ଭୁବନେଶ୍ୱର: ବିଏମ୍‌ସି ପକ୍ଷରୁ ସିଆରପିଏଫ ନିକଟରେ ଥିବା ଭେଣ୍ଡିଂ ଜୋନ୍ ଆବଣ୍ଟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନୟାପଲ୍ଲୀ ଗଣେଷ ବଜାର ଅଞ୍ଚଳରେ ଥିବା ୧୩ ଯୋଗ୍ୟ ହିତାଧିକାରୀଙ୍କୁ ପୂର୍ବରୁ ଆବଣ୍ଟନ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଭିଆଇପି ରୋଡ୍‌ରେ ଚିହ୍ନଟ ଓମ୍‌ଫେଡ୍‌, ଓପେଲ୍‌ଫେଡ୍‌, ପିସିଓ ଓ ଫୁଲ ଦୋକାନୀଙ୍କୁ ୭ଟି କ୍ୟାବିନ୍‌ ଆବଣ୍ଟନ କରାଯାଇଛି। ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ଏହି ଲଟେରି ଜରିଆରେ ଆବଣ୍ଟନ ହୋଇଛି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ସମସ୍ତ ବଳକା ୧୮ଟି କ୍ୟାବିନ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ଯିବ ବୋଲି ମେୟର ସୂଚନା ଦେଇଛନ୍ତି। ‘ମୁକ୍ତା’ ଅଧୀନରେ ୩୮ଟି କ୍ୟାବିନ ନିର୍ମାଣ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଭେଣ୍ଡିଂଜୋନ୍‌ରେ କ୍ୟାବିନ ପାଇଥିବା ସମସ୍ତ ହିତାଧିକାରୀ ବିଏମ୍‌ସିର ନିୟମ ଅନୁଯାୟୀ ବାର୍ଷିକ ଅଗ୍ରୀମ ଓ ମାସିକ ଦେୟ ପୈଠ କରିବେ। ଟ୍ରେଡ ଲାଇସେନ୍ସ କରିବା ସହ ଏହାକୁ ଭଡାସୂତ୍ରରେ ଲଗାଇ ପାରିବେ ନାହିଁ କିମ୍ବା ବିକ୍ରି କରିପାରିବେ ନାହିଁ। ଏଭଳି କରିବା ନଜରକୁ ଆସିଲେ, ସେମାନଙ୍କର କ୍ୟାବିନ ସହ ଟ୍ରେଡ୍‌ ଲାଇସେନ୍ସ ବାତିଲ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଠାରେ ‘ଫୁଡ୍ ଓ ନନ୍ ଫୁଡ୍‌ ଜୋନ୍‌’ ରହିଛି। ୧ ନମ୍ବରରୁ ୧୪ ନମ୍ବର ପର୍ଯ୍ୟନ୍ତ ଫୁଡ୍‌ ଜୋନ୍‌ ରହିଥିବା ବେଳେ ୧୫ ନମ୍ବରରୁ ୩୮ ନମ୍ବର କ୍ୟାବିନ ପର୍ଯ୍ୟନ୍ତ ନନ୍ ଫୁଡ୍‌ ଜୋନ୍‌ କରାଯାଇଛି। ଏହି ଆବଣ୍ଟନ କାର୍ଯ୍ୟକ୍ରମରେ ମେୟରଙ୍କ ସହ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର(ମାର୍କେଟ୍‌) ଅଶୋକ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଅକ୍ଟୋବର ୯ ତାରିଖ ଦିନ ଏହି ଭେଣ୍ଡିଂଜୋନ୍‌କୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା।