ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ସିଟି ବସ୍ ଷ୍ଟପ୍ର ବୈଦ୍ୟୁତିକ ମରାମତି କାର୍ଯ୍ୟରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ହୋଇଛି। ଏଲଇଡି ଲାଇଟ୍ ଓ କେବୁଲ ଲଗାଇବା ପାଇଁ କିଛି ନିର୍ଦ୍ଦିଷ୍ଟ କମ୍ପାନିକୁ ସୁହାଇବା ଭଳି ବୈଷୟିକ ସର୍ତ୍ତ ରଖାଯିବା ଫଳରେ ଅନ୍ୟ ଭେଣ୍ଡରମାନେ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ପଡ଼ିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁ କମ୍ପାନିମାନଙ୍କ ନାମ ଏଥିରେ ଉଲ୍ଲେଖ ରହିଛି ସେମାନଙ୍କର ସର୍ଭିସ ସେଣ୍ଟର ଓଡ଼ିଶାରେ ଉପଲବ୍ଧ ନାହିଁ। ଏଭଳି ସ୍ଥିତିରେ ସଂପୃକ୍ତ ନିର୍ଦ୍ଦିଷ୍ଟ କମ୍ପାନିର ଭେଣ୍ଡରଙ୍କୁ କାହିଁକି ସୁଯୋଗ ଦିଆଗଲା, ତାହା ବୁଝାପଡ଼ୁନାହିଁ।
ରାଜ୍ୟ ସରକାର ଏବେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରୁଛନ୍ତି। ବିଭାଗରେ କିଭଳି ଦୁର୍ନୀତି ନ ହେବ ସେଥିପାଇଁ ସରକାରୀ କର୍ମଚାରୀମାନେ ଶପଥ ନେଉଛନ୍ତି। ହେଲେ ସରକାରଙ୍କ ଏହି ଉଦ୍ୟମକୁ ଅଧିକାରୀମାନେ ଫୁ’ କରି ଉଡ଼ାଇ ଦେଉଛନ୍ତି। ମାଷ୍ଟର କ୍ୟାଣ୍ଟିନ୍ ଛକ ସିଟି ବସ୍ ଷ୍ଟପ୍ ବୈଦ୍ୟୁତିକ ମରାମତି କାର୍ଯ୍ୟ ପାଇଁ କ୍ରୁଟ୍ ପକ୍ଷରୁ ୧୧ଲକ୍ଷ ୭ହଜାର ୬୩୬ ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଛି। ଏଥିରେ ଏମ୍ସିସିବି, ଏମ୍ସିବି, ଟାଇମର୍ସ ଏଣ୍ଡ କଣ୍ଟାକ୍ଟର୍ସ ପାଇଁ ୩ଟି କମ୍ପାନି, କେବୁଲ ପାଇଁ ୩ଟି କମ୍ପାନି ଓ ଏଲଇଡି ଲାଇଟ୍ ପାଇଁ ମଧ୍ୟ ୩କମ୍ପାନି ସଂପର୍କରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରାଯାଇଛି। ତେବେ କେବୁଲ ଓ ଏଲଇଡି ଲାଇଟ୍ ପାଇଁ ଧାର୍ଯ୍ୟ ୩ଟି ଲେଖାଏ କମ୍ପାନିକୁ ନେଇ ପ୍ରଶ୍ନ ଉଠିଛି। ଏଥିରେ ସଂଶୋଧନ କରିବା ଲାଗି କ୍ରୁଟ୍ କର୍ତୃପକ୍ଷଙ୍କୁ ଦାବିପତ୍ର ମଧ୍ୟ ଦିଆଯାଇଥିଲା। ହେଲେ କ୍ରୁଟ୍ କର୍ତୃପକ୍ଷ ଏହାକୁ ଶୁଣି ନ ଥିଲେ କି ଟେଣ୍ଡର ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରି ନ ଥିଲେ।
ଏ ସଂପର୍କରେ କ୍ରୁଟ୍ର ନିର୍ବାହୀ ଯନ୍ତ୍ରୀ(ଇଲେକ୍ଟିକାଲ) ସଞ୍ଜୟ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଇଞ୍ଜିନିୟରିଂ (ଜିଏମ୍)ଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ପରବର୍ତୀ ସମୟରେ ଇଞ୍ଜିନିୟରିଂ(ଜିଏମ୍) ଏଲ.ପି ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିବା ସେ ନିର୍ବାହୀ ଯନ୍ତ୍ରୀ(ଇଲେକ୍ଟିକାଲ)ଙ୍କୁ ଯୋଗାଯୋଗ କରିବାକୁ କହିଥିଲେ। ଦୁଇ ଅଧିକାରୀ କାହିଁକି ଏଭଳି ଲୁଚକାଳି ଖେଳୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ମହାପାତ୍ର କହିଥିଲେ, ବୈଦ୍ୟୁତିକ କାର୍ଯ୍ୟର ମରାମତି ପାଇଁ କ୍ରୁଟ୍ରେ ସ୍ବତନ୍ତ୍ରଭାବେ ଏକ ଇଲେକ୍ଟ୍ରିକାଲ ବିଭାଗ ଖୋଲାଯାଇଛି। ତେଣୁ ଶ୍ରୀ ମିଶ୍ର ହିଁ ଏ ସଂପର୍କରେ ସବିଶେଷ ତଥ୍ୟ ଦେଇପାରିବେ। ମୁଁ ଜଣେ ସିଭିଲ ଇଞ୍ଜିନିୟର, ଇଲେକ୍ଟ୍ରିକାଲ ବିଷୟରେ କିଭଳି କହିବି ବୋଲି ଶ୍ରୀ ମହାପାତ୍ର କହିଥିଲେ। ଶେଷରେ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳିପାରି ନ ଥିଲା।