ଗୁରୁତର ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ

ରୋଗୀ କରୋନା ଆକ୍ରାନ୍ତ, ଚିକିତ୍ସା ପାଇଁ ବିଶେଷଜ୍ଞଙ୍କ ସହାୟତା ଜରୁରୀ: ନିର୍ଦେଶକ

ଭୁବନେଶ୍ବର: ଗୁରୁତର ଥିବା ଜଣେ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ରୋଗୀଙ୍କ ‌କରୋନା ରିପୋର୍ଟ ନେଗେଟିଭ୍ ଥିବା ସତ୍ତ୍ବେ ଡାକ୍ତର, ନର୍ସ ଚିକିତ୍ସା କରୁନାହାନ୍ତି। କେବଳ ସାଲାଇନ୍ ଲଗାଇ ଚାଲି ଯାଉଛନ୍ତି। ଧୀରେ ଧୀରେ ରୋଗୀ ଅବସ୍ଥା ଗୁରୁତର ହେବାକୁ ବସିଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ବ୍ୟକ୍ତି ଗତ ୧୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଛୁରାମାଡ଼ ଯୋଗୁଁ ତାଙ୍କର ପେଟରେ କ୍ଷତ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଏମ୍‌ସ ନିଆଯାଇଥିବା ବେଳେ ସେଠାରେ ସେ କୋରାନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୫ତାରିଖରେ ସେ କୋଭିଡ୍‌ ହସ୍ପିଟାଲରୁ ଫେରି କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ତେବେ ହସ୍ପିଟାଲରେ ତାଙ୍କୁ କେବଳ ସାଲାଇନ୍ ଛଡ଼ା ଅନ୍ୟ କୌଣସି ଚିକିତ୍ସା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ରୋଗୀଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍‌ ଥିବା ସତ୍ତ୍ବେ ଚିକିତ୍ସା ଦିଆଯାଉ ନ ଥିବାରୁ ତାଙ୍କ ଅବସ୍ଥା ଶୋଚନୀୟ‌ ହୋଇପଡ଼ିଥିବା ପରିବାର ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ତାଙ୍କର ଆର୍‌ଟି-ପିସିଆର୍‌ରେ କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ସେ ପଜିଟିଭ୍ ଆସିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଯେହେତୁ କ୍ୟାପିଟାଲ ହସ୍ପିଟାଲ ଏକ କୋଭିଡ୍‌ ହସ୍ପିଟାଲ ନୁହେଁ, ତେଣୁ ଆଜି ତାଙ୍କୁ ରାଜଧାନୀର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଏଲ୍‌.ଡି ସାହୁ କହିଛନ୍ତି, ସଂପୃକ୍ତ ରୋଗୀଙ୍କ ପେଟରେ ଛୁରା ମାଡ଼ ଯୋଗୁଁ ସେପଟିକ୍‌ ହୋଇଯାଇଛି। ତାଙ୍କର କୋଭିଡ୍‌ ନମୁନା ପଜିଟିଭ୍ ଆସିଛି। କ୍ୟାପିଟାଲ ଏକ କୋଭିଡ୍‌ ହସ୍ପିଟାଲ ହୋଇ ନ ଥିବା ସତ୍ତ୍ବେ ମାନବିକ ଦୃଷ୍ଟିକୋଣରୁ ତାଙ୍କର ଚିକିତ୍ସା ଚାଲିଛି। ବାରମ୍ବାର ଅନ୍ୟତ୍ର ରେଫର ହେବା ଫଳରେ ରୋଗୀ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କର ଯେଉଁ ଚିକିତ୍ସା ଆବଶ୍ୟକ, ସେଭଳି ବିଶେଷଜ୍ଞ କ୍ୟାପିଟାଲ ହସ୍ପିଟାଲରେ ନାହାନ୍ତି। ତେଣୁ କୋଭିଡ୍‌ ପଜିଟିଭ୍ ହୋଇଥିବା ଦୃଷ୍ଟିରୁ ତାଙ୍କୁ ରାଜଧାନୀର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ସଂପୃକ୍ତ ହସ୍ପିଟାଲ ସହ ଆଲୋଚନା ହୋଇଛି। ରୋଗୀଙ୍କ କୋଭିଡ୍‌ ନମୁନା ନେଗେଟିଭ୍ ରହିଥିବା ପରିବାରଲୋକ ଯେଉଁ ଦାବି କରୁଛନ୍ତି, ତାହା ସତ୍ୟ ନ‌ୁହେଁ। ତାଙ୍କର ଆଣ୍ଟିଜେନ୍‌ରେ ରିପୋର୍ଟ ନେଗେଟିଭ୍ ଆସିଥିଲେ ହେଁ ଆର୍‌ଟି-ପିସିଆର ପଜିଟିଭ୍ ରହିଥିବା ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର