ବଢ଼ୁଛି ନିର୍ଯାତନା ଅଭିଯୋଗ, ହତ୍ୟା ମାମଲା: କାହା ନିୟନ୍ତ୍ରଣରେ ନିଶା ନିବାରଣ କେନ୍ଦ୍ର?

ନିଶା ନିବାରଣ କେନ୍ଦ୍ର ପାଇଁ କଣ ରହିଛି ଏସ୍‌ଓପି, ସବୁ ନିଶା ନିବାରଣ କେନ୍ଦ୍ର ସମାନ ନୁହେଁ

ଭୁବନେଶ୍ବର: ନିଶାଡ଼ିଙ୍କୁ ନିଶା କବଳରୁ ମୁକ୍ତ କରି ସ୍ବାଭାବିକ ସ୍ଥିତିକୁ ଫେରାଇଆଣିବା ପାଇଁ ଖୋଲାଯାଇଛି ନିଶା ନିବାରଣ କେନ୍ଦ୍ର। ମାତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କିଛି ନିଶା ନିବାରଣ କେନ୍ଦ୍ର ଅଛି, ‌ଯେଉଁମାନେ ନିଶାଡ଼ିଙ୍କୁ ନିଶାମୁକ୍ତ କରିବା ନାଁରେ ସୀମା ଟପି ଯାଉଛନ୍ତି। କେନ୍ଦ୍ରରେ ଚିକିତ୍ସାଧୀନ କେତେକ ନିଶାଡ଼ିଙ୍କର ଅସ୍ବାଭାଭିକ ଭାବେ ମୃତ୍ୟୁ ହେଉଛି। କେତେବେଳେ କେନ୍ଦ୍ରର କର୍ମଚାରୀ ଅମାନୁଷିକ ନିର୍ଯାତନା ଦେଉଛନ୍ତି ତ ଆଉ କେତେବେଳେ ହତ୍ୟା ଭଳି ସଂଗିନ ଅଭିଯୋଗ ଆସୁଛି। ଚଳିତ ମାସ ୫ ତାରିଖରେ ରାଜଧାନୀରେ ଥିବା ପାଣ୍ଡରା ଅଞ୍ଚଳର ‘କୃପା ଫାଉଣ୍ଡେସନ୍’ ନିଶା ନିବାରଣ କେନ୍ଦ୍ରରେ ୨୩ ବର୍ଷୀୟ ଯୁବକ ତ୍ରିନାଥ ସେଠୀଙ୍କୁ ପିଟିପିଟି ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହା ପୂର୍ବରୁ ବାରିପଦା ସହରର ରଘୁନାଥପୁର ଅଞ୍ଚଳରେ ଥିବା ସୁଧାର ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ୬ ମାସ ଧରି ଚିକିତ୍ସିତ ହେଉଥିବା ଯୁବକ ଦୀପକ କୁମାର ଦାସଙ୍କୁ ପିଟି ପିଟି ହତ୍ୟା ଘଟଣା ମଧ୍ୟ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ବାରିପଦା ପୁଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ଗତ ଏପ୍ରିଲରେ ରାଜଧାନୀ ଉପକଣ୍ଠ ଉତ୍ତରାରେ ଦିଶା ଫାଉଣ୍ଡେସନ୍ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ଯୁବକ ଗୌତମ ମଲ୍ଲିକଙ୍କୁ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା ପିପିଲି ଥାନା ପୁଲିସ। ସେହିପରି ଜଗତସିଂହପୁରର ଏକ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ଦୁଇ ଜଣ ଗିରଫ ହୋଇଥିଲେ। ଚଳିତବର୍ଷ ରାଜ୍ୟରେ ବିଭିନ୍ନ ନିଶା ନିବାରଣ କେନ୍ଦ୍ରରେ ଘଟିଥିବା ଇଏ କିଛି ଉଦାହରଣ ମାତ୍ର।

ଛତୁ ଫୁଟିଲା ଭଳି ବିଭିନ୍ନ ଏନ୍‌ଜିଓ, ସ୍ବେଚ୍ଛାସେବୀ ଅନୁଷ୍ଠାନ ମନଇଚ୍ଛା ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି କେନ୍ଦ୍ର ଖୋଲିବା ପାଇଁ କାହାର ଅନୁମତି ଦରକାର ହେଉ ନାହିଁ କି କୌଣସି ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ। କୌଣସି ଅନୁଷ୍ଠାନ ନିଶା ନିବାରଣ କେନ୍ଦ୍ର ଖୋଲି ଦୁଇ ବର୍ଷ ସଫଳତାର ସହ ଏହା ଚଳା‌ଇବା ପରେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗରେ କେନ୍ଦ୍ରୀୟ ଅନୁଦାନ ପାଇବା ଲାଗି ଆବେଦନ କରିବାକୁ ଯୋଗ୍ୟତା ହାସଲ କରିପାରୁଛନ୍ତି। ଏଥିରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନର ନିୟନ୍ତ୍ରଣ ରହୁ ନ ଥିବାରୁ ଠିକ୍ ସମୟରେ ତଦାରଖ ମଧ୍ୟ ହେଉ ନାହିଁ। ସେଥିପାଇଁ ନିଶା ନିବାରଣ କେନ୍ଦ୍ର ଉପରେ କାହାର ନିୟନ୍ତ୍ରଣ ରହୁନାହିଁ। ଆଉ ଟଙ୍କା ରୋଜଗାର କରିବାର ଏକ ଉତ୍ସ ହୋଇଥିବାରୁ କିଛି ବ୍ୟକ୍ତି ମନ ଇଚ୍ଛା ଏଭଳି କେନ୍ଦ୍ର ଖୋଲି ପକାଉଛନ୍ତି।

ଉଲ୍ଲେଖଯୋଗ୍ୟ, ତମାଣ୍ଡୋ କଳିଙ୍ଗବିହାରରେ ଥିବା କମ୍ୟୁନିଟି ଫାଉଣ୍ଡେସନ ଅଫ୍ ଇଣ୍ଡିଆ(ସିଏଫ୍ଆଇ) ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ନୟାପଲ୍ଲୀର ଅକ୍ଷୟ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ୨୦୧୫ ଡିସେମ୍ବର ୩୦ ତାରିଖରେ ନହରକଣ୍ଟାରେ ଏକ ନିଶା ନିବାରଣ କେନ୍ଦ୍ରରେ କେୟାରଟେକର ସୁମିତ ବେହେରାଙ୍କୁ ୩୬ ଜଣ ଅନ୍ତେବାସୀ ମିଶି ହତ୍ୟା କରିଥିଲେ।

ନିଶା ନିବାରଣ କେନ୍ଦ୍ର ପାଇଁ କଣ ରହିଛି ଏସ୍‌ଓପି

୧ ଯେଉଁଠି ପ୍ରାୟ ୧୫ ଜଣ ରହୁଛନ୍ତି ସେଠାରେ ସର୍ବନିମ୍ନ ୨ରୁ ୩ଟି ଶୌଚାଳୟ ରହିବ।
୨ ନିଶା ସେବନକାରୀ ଖଟ ଉପରେ ଶୋଇବେ।
୩ କେନ୍ଦ୍ର ପରିସର ସବୁ ବେଳେ ସଫାସୁତରା ରଖାଯିବ।
୪ କେଉଁଦିନ, କେଉଁ ଖାଦ୍ୟ ଖାଇବେ ତାହାର ଏକ ମେନୁ ପ୍ରସ୍ତୁତ କରାଯିବ।
୫ ଠିକ୍ ସମୟରେ ଚିକିତ୍ସା ସହ ମେଡିସିନ୍ ଦିଆଯିବ।
୬ ନିଶା ସେବନକାରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲାଗିଥିବ।
୭ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ନିୟୋଜିତ ରହିବେ।
୮ କୌଣସି ଆପତ୍ତିଜନକ କିମ୍ବା ତାଲା ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ରହିବ ନାହିଁ।
୯ ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

କାହା ପାଖରେ ହିସାବ ରହୁନି
ରାଜଧାନୀର କେଉଁଠି, କିଏ ନିଶା ନିବାରଣ କେନ୍ଦ୍ର ଖୋଲୁଛି ତାହାର ହିସାବ କାହା ପାଖରେ ରହୁ ନାହିଁ। ନା କମିସନରେଟ ପୁଲିସ ପାଖରେ ଏ ନେଇ ଖବର ରହୁଛି ନା ବିଏମ୍‌ସି କିଛି ଜାଣୁଛି। କେନ୍ଦ୍ରରେ କୌଣସି ଅପରାଧ କିମ୍ବା ଅଘଟଣ ଘଟି ଥାନାକୁ ମାମଲା ଆସିବା ପରେ ଯାଇ ପୁଲିସ ଜାଣିବାକୁ ପାଉଛି।

ସବୁ ନିଶା ନିବାରଣ କେନ୍ଦ୍ର ସମାନ ନୁହେଁ

ସବୁ ନିଶା ନିବାରଣ କେନ୍ଦ୍ର ସମାନ ନୁହେଁ। କେଉଁଠି କେମିତି ନିର୍ଯାତନା, ହତ୍ୟା ଭଳି ଘଟଣା ସାମ୍ନାକୁ ଆସେ। କେତେକ ଜାଗାରେ ପରିସ୍ଥିତି ଯୋଗୁଁ ଦୁର୍ଘଟଣାବଶତଃ ଏଭଳି ଘଟଣା ଘଟିଥାଏ ବୋଲି କହିଛନ୍ତି ନିଶା ନିବାରଣ କ୍ଷେତ୍ରରେ କାମ କରୁଥିବା ବିଶେଷଜ୍ଞ ଶ୍ରୀହର୍ଷ ମହାନ୍ତି। ଶ୍ରୀ ମହାନ୍ତିଙ୍କ କହିବା ଅନୁସାରେ, ଅଧିକାଂଶ କେନ୍ଦ୍ରକୁ ଆସୁଥିବା ନିଶା ସେବନକାରୀମାନେ ଭଲ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। କିନ୍ତୁ କେତେକ ଜାଗାରେ ଅଭିଜ୍ଞ କର୍ମଚାରୀଙ୍କର ଅଭାବ ରହିଛି। ସେହିଭଳି ଅନେକ ସମୟରେ ନିଶା ସେବନକାରୀମାନେ ଆହତ ଅବସ୍ଥାରେ ଆସିଥାନ୍ତି। ଭର୍ତ୍ତି ହେବା ସମୟରେ ସେମାନଙ୍କ ଶରୀରରେ କଣ ଚିହ୍ନ ରହିଛି, କେବେ ତାଙ୍କୁ ଆକ୍ରମଣ କିମ୍ବା ଦୁର୍ଘଟଣାର ଶିକାର ହୋଇଥିଲେ କି ପରିବାର ଲୋକଙ୍କ ଉପସ୍ଥିତିରେ ଏହା ଦେଖାଯିବା ସହ ତୁରନ୍ତ ଚିକିତ୍ସା କରାଗଲେ ଏଭଳି ଘଟଣା ଘଟିବାର ଆଶଙ୍କା କମ୍ ରହିବ। ଅବାଟକୁ ଚାଲି ଯାଉଥିବା ନିଶା ସେବନକାରୀଙ୍କ ପାଇଁ ନିବାରଣ କେନ୍ଦ୍ର ମଧ୍ୟ ଜରୁରି।

ସମ୍ବନ୍ଧିତ ଖବର