ଭୁବନେଶ୍ବର : କରୋନା ସମୟରେ ସାଧାରଣ ରୋଗୀଙ୍କ ଚିକିତ୍ସାରେ ଯେପରି ଅବହେଳା ନ ହେବ, ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ହେଲେ ଇଏସ୍‌ଆଇ ହସ୍ପିଟାଲରେ ସାଧାରଣ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଥିବା ଜଣେ ରୋଗୀଙ୍କୁ ଅନ୍ୟତ୍ର ରେଫର୍‌ ପାଇଁ ନାକେଦମ୍‌ ହେବାକୁ ପଡ଼ିଛି। ଏଭଳି ପରିସ୍ଥିତିରେ ରାଜଧାନୀ‌ରେ କିଭଳି ରୋଗୀ ସେବା ଚାଲିଛି, ତାହା ଅନୁମାନ କରାଯାଇପାରେ।

Advertisment

ଖଣ୍ଡଗିରି ଜାଗମରା ଅଞ୍ଚଳର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସ୍ବାସ୍ଥାବସ୍ଥା ଖରାପ ଥିବାରୁ ତାଙ୍କ ପରିବାର ଗତ ମଙ୍ଗଳବାର ଇଏସ୍‌ଆଇ ହସ୍ପିଟାଲକୁ ନେଇଥିଲେ। ଆମ୍ବୁଲାନସ ଭଡ଼ା କରି ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରଙ୍କ ଦେଖା ମିଳି ନ ଥିଲା। ବାଧ୍ୟ ହୋଇ ଅନ୍ୟ ହସ୍ପିଟାଲକୁ ରେଫର୍‌ କରିବା ଲାଗି ପରିବାର ଅନୁରୋଧ କରିଥିଲେ ହେଁ ହସ୍ପିଟାଲରେ ଉପସ୍ଥିତ ଥିବା ଡାକ୍ତର ରୋଗୀଙ୍କୁ ଦେଖିବାକୁ ଆସି ନ ଥିଲେ। ଏମିତି କିଛି ସମୟ ବିତିଯିବା ପରେ ହସ୍ପିଟାଲରେ ଥିବା ଜଣେ ସୁରକ୍ଷା କର୍ମୀ ଆମ୍ବୁଲାନ୍‌ସରେ ରୋଗୀ ଅଛନ୍ତି କି ନାହିଁ, ତାହାର ଯାଞ୍ଚ ପାଇଁ ଆସିଥିଲେ। ପରେ ଯାଇ ହସ୍ପିଟାଲରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ସୂଚନା ଦେଇଥିଲେ। ସୁରକ୍ଷାକର୍ମୀଙ୍କ କଥାକୁ ଭିତ୍ତି କରି ଡାକ୍ତର ରୋଗୀଙ୍କୁ ରେଫର କରିଥିଲେ। ପ୍ରକୃତରେ ରୋଗୀଙ୍କ କ’ଣ ଅସୁବିଧା ହୋଇଛି, ତାଙ୍କୁ କିଭଳି ଚିକିତ୍ସା ଜରୁରୀ, ସେ ବିଷୟରେ ହସ୍ପିଟାଲ ପକ୍ଷରୁ ଅନୁଧ୍ୟାନ କରାଯାଇ ନଥିଲା। ଏହା କେବଳ ଗୋଟିଏ ଉଦାହରଣ। ଇଏସ୍‌ଆଇ ହସ୍ପିଟାଲରେ ପୂର୍ବରୁ ଏଭଳି ଅନେକ ଅଭିଯୋଗ ଆସିଛି। ମାତ୍ର କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗରେ ସୁଧାର ଆସୁନାହିଁ।

ହସ୍ପିଟାଲର ଅଧୀକ୍ଷକ ଡା. ଦିଲ୍ଲୀପ ସାହୁ କହିଛନ୍ତି, ରୋଗୀଙ୍କ ପରିବାର ଲୋକ ଯଦି ଲିଖିତ ଭାବେ ଅଭିଯୋଗ କରନ୍ତି, ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୋଗୀସେବାକୁ ହସ୍ପିଟାଲରେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। ତେଣୁ ଏଥିରେ ସାମାନ୍ୟତମ ଅବହେଳାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ଡା. ସାହୁ କହିଛନ୍ତି।