ହୋଟେଲ୍‌ ଖୋଲିବାକୁ ଅନୁମତି, ବ୍ୟବସାୟ ବାଟ ବନ୍ଦ

ଭୁବନେଶ୍ବର : ପର୍ଯ୍ୟଟନସ୍ଥଳୀକୁ ଯିବା ମନା। ସମ୍ମିଳନୀ ଆୟୋଜନର ଅନୁମତି ନାହିଁ। ଏସବୁ ସତ୍ତ୍ବେ ଜୁନ୍‌ ୮ରୁ ହୋଟେଲ୍‌ ଖୋଲିବାକୁ ସବୁଜ ସଙ୍କେତ ମିଳିଛି। ଏହା ହୋଟେଲ୍‌ ଶିଳ୍ପ ଜଗତକୁ କିଛିଟା ଆଶ୍ବସ୍ତ କରିଛି ସତ କିନ୍ତୁ ସନ୍ତୁଷ୍ଟ କରିପାରିନାହିଁ। ଯଦିଓ ହୋଟେଲ୍‌ ଖୋଲିବ କିନ୍ତୁ ପର୍ଯ୍ୟଟନସ୍ଥଳ ବନ୍ଦ ଥିବାରୁ ପର୍ଯ୍ୟଟକ ଆସିବେ ନାହିଁ। ସମାବେଶ କରିବାକୁ ବାରଣ କରାଯାଇଥିବାରୁ ହୋଟେଲ୍‌ରେ ସମ୍ମିଳନୀ ମଧ୍ୟ ହେବ ନାହିଁ। ତେଣୁ ହୋଟେଲ୍‌ର ମୁଖ୍ୟ ଗ୍ରାହକମାନଙ୍କ ପାଦ ହୋଟେଲ୍‌ରେ ପଡ଼ିବ ନାହିଁ। ଫଳରେ ହୋଟେଲ୍‌ ଖୋଲିଲେ ମଧ୍ୟ ବ୍ୟବସାୟର ଏକ ବଡ଼ ଅଂଶ ପ୍ରଭାବିତ ହେବ।

redbus.in

‌ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଶାଖା ହେଉଛି ହୋଟେଲ୍‌ ଶିଳ୍ପ। ପର୍ଯ୍ୟଟକମାନେ ହୋଟେଲ୍‌ର ସୁବିଧା ଥିବାରୁ ରାଜ୍ୟ ଓ ଦେଶ ବାହାରୁ ଆସନ୍ତି। ପର୍ଯ୍ୟଟନସ୍ଥଳ ବୁଲିବା ସହ ହୋଟେଲ୍‌ରେ ରହଣି କରନ୍ତି। ମାତ୍ର ପର୍ଯ୍ୟଟନସ୍ଥଳ ଖୋଲିବ ନା ନାହିଁ, ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଏଣେ ଅନ୍ତର୍ଜାତୀୟ ବିମାନ ସେବା ବି ବନ୍ଦ ରଖିବାକୁ କୁହାଯାଇଛି। ତେଣୁ ଅନ୍ତର୍ଜାତୀୟ ପର୍ଯ୍ୟଟକ ଆଶା କରାଯାଇପାରିବ ନାହିଁ। ଯଦିଓ ଦେଶୀୟ ପର୍ଯ୍ୟଟନକୁ ଗୁରୁତ୍ବ ଦେବାକୁ କୁହାଯାଇଛି, ହେଲେ ତାହା ମଧ୍ୟ ଖୋଲିବାକୁ ଅନୁମତି ମିଳି ନାହିଁ। ଏନେଇ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାରୋ)ର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି, ସମ୍ମିଳନୀ ଓ ବାହାଘର ଉତ୍ସବର ଆୟୋଜନ ହୋଟେଲ୍‌ ବ୍ୟବସାୟକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ରହିଛି। ମାଇସ୍‌ (ସମ୍ମିଳନୀ) ପର୍ଯ୍ୟଟନ ବୃଦ୍ଧି ପାଇଥିବାରୁ ଏହାଦ୍ବାରା ଅନେକ ହୋଟେଲ୍‌ ଭଲ ବ୍ୟବସାୟ ପାଇ ଆସୁଛନ୍ତି। ଏହାବ୍ୟତୀତ ବାହାଘର ଉତ୍ସବ ଆୟୋଜନ ଦ୍ବାରା ହୋଟେଲ୍‌ ଶିଳ୍ପ ଲାଭବାନ ହୁଏ। କିନ୍ତୁ ଏବେ ହୋଟେଲ୍‌ ଖୋଲିଲେ ମଧ୍ୟ ଏସବୁ କାର୍ଯ୍ୟକ୍ରମ ହେବ ନାହିଁ। କେବଳ କ୍ବାରାଣ୍ଟିନ୍‌ରେ ରହିବାକୁ ଥିବା ଲୋକେ ଆସି ରୁମ୍‌ ବୁକିଂ କରିବେ। ଏମିତିରେ ହୋଟେଲ୍‌ ବ୍ୟବସାୟ ବଞ୍ଚେଇ ରଖିବା ଅସମ୍ଭବ ନହେଲେ ମଧ୍ୟ କଷ୍ଟକର ହୋଇପଡ଼ିବ। ସେ କହିଛନ୍ତି, ଅନ୍ତତଃ ବାହାଘରର ଅନୁମତି ହୋଟେଲ୍‌ଗୁଡ଼ିକୁ ପ୍ରଦାନ କରାଯାଉ। ଏଥିପାଇଁ ଯଦି ‌ନିର୍ଦିଷ୍ଟ ଗାଇଡ୍‌ଲାଇନ୍‌ କରାଯିବ, ତେବେ ବି ସେମାନେ ପ୍ରସ୍ତୁତ ଥିବା କହିଛନ୍ତି। ତାଙ୍କ କହିବା ମୁତାବକ, ଏପ୍ରିଲ୍‌ ଓ ମେ’ ମାସରେ ହେବାକୁ ଥିବା ବାହାଘର ଅଟକି ରହିଥିବାରୁ ଏବେ ବାହାଘର ଉତ୍ସବ ପାଇଁ ବୁକିଂ ଆସୁଛି। ହେଲେ ଏନେଇ ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇନଥିବାରୁ ବୁକିଂ କରାଯାଇପାରୁନାହିଁ। ଅନ୍ତତଃ ଏଥିପାଇଁ ଅନୁମତି ଦେବାକୁ ସେ ‌ନିବେଦନ କରିଛନ୍ତି। ସେ ଏକଥା ବି କହିଛନ୍ତି, ହୋଟେଲ୍‌ ଶିଳ୍ପରେ ଅନେକ ଚାକିରି ହରାଇ ସାରିଲେଣି। ଦୀର୍ଘ ଦିନ ପର୍ଯ୍ୟନ୍ତ ହୋଟେଲ ମାନ୍ଦା ଚାଲିବାକୁ ଥିବାରୁ ଅନେକ ହୋଟେଲ ବ୍ୟବସାୟୀ ଅଳ୍ପ କର୍ମଚାରୀରେ କାମ ଚଳାଇବେ। ତେଣୁ ଅନେକ ବେକାର ହୋଇ ବସି ରହିବେ। ହୋଟେଲ୍‌ ଶିଳ୍ପ ପକ୍ଷରୁ ସରକାରଙ୍କୁ ରିଲିଫ ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ନା କେନ୍ଦ୍ର ସରକାର ଶୁଣିଲେ ନା ରାଜ୍ୟ ସରକାର ଶୁଣିଲେ। ତେଣୁ ଏଭଳି ବେକାରୀ ସଙ୍କଟ ବଢ଼ିବାକୁ ଯାଉଛି ‌ବୋଲି ସେ କହିଛନ୍ତି।

ଅର୍ଥନୀତିଜ୍ଞ ରାଜୀବ ଶେଖର ସାହୁ କହିଛନ୍ତି, ଅନ୍‌ଲକ-୧ର ନିୟମ ମୁତାବକ, ରାତି ୯ଟା ମଧ୍ୟରେ ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଥିବାରୁ ଏହାଦ୍ବାରା ରେସ୍ତୋରାଁ ବେଶି କ୍ଷତିଗ୍ରସ୍ତ ହେବ। କାରଣ ରାଜଧାନୀ ଓ ଅନ୍ୟ ସଂଭ୍ରାନ୍ତ ସହରରେ ଲୋକେ ସନ୍ଧ୍ୟାରେ ହିଁ ବୁଲାବୁଲି କରିବା ପରେ ରାତିରେ ରେସ୍ତୋରାଁରେ ଖାଇ ଘରକୁ ଫେରନ୍ତି। କିନ୍ତୁ ଏହା ସମ୍ଭବତଃ ହୋଇପାରିବ ନାହିଁ। ହୋଟେଲ୍‌ ଓ ରେସ୍ତୋରାଁ କେବଳ ୨୦ରୁ ୩୦ ପ୍ରତିଶତ ବ୍ୟବସାୟ କରିବେ। ହୋଟେଲ୍‌ଗୁଡ଼ିକୁ ବୃହତ୍‌ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଅନଲକ-୨ ବେଳକୁ ଆଉ କିଛିଟା କୋହଳ ହେଲେ ପୁଣି କିଛିଟା ସୁଧାର ଆସିବ। ଧୀରେଧୀରେ ସ୍ଥିତି ସୁଧିରିବ। ତେଣୁ ‌କ୍ଷତିର ଉପଶମ ପାଇଁ ଆବଶ୍ୟକ ପ୍ୟାକେଜ୍‌ର ବ୍ୟବସ୍ଥା କରାଯିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର