ଭୁବନେଶ୍ବର: ହତ୍ୟା, ଦୁଷ୍କର୍ମ, ଚୋରି, ଲୁଟ୍, ରାହାଜାନି, ଡକାୟତି ଭଳି ଜଘନ୍ୟ ଅପରାଧ ପାଇଁ ଉତ୍ତରପ୍ରଦେଶର କୁଖ୍ୟାତ ବାୱାରିଆ ଓରଫ୍ ଲରି ଗ୍ୟାଙ୍ଗ୍କୁ ପୁରୀରୁ ଠାବ କରିଛି କମିସନରେଟ୍ ପୁଲିସ୍। ଗ୍ୟାଙ୍ଗ୍ର ୪ଜଣଙ୍କୁ ପୁଲିସ୍ କାବୁ କରିଥିବା ବେଳେ ଜଣେ ଚମ୍ପଟ ମାରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ସାମ୍ଲି ଝିନ୍ଞ୍ଜନା ଅଞ୍ଚଳର ପ୍ରଦୀପ କୁମାର(୩୮), ବିକାଶ (୨୮), ରବି କୁମାର(୩୫) ଏବଂ ବାମୁ ରାମ(୩୭)। ସେମାନଙ୍କଠାରୁ ୧୬ଟି ସୁନା ଚେନ୍ (୨୦୦ଗ୍ରାମ), ଦୁଇଟି ବାଇକ୍, ୨ଟି ମୋବାଇଲ୍ ପୁଲିସ୍ ଜବତ କରିଛି। ଏନେଇ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଗ୍ୟାଙ୍ଗ୍ ବାବଦରେ ଆହୁରି ଅଧିକ ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ୍ ଯୋଜନା କରୁଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଉତ୍ତରପ୍ରଦେଶ ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ ଭଳି ରାଜ୍ୟରେ ବହୁ ସଂଗିନ୍ ଅପରାଧରେ ଲିପ୍ତ ଥିବା ଏହି ଗ୍ୟାଙ୍ଗ୍ର ଆଖି ଗତ କିଛି ବର୍ଷ ହେଲା ଓଡ଼ିଶା ଉପରେ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ପୁଲିସ୍ ତଦନ୍ତରୁ ଯାହା ଜଣାପଡ଼ିଛି, ଗତ ୨୦୨୨ ମସିହାରେ ଏମାନେ ଓଡ଼ିଶାର କିଛି ସ୍ଥାନରେ ଆପରାଧିକ କାର୍ଯ୍ୟକଳାପ ଘଟାଇବା ପରେ ଅନ୍ତର୍ଧାନ ହୋଇଯାଇଥିଲେ। ତେବେ ଗତ କିଛି ମାସ ହେଲା ସେମାନେ ପୁଣି ଓଡ଼ିଶାରେ ଡେରା ପକାଇଛନ୍ତି। ବାଲେଶ୍ବର, ଭଦ୍ରକ, କଟକ ଓ ଭୁବନେଶ୍ବରରେ ଏମାନଙ୍କ ଆପରାଧିକ ଗତିବିଧି ବୃଦ୍ଧି ପାଇଛି। ସାରା ରାଜ୍ୟରେ ଏହି ଗ୍ୟାଙ୍ଗ ବିରୋଧରେ ୨୮ଟି ମାମଲା ଥିବା ବେଳେ କମିସନରେଟ୍ ପୁଲିସରେ ୨୩ଟି ମାମଲା ରହିଛି। ତେଣୁ ସେମାନଙ୍କ ସଂଖ୍ୟା କେତେ ଓ କେଉଁଠି ଅଛନ୍ତି, ସେନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି।
ହୋଟେଲ୍ରେ ରହୁଥିଲେ, ବିମାନରେ ବୁଲୁଥିଲେ
