ନୂଆଦିଲ୍ଲୀ: ‘ଭୋଟ୍ ଚୋରି’ ଅଭିଯୋଗରେ ଆଜି ବିରୋଧୀ ଇଣ୍ଡିମେଣ୍ଟର ପାଖାପାଖି ୩୦୦ ସାଂସଦ ସଂସଦ ନିକଟରୁ ନିର୍ବାଚନ କମିସନ୍(ଇସି) କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରାରେ ଯିବା ସମୟରେ ନାଟକୀୟ ପରିସ୍ଥିତି ଉପୁଜିଛି। ବିହାର୍ରେ ଏସ୍ଆଇଆରକୁ ବିରୋଧ କରି ଏବଂ ନିର୍ବାଚନ କମିସନ୍ ଜାଲିଆତି ଦ୍ବାରା ବିଜେପିର ରାଜନୈତିକ ଲକ୍ଷ୍ୟ ପୂରଣ ପାଇଁ ସରକାରୀ ଦଳ ସହ କାମ କରୁଥିବା ଅଭିଯୋଗରେ କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ଅନ୍ୟ ସାଂସଦମାନେ ଏହି ଆନ୍ଦୋଳନ ପଦଯାତ୍ରାରେ ସାମିଲ ହୋଇଥିଲେ। ସଂସଦ ଭବନ ନିକଟରୁ ନିର୍ବାଚନ ସଦନ ଅଭିମୁଖେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବାହାରିଥିବା ଏହି ପଦଯାତ୍ରାକୁ ବାଟରେ ପୁଲିସ ଅଟକାଇଥିଲା। କିନ୍ତୁ ବିରୋଧୀ ସାଂସଦ ଏଥିରେ ଅଟକିନଥିଲେ। ସେମାନେ ରାସ୍ତାରେ ବସି ଆନ୍ଦୋଳନ ଜାରି ରଖିଥିଲେ। ପୁଲିସ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ, ବରିଷ୍ଠ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କ ସମେତ ୩୦ରୁ ଅଧିକ ସାଂସଦଙ୍କୁ ଆନ୍ଦୋଳନସ୍ଥଳରୁ ଉଠାଇ ସଂସଦ ଷ୍ଟ୍ରିଟ୍ ଥାନାରେ ଅଟକ ରଖିଥିଲା। ପରେ ରାହୁଲ, ପ୍ରିୟଙ୍କା ଏବଂ ଅନ୍ୟ ନେତାଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ‘ଏସ୍ଆଇଆର୍ : ଷ୍ଟିଲିଂ ଡିମୋକ୍ରାଟିକ୍ ରାଇଟ୍ସ’ , ‘ଭୋଟ୍ ଚୋରି’ ପ୍ଲାକାର୍ଡ ଧରି ଆଜି ଇଣ୍ଡି ମେଣ୍ଟ ନେତାମାନେ ସ୍ଲୋଗାନ ଦେଇଥିଲେ। ସରକାର ଏବଂ ନିର୍ବାଚନ କମିସନ୍ଙ୍କ ବିରୋଧରେ ସେମାନେ ସ୍ବର ଉତ୍ତୋଳନ କରିଥିଲେ। ପଦଯାତ୍ରା ସମୟରେ ପୁଲିସ ସହ ଅନେକ ସାଂସଦଙ୍କ ସଂଘର୍ଷ ମଧ୍ୟ ହୋଇଛି। ସପା ମୁଖ୍ୟ ଅଖିଳେଶ ଯାଦବ, ଟିଏମ୍ସି ସାଂସଦ ମହୁଆ ମୈତ୍ର ଏବଂ ସୁସ୍ମିତା ଦେବ, କଂଗ୍ରେସର ସଞ୍ଜନା ଜାତବ ବ୍ୟାରିକେଡ୍ ଡେଇଁ ସ୍ଲୋଗାନ୍ ଦେଇଥିଲେ। ଟିଏମ୍ସି ସାଂସଦ ମହୁଆ ମୈତ୍ର ଏବଂ ମିତାଲୀ ବାଗ୍ ଆନ୍ଦୋଳନ ସମୟରେ ବେହୋସ ହୋଇପଡ଼ିଥିଲେ। ବାଗ୍ଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ ପଡ଼ିଥିଲା।
ପୁଲିସରେ ଅଟକ ରହିବାପରେ ରାହୁଲ ଗାନ୍ଧୀ ସାମ୍ବାଦିକଙ୍କୁ କହିଛନ୍ତି, ‘ ଏହି ଲଢ଼େଇ ରାଜନୈତିକ ନୁହେଁ ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ। ସତ ସମଗ୍ର ଦେଶ ଆଗକୁ ଆସିଛି। ମଲ୍ଲିକାର୍ଜୁନ ଖଡ଼ଗେ ଏହି ପ୍ରସଙ୍ଗରେ କହିଛନ୍ତି, ଲୋକଙ୍କ ଭୋଟ୍ ଦେବା ଅଧିକାରକୁ ସୁରକ୍ଷା ଦେବାପାଇଁ ଏସ୍ଆଇଆର୍ ବିରୋଧରେ ଏହି ଲଢ଼େଇ।
‘ଭୋଟ୍ ଚୋରି’ ଅଭିଯୋଗ: ଦିଲ୍ଲୀରେ ହାଇଡ୍ରାମା
ଭୋଟ୍ ଚୋରି’ ଅଭିଯୋଗରେ ଆଜି ବିରୋଧୀ ଇଣ୍ଡିମେଣ୍ଟର ପାଖାପାଖି ୩୦୦ ସାଂସଦ ସଂସଦ ନିକଟରୁ ନିର୍ବାଚନ କମିସନ୍(ଇସି) କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରାରେ ଯିବା ସମୟରେ ନାଟକୀୟ ପରିସ୍ଥିତି ଉପୁଜିଛି।
/sambad/media/media_files/2025/08/12/untitled-11-2025-08-12-07-16-43.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)