ଘରୋଇ ହସ୍ପିଟାଲରେ ଟିକା ଚୋରି ଅଭିଯୋଗ, କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ବର: ୬୬ବର୍ଷୀୟା ବୃଦ୍ଧା ସୁବର୍ଣ୍ଣ ଭୋଇଙ୍କ ଟିକା ଚୋରି ଅଭିଯୋଗକୁ କେନ୍ଦ୍ର କରି ବିଏମ୍‌ସି ଆଜି ସହିଦନଗରସ୍ଥିତ ଏକ ଘରୋଇ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ବୃଦ୍ଧାଙ୍କ ଟିକା କୁଆଡ଼େ ଗଲା, କାହାକୁ ଦିଆଯାଇଛି, ସେନେଇ ଉତ୍ତର ରଖିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ବମିଖାଲ ଅଞ୍ଚଳର ସୁବର୍ଣ୍ଣ କୋ-ୱିନ୍‌ ଆପ୍‌ରେ ଟିକା ନେବା ପାଇଁ ନାମ ପଞ୍ଜୀକରଣ କରାଇଥିଲେ। ୩୦ ତାରିଖ‌ ଅପରାହ୍‌ଣ ୧ଟାରୁ ୩ଟା ମଧ୍ୟରେ ସହିଦନଗରସ୍ଥିତ ଉକ୍ତ ହସ୍ପିଟାଲରେ ଟିକା ନେବା ପାଇଁ ତାଙ୍କୁ ସୂଚନା ଦିଆଯାଇଥିଲା। କିନ୍ତୁ ଉକ୍ତ ଦିନ ଅସୁସ୍ଥ ଅନୁଭବ କରିବାରୁ ସୁବର୍ଣ୍ଣ ହସ୍ପିଟାଲକୁ ଯାଇ ପାରିନଥିଲେ। ତେବେ ତା’ ପରଦିନ ଅର୍ଥାତ୍ ମେ’ ୧ ତାରିଖ‌ରେ ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ସେ ସଫଳତା ପୂର୍ବକ ଟିକା ନେଇଛନ୍ତି। ଏହାସହ ତାଙ୍କ ପାଖକୁ ଟିକା ନେଇଥିବାର ଅନଲାଇନ୍‌ ପ୍ରମାଣପତ୍ର ମଧ୍ୟ ଆସିଥିଲା। ଏନେଇ ସେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଟିକା ନେଇଥିବା ଅଥବା ତାଙ୍କ ପରିବାରଲୋକ କେହି ଆସି ତାଙ୍କ ଆଧାରକାର୍ଡ ଦେଖାଇ ଟିକା ନେଇଥିବା କହି ତାଙ୍କୁ ତଡ଼ି ଦେଇଥିଲେ।

ପରେ ସୁବର୍ଣ୍ଣ ହେଲ୍ପଲାଇନ୍‌ ନମ୍ବର ୧୦୭୫ ଓ ୧୦୪ରେ ଯୋଗାଯୋଗ କରିବାରୁ ବିଏମ୍‌ସି ହେଲ୍ପଲାଇନ ନମ୍ବରରେ ପଚାରିବାକୁ କୁହାଯାଇଥିଲା। ତେବେ ମହିଳାଜଣଙ୍କ ବିଏମ୍‌ସିକୁ ଏ ସଂପର୍କରେ ଅଭିଯୋଗ କରିବାରୁ ବିଏମ୍‌ସି ଏହାକୁ ଗୁରୁତ୍ବର ସହ ନେଇ ସଂପୃକ୍ତ ହସ୍ପିଟାଲକୁ କାରଣଦର୍ଶାଅ ନୋଟିସ୍‌ କରିଛି। ଅପରପକ୍ଷେ ଏ ସଂପର୍କରେ ମହିଳାଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ ତାଙ୍କ ଏତଲା ରଖି ନାହିଁ ବୋଲି ବୃଦ୍ଧାଜଣଙ୍କ କହିଛନ୍ତି। ସେହିପରି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଟିକା ଅନ୍ୟ କାହାକୁ ଦେଇ ଦେଇଥିବାରୁ ସେ ଏବେ କିଭଳି ଟିକା ନେବେ ବୋଲି ଦୁଃଖର ସହ କହିଛନ୍ତି।

ସମ୍ବନ୍ଧିତ ଖବର