ଚା’ ଦୋକାନ ଖୋଲିବାକୁ ଅନୁମତି ଦିଅ

ଭୁବନେଶ୍ବର: ହୋଟେଲ, ରେସ୍ତୋରାଁ ଖୋଲିବାକୁ ଅନୁମତି ଅଛି। ମିଠା ଦୋକାନ ଖୋଲିବାକୁ ଅନୁମତି ଅଛି। ସେମାନେ ଯଦି କୋଭିଡ୍‌ ନିୟମ ପାଳନ କରି ପାର୍ସଲରେ ବିକ୍ରି କରିପାରିବେ, ତେବେ ଚା’ ବି କାହିଁକି ପାର୍ସଲରେ ବିକି ହେବ ନାହିଁ? ଆଜି ଏମିତି ପ୍ରଶ୍ନ କରି ଭୁବନେଶ୍ବର ଚା’ ଦୋକାନୀ ସଂଘ ସରକାରଙ୍କୁ ଦୋକାନ ଖୋଲିବାକୁ ଅନୁମତି ମାଗିଛି। ଆଜି ଜୟଦେବ ଭବନଠାରେ ଚା’ ଦୋକାନ ମହାସଂଘ ପକ୍ଷରୁ ଏହି ଅବସରରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି।

ସଂଘର ଅଭିଯୋଗ ଅନୁସାରେ ରାଜଧାନୀରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ବ ଚା’ ଦୋକାନ ରହଛି। ଏହି ଗରିବ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପରିବାର ପୂରା ଏହା ଉପରେ ନିର୍ଭରଶୀଳ। ଲକ୍‌ଡାଉନ୍‌ରେ ଦୋକାନ ବନ୍ଦ ହୋଇଯିବାରୁ ଏବେ ପରିବାର ପ୍ରାୟ ଭୋକ ଉପାସରେ ରହିବା ସ୍ଥିତି ପହଞ୍ଚିଛି। ପାଖରେ ସଂଚିତ ଅର୍ଥ ସହ ଯାହା ଗହଣାଗାଣ୍ଠି ସବୁ ଥିଲା ବିକିଭାଙ୍ଗି ଆଜି ପର୍ଯ୍ୟନ୍ତ ପରିବାର ଚଳାଇ ଆସିଛୁ। ଏବେ ପରିସ୍ଥିତି ଅସମ୍ଭାଳ। ପିଲାଛୁଆ ଭୋକରେ ଆଉଟୁପାଉଟୁ ହେବେ। ତେଣୁ ସରକ‌ାର ଦୋକାନ ଖୋଲିବାକୁ ଅନୁମତି ଦିଅନ୍ତୁ। ଅନ୍ତତଃ କିଛି ଦୋକାନୀ ବଞ୍ଚିଯିବେ। ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଜେନାଙ୍କ କହିବା କଥା; ସେମାନେ କଟକଣା ମାନି ଦୋକାନ ଖୋଲିବେ। ପାର୍ସଲ କରି ଚା’ ବିକିବେ। ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ନିକଟରେ ପାର୍ସଲରେ ବି ଚା’ ବିକିବା ସୁବିଧା ରହିଛି। ଏହା ଦ୍ବାରା ଦୁଗ୍‌ଧ ଚାଷୀ ଉପକୃତ ହେବା ସହ ସେମାନେ ବି ପରିବାର ବଞ୍ଚାଇ ପାରିବେ। ତେଣୁ ସରକାର ବିଚାର କରନ୍ତୁ ବୋଲି ଶ୍ରୀ ଜେନା ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର