ଅସହ୍ୟ ଗରମ‌ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ମୃତଦେହ ରଖି ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ

୨ ଦିନ ହେଲା ଅନ୍ଧାରରେ ନାରାୟଣୀ ବସ୍ତି

ଚନ୍ଦ୍ରଶେଖରପୁର: ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ବସ୍ତିରୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି। ଦୁଇ ଦିନ ହେଲା ୨ଶହ ପରିବାର ରହୁଥିବା ବସ୍ତି ଅନ୍ଧାରରେ ପଡ଼ିଛି। ଏଣେ ଅସହ୍ୟ ଗରମରେ ଜଣେ ଅସୁସ୍ଥ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିସ୍ଥାପନ ବେଳେ ପାଣି ଓ ବିଜୁଳି ମାଗଣା ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଏବେ ଏମିତି କଲବଲ କରି ଲୋକଙ୍କ ଜୀବନ ସହ ଖେଳିବା ଅଭିଯୋଗରେ ଆଜି ନୀଳାଦ୍ରିବିହାର ନାରାୟଣୀ ବସ୍ତିବାସିନ୍ଦାମାନେ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ବୁଝାସୁଝା କରି ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ପଠାଇ ଦେଇଥିଲେ ବି ବସ୍ତିବାସିନ୍ଦାମାନେ ଧାରଣାରୁ ହଟି ନାହାନ୍ତି।

ଏଣେ ବସ୍ତିବାସିନ୍ଦାମାନେ ବିଦ୍ୟୁତ୍ ବିଲ୍‌ ନ ଦେବାକୁ ଅଡ଼ି ବସିଥିବା ବେଳେ ଟାଟା ପାୱାର କର୍ତ୍ତୃପକ୍ଷ ୫୮ଲକ୍ଷ ବକେୟା ବିଲ୍ ଆଦାୟ ନହେଲେ ବିଦ୍ୟୁତ୍ ପୁନଃସଂଯୋଗ କରିବ ନାହିଁ ବୋଲି ଜିଦ୍‌ କରି ବସିଛି।
ସୂଚନାନୁଯାୟୀ, ୨୦୧୦ ମସିହାରେ ବିଏମ୍‌ସିର ୪୭ନମ୍ବର ୱାର୍ଡରୁ ଏହି ୨ ଶହ ପରିବାରକୁ ଉଚ୍ଛେଦ କରାଯାଇ ୧୪ ନମ୍ବର ୱାର୍ଡ ନୀଳାଦ୍ରିବିହାର ନାରାୟଣୀ ବସ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମାଗଣାରେ ପାନୀୟ ଜଳ ଓ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ଅନୁସାରେ ସମଗ୍ର ବସ୍ତି ପାଇଁ ଗୋଟିଏ ମିଟର ଲଗାଯାଇଥିଲା। ସେବେଠାରୁ ସେମାନଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ୁ ନଥିଲା। ଏବେ ହଠାତ୍ ଟାଟା ପାୱାର ପକ୍ଷରୁ ୧୨ବର୍ଷର ବିଲ୍ ବାବଦରେ ୫୮ଲକ୍ଷ ଟଙ୍କା ପଇଠ କରିବାକୁ ବାଧ୍ୟ କରାଯାଉଛି।

ବିଲ୍‌ ନ ଦେବାରୁ ଗତକାଲିଠାରୁ ଲାଇନ୍‌ କାଟି ଦିଆଯାଇଛି। ବସ୍ତିର ସଭାପତି ନୀଳକଣ୍ଠ ରାଉତଙ୍କ କହିବା ଅନୁଯାୟୀ ବିସ୍ଥାପନ ବେଳେ ବିଏମ୍‌ସି ସେମାନଙ୍କୁ ମାଗଣାରେ ବିଦ୍ୟୁତ୍ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା ଓ ସେହି ଅନୁସାରେ ସେମାନେ ୨୦୧୦ ମସିହାରୁ ଚଳି ଆସୁଛନ୍ତି। ଏତେ ବର୍ଷ ପରେ ହଠାତ୍ ବିଲ୍‌ ମାଗି ଲାଇନ୍‌ କାଟି ଦିଆଯାଇଛି। ୨ ଶହ ପରିବାର କିଏ କେମିତି ବିଲ୍‌ ପଇଠ କରିବ, ସେ ବାବଦରେ ନିଷ୍ପତ୍ତି ନନେଇ ଅଚାନକ ସେମାନଙ୍କୁ ଅନ୍ଧାରକୁ ଠେଲି ଦିଆଯାଇଛି। ଏବେ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ସେମାନେ ପିଲାଛୁଆଙ୍କୁ ଧରି ବଡ଼ ହନ୍ତସନ୍ତ ହେଉଛନ୍ତି। ଗୁଳୁଗୁଳି ସହି ନପାରି ଅସୁସ୍ଥ ଥିବା କଣ୍ଡୁରି ନାୟକ(୪୦)ଙ୍କ ମୃତ୍ୟୁ ହୋଇଛି ବୋଲି ନୀଳକଣ୍ଠ ଅଭିଯୋଗ କରିଛନ୍ତି। ଆଗକୁ ଆହୁରି କିଛି ବୁଢ଼ାବୁଢ଼ୀ ଲୋକ ମଧ୍ୟ ଗରମରେ ପ୍ରାଣ ହରାଇବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏନେଇ ସେମାନେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତଙ୍କୁ ଅଭିଯୋଗ କରିଛନ୍ତି। କିନ୍ତୁ ଦୁଇ ଦିନ ହେଲା ଅନ୍ଧାରରେ ଓ ଗରମରେ ଶଢ଼ୁଥିଲେ ବି ସେମାନେ କିଛି କରିନାହାନ୍ତି। ତେଣୁ ଏମିତି ଗରମରେ ମରିବା ଅପେକ୍ଷା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ମରିବେ ବୋଲି ନୀଳକଣ୍ଠ କହିଛନ୍ତି।

ସୂଚନାଯୋଗ୍ୟ, ଏନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ବିଦ୍ୟୁତ୍ ବିଭାଗ ସହ ଆଲୋଚନା କରିଥିଲେ ବି କିଛି ସୁଫଳ ମିଳି ନାହିଁ। ବିଲ୍‌ ନ ମିଳିଲେ ଲାଇନ୍‌ ସଂଯୋଗ ଦେଇ ହେବ ନାହିଁ ବୋଲି ବିଭାଗୀୟ ଅଧିକାରୀ ରୋକ୍‌ଠୋକ କହିଥିବା ଜଣାପଡ଼ିଛି। ତେବେ ଏନେଇ ଟାଟା ପାୱାର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ସ୍ଥାନୀୟ ଜେଇ ଫୋନ୍‌ ଉଠାଇ ନଥିଲେ। ସେହିଭଳି ସ୍ଥାନୀୟ ବିଧାୟକ ଓ କର୍ପୋରେଟର୍‌ କି ପଦ‌କ୍ଷେପ ଗ୍ରହଣ କରୁଛନ୍ତି, ସେନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧିତ ଖବର