୨୦୨୨ ମସିହାରେ ଏହି ଗ୍ୟାଙ୍ଗ ଦିଲ୍ଲୀରୁ ଓଡ଼ିଶାକୁ ଆସିଥିଲେ। ଲୁଟ୍ପାଟ କରିବା ପରେ ଗହଣା ନେଇ ଦିଲ୍ଲୀ ଓ ୟୁପିରେ ବିକ୍ରି କରୁଥିଲେ। ଏଥିପାଇଁ ସେମାନେ କେତେବେଳେ ଟ୍ରେନ୍ ତ କେତେବେଳେ ବିମାନରେ ଯିବା ଆସିବା କରୁଥିଲେ। ପୁଲିସକୁ ଚକ୍ମା ଦେବା ପାଇଁ ଗ୍ୟାଙ୍ଗ୍ର ସଦସ୍ୟମାନେ ହୋଟେଲ୍ରେ ରହୁଥିଲେ। ପ୍ରତି ୧୫ ଦିନରେ ନିଜର ସ୍ଥାନ ବଦଳାଇ ଅନ୍ୟତ୍ର ରହୁଥିଲେ। ତେବେ ୨୦୨୨ ଜୁନ୍ ଓ ଅଗଷ୍ଟରେ ବେଶ୍ ସକ୍ରିୟ ହୋଇଥିଲା। ଏହାପରେ ହଠାତ୍ ଗ୍ୟାଙ୍ଗର ଆପରାଧିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲ। କିଛି ଦିନ ବ୍ୟବଧାନ ପରେ ପୁଣି ଗତ ଫେବ୍ରୁଆରି ଓ ମେ’ ମାସରେ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବା ତଦନ୍ତରୁ ଜଣାପଡ଼ିଛି।
୧୯୯୫ ମସିହାରୁ ସକ୍ରିୟ
ଏହି କୁଖ୍ୟାତ ବାୱାରିଆ ବା ଲରି ଗ୍ୟାଙ୍ଗ୍ର ଆପରାଧିକ ଇତିହାସ ବହୁ ପୁରୁଣା। ୧୯୯୫ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଏହି ଗ୍ୟାଙ୍ଗ୍ ଦେଶର ବିଭିନ୍ନ ରାଜ୍ୟରେ ପୂରା ସକ୍ରିୟ ରହିଥିଲା। ଉତ୍ତରପ୍ରଦେଶର ବାୱାରିଆ ସଂପ୍ରଦାୟର କିଛି ଯୁବକମାନେ ମିଳିତ ଭାବେ ବଡ଼ ବଡ଼ ସଂଗଠିତ ଅପରାଧ ଘଟାଇ ପୁଲିସ୍ର ନିଦ ହଜାଇଥିଲେ। ଲରି (ଟ୍ରକ୍) ଚଳାଉଥିବା ଏହି ସଂପ୍ରଦାୟର କିଛି ଯୁବକ ପ୍ରଥମେ ଜାତୀୟ ରାଜପଥରେ ଚୋରି, ରାହାଜାନି, ଡକାୟତି, ହତ୍ୟା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଇଥିଲେ। ପରେ ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ରାଜ୍ୟରେ ବହୁ ଆପରାଧିକ ଘଟଣା ଘଟାଇଥିଲେ। ୨୦୦୫ ମସିହାରେ ଗ୍ୟାଙ୍ଗର କିଛି ସଦସ୍ୟ ତାମିଲନାଡ଼ୁର ଏଆଇଏଡିଏମ୍କେର ଜଣେ ବିଧାୟକଙ୍କୁ ହତ୍ୟା କରିଥିଲେ। ସେହିପରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଭଳି ରାଜ୍ୟରେ ଜାତୀୟ ରାଜପଥକୁ ଲାଗି ରହିଥିବା ଜନବସତିରେ ଲୁଟ୍ପାଟ୍ କରିବା ସହ ହତ୍ୟାକାଣ୍ଡ ଭିଆଇଥିଲେ। ଗ୍ୟାଙ୍ଗ୍ର ଉତ୍ପାତ ଦେଖି ତାମିଲନାଡୁ ପୁଲିସ୍ ସେହି ମସିହାରେ ପ୍ରଥମେ ଅପରେସନ୍ ‘ବାୱାରିଆ’ କରିଥିଲା। ଏବେ ଏମାନେ ଓଡ଼ିଶାରେ ଡେରା ପକାଇଥିବାରୁ ସାଧାରଣରେ ଭୟର ବାତାବରଣ ଖେଳି ଯାଇଛି।
କେମିତି ଧରାପଡ଼ିଲେ
ଗତ କିଛି ମାସ ହେଲା ଏହି ଗ୍ୟାଙ୍ଗ୍ ଭୁବନେଶ୍ବର ଓ କଟକରେ ଲୁଟ୍ପାଟ କରି କମିସନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା। ଫେବ୍ରୁଆରିରୁ ମେ’ ମଧ୍ୟରେ କେବଳ ଭୁବନେଶ୍ବରରେ ୧୫ଟି ମାମଲା ରୁଜୁ ହୋଇଛି। ମର୍ଣ୍ଣିଂୱାକ୍ କରୁଥିବା ମହିଳା ଓ ଯୁବତୀଙ୍କୁ ଏହି ଗ୍ୟାଙ୍ଗ୍ ଟାର୍ଗେଟ୍ କରୁଥିଲା। ବାଇକ୍ରେ ଆସି ପଇଁତରା ମାରିବା ସହ ବାଟରେ ସୁଯୋଗ ପାଇବା ମାତ୍ରେ ବେକରୁ ସୁନାହାର ଝାମ୍ପି ନେଉଥିଲେ। ବଡ଼ଗଡ଼, କ୍ୟାପିଟାଲ, ଧଉଳି, ନୂଆପଲ୍ଲୀ, ସହିଦନଗର, ଭରତପୁର, ଲିଙ୍ଗରାଜ ଆଦି ଥାନା ଅଞ୍ଚଳରେ ବାରମ୍ବାର ଲୁଟ୍ ହେବାରୁ କମିସନେରଟ୍ ପୁଲିସର ମୁଣ୍ଡ ବିନ୍ଧିଥିଲା। ଗ୍ୟାଙ୍ଗ୍କୁ ଧରିବା ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ୍ ହୋଇଯାଇଥିଲା। ତେଣୁ ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ସ୍ପେସାଲ୍ ସ୍କ୍ବାଡ୍ ଏସିପି ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବରେ ପିଓପିଡି ଟିମ୍ ଓ ଟିମ୍-୬୦ ଏହି ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିବାକୁ ଲାଗି ପଡ଼ିଥିଲେ। ଲୁଟ୍ ହୋଇଥିବା ସମସ୍ତ ଥାନା ଅଞ୍ଚଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଥିଲା।
ସେହିଭଳି ଲୁଟ୍ର ଶିକାର ବ୍ୟକ୍ତିମାନଙ୍କୁ ଡାକି ଲୁଟ୍ ସମୟର ତରିକା ସମ୍ପର୍କରେ ବୁଝିବା ସହ ଯେଉଁ ଅଞ୍ଚଳରୁ ଚୋରି ହୋଇଥିଲା, ସେଠାକାର ସିସିଟିଭି ଫୁଟେଜ୍ ପୁଲିସ ସଂଗ୍ରହ କରିଥିଲା। ସବୁ ଫୁଟେଜ୍ ମେଳ କଲା ପରେ ପୁଲିସକୁ ସୁରାକ୍ ମିଳିଥିଲା। ପୁଲିସ ପ୍ରଥମେ ସିସିଟିଭି ଫୁଟେଜ୍ରୁ ଦୁଇଟି ବାଇକ୍କୁ ଚିହ୍ନଟ କରିଥିଲା। ସେମାନେ ବାଇକ୍ର ନମ୍ବରକୁ ସ୍କ୍ରାଚ୍ କରିଥିବା ଲକ୍ଷ୍ୟ କରାଯାଇଥିଲା। ସମସ୍ତ ତଥ୍ୟ ହାସଲ ପରେ ଶନିବାର ବିଳମ୍ବିତ ରାତିରେ ସ୍ପେସାଲ୍ ସ୍କ୍ବାଡ୍ର ଏକ ସ୍ବତନ୍ତ୍ର ଟିମ୍ ବାଇକ୍କୁ ପିଛା କରିଥିଲା। ସେମାନେ ପୁରୀ ରେଳ ଷ୍ଟେସନ୍ରେ ବାଇକ୍ ରଖିବା ପରେ ତୁରନ୍ତ ପୁଲିସର ଟିମ୍ ସେମାନଙ୍କୁ ଘେରି ଯାଇଥିଲେ। ଦୁଇଜଣଙ୍କୁ କାବୁ କରିବା ବେଳେ ଜଣେ ଘଟଣାସ୍ଥଳରୁ ଖସି ପଳାଇଥିଲା। ପରେ ପୁଲିସ ଦୁଇଜଣଙ୍କୁ ସେଠାରେ ପଚରାଉଚରା କରିବାରୁ ସେମାନେ ସତ ମାନିଥିଲେ। ଅନ୍ୟ ଦୁଇଜଣ ନିକଟ ଏକ ହୋଟେଲ୍ରେ ଥିବା କହିଥିଲେ। ଚତୁରତାର ସହ ପୁଲିସ ଦୁଇ ଲୁଟେରାଙ୍କ ଫୋନ୍ରୁ କଲ୍ କରି ସେମାନଙ୍କୁ ସେଠାକୁ ଡକାଇଥିଲା। ପୁଲିସ କହିଥିବା ସ୍ଥାନରେ ପହଞ୍ଚି ନମ୍ବରକୁ କଲ୍ କରିଥିଲେ। ପୂର୍ବରୁ ଛକି ବସିଥିବା ପୁଲିସ ସେମାନଙ୍କୁ କାବୁ କରିଥିଲା। ୪ ଲୁଟେରାଙ୍କୁ କାବୁ ପରେ ଭୁବନେଶ୍ବର ଆଣି ମାରାଥନ୍ ଜେରା କରାଯାଇଥିଲା। ସେମାନଙ୍କ ପାଖରୁ ପୁଲିସ୍ ସୁନାଚେନ୍, ବାଇକ୍, ମୋବାଇଲ୍ ଆଦି ଜବତ କରିଥିଲା।