ବାଲିଅନ୍ତା: ବାଲିଅନ୍ତା ତହସିଲ ଅଧୀନ ଭାର୍ଗବୀ ନଦୀର ଝିଣ୍ଟିଶାସନ ନିଲାମ ଘାଟରୁ ବେଆଇନ ଭାବେ ବାଲିଉଠାଣ ହେଉଥିବା ଅଭିଯୋଗ ହେଉଛି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତେଜୁଛି। ପଞ୍ଚାୟତ ପକ୍ଷରୁ ଉକ୍ତ ବାଲିଘାଟ ବନ୍ଦ କରାଯିବା ନେଇ ନିମାପଡ଼ାସ୍ଥିତ ଜଳ‌ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଖଣି ବିଭାଗ, ଜିଲ୍ଲାପାଳ, ରାଜସ୍ବ ମନ୍ତ୍ରୀ ଓ ସାଂସଦଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏପରିକି ଗତ ୪ ତାରିଖରେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। 
ଅଭିଯୋଗ ଅନୁସାରେ, ଏଠାରୁ ରାତି ତମାମ ବାଲି ଖନନ କରାଯାଉଥିବା ବେଳେ ଗଣ୍ଡ ମୁହଁରେ ବନ୍ଧ ପକାଇ ପାଣି ଅଟକାଯାଉଛି। ଅନେକ ସଂଖ୍ୟାରେ ବାଲି ବୋଝେଇ ହାଇୱା ଚଳାଚଳ କରାଯିବା ଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା, ଛାତ୍ରଛାତ୍ରୀମାନେ ବିପଦଜନକ ଭାବେ ଯାତାୟାତ କରିବା, ନଦୀପାଣି ବନ୍ଧ ପକାଇ ରଖାଯିବା ଦ୍ବାରା ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଦି କାରଣ ଦର୍ଶାଇ ଲୋକେ ବାଲିଘାଟ ବନ୍ଦ କରିବାକୁ ଦାବି କରିଛନ୍ତି। ଏପରିକି ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ପାଇବା ପରେ ବାଲିଘାଟ ବୁଲିବା ସହ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। 
ମିଳିଥିବା ସୂଚନା ଅନୁସାରେ ଝିଣ୍ଟିଶାସନ ଘାଟରେ ୧୨ ଏକର ପରିମିତ ଅଞ୍ଚଳକୁ ନିଲାମ ଦିଆଯାଇଛି। ଏଥିସହିତ ସର୍ବାଧିକ ୯ ଫୁଟ ଗଭୀର ପର୍ଯ୍ୟନ୍ତ ବାଲି ତାଡ଼ିବା ନେଇ ନିୟମ ରହିଛି। ହେଲେ ନିଲାମଧାରୀ ଏହାର ଦୁଇଗୁଣା ଅଞ୍ଚଳରୁ ବାଲି ତାଡ଼ୁଥିଲା ବେଳେ ଅଧିକ ଉତ୍ତୋଳନ କରି ଗଣ୍ଡ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଖୋର୍ଦ୍ଧା ଜିଲ୍ଲା ଖଣି ଅଧିକାରୀ ଜଗନ କୁମାର ବେହେରା କହିଛନ୍ତି, ସୀମା ଚିହ୍ନଟ ନେଇ ତହସିଲଦାରଙ୍କ ଉପସ୍ଥିତିରେ ପିଲର ପୋଷ୍ଟିଂ କରାଯିବ। ତହସିଲଦାର ବିମଳ କୁମାର ଲେଙ୍କା କହିଛନ୍ତି, ବାଲିଘାଟ ଚାଲିବା ପୂର୍ବରୁ ପିଲାର ପୋଷ୍ଟିଂ କରାଯାଇ ମଡ଼ାଣ ଦିଆଯିବା କଥା। ଖଣି ବିଭାଗ ଚିଠିକଲେ ମାପଚୂପ କରାଯିବ।