ବିଦେଶରୁ ଚିତ୍ର ପାଇଁ ବରାଦ: କରୋନା କାଢ଼ି ଆଣିଲା ସିଲିଙ୍କ କଳା

ଭୁବନେଶ୍ବର: କରୋନା ମହାମାରୀ ବିଶ୍ବରେ ହାହାକାର ସୃଷ୍ଟି କରିଛି। ହଜାର ହଜାର ଶିଶୁଙ୍କୁ ଅନାଥ କରିଛି। କିନ୍ତୁ ବିଶ୍ବ ପାଇଁ ଅଭିଶାପ ଭିତରେ ବି କରୋନା କେତେକଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଅନେକଙ୍କୁ ବଞ୍ଚିବା ପାଇଁ ସଂଘର୍ଷର ରାସ୍ତା ବତାଇଛି। ଅନେକଙ୍କ ଭିତରେ କିଛି ନୂଆ କରିବାର ଉନ୍ମାଦନା ସୃଷ୍ଟି କରିଛି। ସେମିତି କରୋନା କାଢ଼ି ଆଣିଛି ସିଲି ଭିତରେ ଛପି ରହିଥିବା କଳାକୃତିର ସମ୍ଭାରକୁ। ସେମିତି ସାମା‌ଜିକ ଗଣମାଧ୍ୟମ ବି ସିଲିର କଳାକୁ ପ୍ରସାର କରି ତା’ର ପରିଚିତି ବୃଦ୍ଧି କରିଛି। ସ୍କୁଲ୍‌ ବନ୍ଦ ଥିବା ବେଳେ ଘରେ ସମୟ କାଟିବାକୁ ଚିତ୍ର ଆଙ୍କୁ ଆଙ୍କୁ ସିଲି ଏବେ ପାଲଟି ଯାଇଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ। ତାଙ୍କ ହାତର ଯାଦୁ ଏବେ ବିଦେଶ ପର୍ଯ୍ୟନ୍ତ ଲମ୍ବି ଚିତ୍ରଲୋଭି ମଣିଷ ପାଖରେ ପହଞ୍ଚି ପାରିଛି। ତେଣୁ ଚିତ୍ର ଆଙ୍କି ସିଲି ଏବେ ବେଶ୍ ଭଲ ଅର୍ଥ ରୋଜଗାର କରିପାରୁଛନ୍ତି। ଅବିଶ୍ବାସ ଭଳି ମନେ ହେଉଥିଲେ ବି ଏହା ସତ ଯେ ସିଲି ଏବେ ମାସିକ ୩୦ ହଜାରରୁ ଅଧିକ ଅର୍ଥ ରୋଜଗାର କରିପାରୁଛନ୍ତି।

ଭିଏସ୍‌ଏସ୍‌ନଗରରେ ରହୁଥିବା ସିଲିପ୍ରଭା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପାସ୍‌ କରିଛନ୍ତି। ଗତବର୍ଷ କରୋନା ପାଇଁ ସ୍କୁଲ ବନ୍ଦ ଥିଲା। ତେଣୁ ଘରେ ବହୁ ଅବସର ସମୟ ମିଳିଥିଲା। ତେଣୁ ପିଲା ଦିନରୁ ଚିତ୍ର ପ୍ରତି ଥିବା ସିଲିଙ୍କ ଆଗ୍ରହ ପୁଣି ଚେଇଁ ଉଠିଥିଲା। ବିଭିନ୍ନ ଦେବାଦେବୀ, ସେଲିବ୍ରିଟ୍‌ଙ୍କ ଚିତ୍ର ଆଙ୍କି ସେ ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ବହୁ ଲୋକଙ୍କ ପ୍ରଶଂସାଭାଜନ ହେଲେ। ଏହିଠାରୁ ଆରମ୍ଭ ହେଲା ତାଙ୍କ ବ୍ୟବସାୟର ରାସ୍ତା। ବରାଦ ଅନୁସାରେ ସେ ବିଭିନ୍ନ ଲୋକଙ୍କ ପୋର୍ଟ‌ରେଟ୍‌ ଆଙ୍କି ପ୍ରସିଦ୍ଧି ପାଇଲେ। ‌ସୋସିଆଲ୍‌ ମିଡିଆ ଜରିଆରେ ବି ତାଙ୍କ ପାଖକୁ ବହୁ ବରାଦ ଆସିଲା। ବରାଦ ଅନୁସାରେ ପୋର୍ଟରେଟ୍‌ ପ୍ରସ୍ତୁତ କରି ପଠାଇବା ପରେ ତାଙ୍କୁ ପାରିଶ୍ରମିକ ବାବଦରେ ବେଶ୍‌ କିଛି ଅର୍ଥ ମିଳିଲା। ଗୋଟେ ପୋର୍ଟରେଟ୍ କରିବାକୁ ସିଲିଙ୍କୁ ୩ରୁ ୪ଘଣ୍ଟା ସମୟ ଲାଗିଥାଏ। ଏ-୪ ସାଇଜ୍‌ର ପୋର୍ଟରେଟ୍‌କୁ ବନ୍ଧେଇ ସହ ୧୮ ଶହ ଟଙ୍କା ଓ ଏ-୩ ସାଇଜ୍‌କୁ ଦୁଇ ହଜାର ଟଙ୍କାରେ ବିକ୍ରି ହୋଇଥାଏ ବୋଲି ସିଲି କହିଛନ୍ତି। ସେହିଭଳି ଦେବାଦେବୀଙ୍କର ଚିତ୍ରକୁ ସାଇଜ୍ ଅନୁସାରେ ୫୦୦ରୁ ଆରମ୍ଭ କରି ୧୨୦୦ଟଙ୍କା ଯାଏ ବିକ୍ରି ହୁଏ ବୋଲି ସେ କହିଛନ୍ତି। ଏହି ଅର୍ଡର ସବୁ ଅନ୍‌ଲାଇନ ମାଧ୍ୟମରେ ତାଙ୍କୁ ମିଳିଥାଏ ଓ ଗୋଟିଏ ଅର୍ଡର ପାଇଁ କିଛି ଆଡଭାନ୍ସ ଟଙ୍କା ରଖି ୭ ଦିନରେ ସେ ଡେଲିଭରି କରନ୍ତି ବୋଲି କହିଛନ୍ତି। ଏବେ ତାଙ୍କ ପାଖକୁ ବହୁ ବରାଦ ଆସୁଛି, କିନ୍ତୁ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କାରେ ସେ ବାଛିବାଛି ଅଳ୍ପ କିଛି ବରାଦ ରଖୁଥିବା କହିଛନ୍ତି।
ନିଜ ସଫଳତାକୁ ନେଇ ସିଲି କହିଛନ୍ତି ଯେ ତାଙ୍କୁ ଏମିତି ପ୍ରସିଦ୍ଧି ମିଳିବ ବୋଲି ସେ କେବେ ଭାବିନଥିଲେ। ଭଗବାନଙ୍କ ଆଶୀର୍ବାଦରୁ ସବୁ କିଛି ହୋଇଛି। ଏବେ ଦୁବାଇରୁ ବହୁ ଅର୍ଡର ଆସୁଛି। ଆଗକୁ ସେ ରଘୁରାଜପୁର ଯାଇ ଭାସ୍କର ମହାପାତ୍ରଙ୍କ ଠାରୁ ପଟ୍ଟଚିତ୍ର ଶିଖିବେ ବୋଲି ଯୋଜନା କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର