରେ ବିଏମ୍ସି ସର୍ଭେ ନାମରେ ବସ୍ତିବାସିନ୍ଦାଙ୍କୁ ବାରମ୍ବାର ହଇରାଣ କରିବା ବନ୍ଦ କରିବାକୁ ଦାବି ହୋଇଛି।
ଯୋଜନା ଅନୁଯାୟୀ ସାଲିଆସାହିରେ ରାସ୍ତା ଯିବାକୁ ଥିବା ଅଞ୍ଚଳରେ ପ୍ରଭାବିତ ପରିବାରଙ୍କୁ ଆବାସ ଗୃହରେ ଥଇଥାନ କରାଯିବ। ପର୍ଯ୍ୟାୟକ୍ରମେ ସେମାନଙ୍କୁ ବୁଦ୍ଧବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ। ହାତିଆଶୁଣୀ ପଡ଼ିଆ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ବୁଦ୍ଧବିହାରକୁ ଯିବେ। ରାସ୍ତା କାମ ଯେତେ ଆଗେଇବ ସେହି ଅନୁଯାୟୀ ଅନ୍ୟ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ। ବୁଦ୍ଧବିହାରରେ ଘରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି। ବିଭିନ୍ନ ବ୍ଲକ୍କୁ ରାସ୍ତା ନିର୍ମାଣ ସହ ଆପାର୍ଟମେଣ୍ଟକୁ ପାନୀୟ ଜଳ ଓ ବିଜୁଳି ସଂଯୋଗ ହୋଇଥିବା ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି।