କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗରେ ପୁଲିସ ନିଷ୍କ୍ରିୟତା ଦର୍ଶାଇ ଦାୟର ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ପାଳନ କରି ଆବେଦନକାରୀ ଯୁବତୀ ବ୍ୟକ୍ତିଗତ ଭାବେ ହାଜର ହୋଇଥ‌ିଲେ। ଆବେଦନକାରୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ମାମଲା ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ। ଏହାପରେ ହାଇକୋର୍ଟ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ଏ ସଂପର୍କିତ ମାମଲାକୁ ଖାରଜ କରିଥିଲେ।

Advertisment

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ଯୁବତୀ ୨୦୨୨, ଜୁଲାଇ ୧ ତାରିଖ ଦିନ ନୀଳାଦ୍ରିବହାରସ୍ଥିତ ସହରାଞ୍ଚଳ ବାସଶୂନ୍ୟଙ୍କ ଆଶ୍ରୟସ୍ଥଳୀଠାରେ ବର୍ଷା ଜାତି ନେଇ ଗା‌ଳି ଦେବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ କରିଥିଲେ। ଏ ନେଇ ଜୁଲାଇ ୧ରେ ଚନ୍ଦ୍ର‌ଶେଖରପୁର ଥାନାରେ ସେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଏହାକୁ ପଞ୍ଜୀକରଣ କରି ନଥିଲା। ଏହାପରେ ଯୁବତୀ ଜଣକ ଭୁବନେଶ୍ବର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ତଥାପି, ଯୁବତୀଙ୍କ ଏତଲା ପଞ୍ଜୀକରଣ କରାଯାଇ ନଥିଲା। ଫଳରେ, ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଯୁବତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ବର୍ଷାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମିଛ ବୋଲି ଭୁବନେଶ୍ବର ଡିସିପି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହାପରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ବ୍ୟକ୍ତିଗତ ଭା‌େବ ହାଜର ନ ହେବାରୁ ତାଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ।
ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ଧନଞ୍ଜୟ ମୁଣ୍ଡ୍ ମାମଲା ପରିଚାଳନା କରୁଥିଲେ।