ମୃତ ରୋଗୀଙ୍କୁ ଚିକିତ୍ସା କରି ଟଙ୍କା ଲୁଟ୍‌ ଅଭିଯୋଗ : ଆକ୍ରାନ୍ତଙ୍କୁ ଜବରଦସ୍ତ ରଖିଲେ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ସଂପୃକ୍ତ ରୋଗୀଜଣକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମଧ୍ୟ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରା ନଯିବା ଓ ଘରୋଇ ହସ୍ପିଟାଲରେ ଚିକିତ୍ସାରେ ଅବହେଳା କରାଯାଇଥିବା ତାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି। ଏପରିକି ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲେ ହେଁ ତାଙ୍କର ଚିକିତ୍ସା ଚାଲିଛି କହି ଏ ବାବଦ ଟଙ୍କା ପଇଠ କରିବା ପାଇଁ ବାଧ୍ୟ କରାଯାଇଥିଲା। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ୬୨ ବର୍ଷର ଜଣେ ବ୍ୟକ୍ତି ଗତ ମାସ ୨୭ ତାରିଖ ଦିନ ଶ୍ବାସକ୍ରିୟରେ ସମସ୍ୟା ପାଇଁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ସେହିଦିନ ସଂପୃକ୍ତ ରୋଗୀଙ୍କର ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯାଇଥିଲା ଓ ତାହା ନେଗେଟିଭ୍ ରହିଥିଲା। ‌ତେବେ ୨୯ ତାରିଖରେ ଆରଟିପିସିଆରରେ ରୋଗୀଙ୍କ ନମୁନା ପଜିଟିଭ୍ ଆସିଥିଲା। ସଂପୃକ୍ତ ରୋଗୀଜଣକ କରୋନା ସଂକ୍ରମିତ ଜଣାପଡ଼ିବା ପରେ ପରିବାରଲୋକ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ। ହେଲେ ଘରୋଇ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଶୁଣି ନ ଥିଲେ। ପରିବାରଲୋକଙ୍କ ପକ୍ଷରୁ ବିଏମ୍‌ସିକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ବିଏମ୍‌ସି ପକ୍ଷରୁ ଗତ ୧ ତାରିଖରେ ଆମ୍ବୁଲାନ୍‌ସ ଆସିଥିଲେ ହେଁ ହସ୍ପିଟାଲ କର୍ତୃପକ୍ଷ ରୋଗୀଙ୍କୁ ଛାଡ଼ି ନ ଥିଲେ। ଏହି ସମୟରେ ରୋଗୀଙ୍କ ସ୍ଥିତି କିଭଳି ରହିଛି ବୋଲି ପରିବାରଲୋକ ପଚାରିଥିଲେ ହେଁ ହସ୍ପିଟାଲ ପକ୍ଷରୁ କିଛି କୁହାଯାଇ ନଥିଲା। ଚିକିତ୍ସା ପାଇଁ ୫/୬ଦିନ ଭିତ‌ରେ ପରିବାର ଲୋକ ୩ ଲକ୍ଷ ଟଙ୍କା ଜମା କରିଥିଲେ। ଆଜି ଦିନ ୧୧ଟା ସମୟରେ ହସ୍ପିଟାଲ ପକ୍ଷରୁ ରୋଗୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଥିଲା। ଏହାର ଅଧଘଣ୍ଟା ପରେ ‌ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଇଥିଲା। ହେଲେ ଚିକିତ୍ସା ବାବଦ ବଳକା ଟଙ୍କା ଡିପୋଜିଟ୍ କରିବା ଲାଗି କୁହାଯାଇଥିଲା। ତେବେ ସଂପୃକ୍ତ ଘରୋଇ ହସ୍ପିଟାଲ ଏକ ଅଣ-କୋଭିଡ୍‌ ହସ୍ପିଟାଲ ହୋଇଥିଲେ ହେଁ କେଉଁ ପରିସ୍ଥିତିରେ କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଜାରି ରଖିଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପରିବାରଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର