ତାରକା ହୋଟେଲ୍‌ ଖୋଲିବାକୁ ମିଳିବ ଅନୁମତି!

ହୋଟେଲ ଖୋଲିବାକୁ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଲା ହାରୋ

ଭୁବନେଶ୍ବର: ଆଜିଠାରୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୧ରୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିରେ ଏଠାକୁ ଆସୁଥିବା ଏବଂ ଆସିବାକୁ ଥିବା ଯାତ୍ରୀ ଏବେ ହୋଟେଲ ବୁକିଂ କରିବାକୁ ଖୋଜୁଥିଲେ ହେଁ ହୋଟେଲ ମିଳୁନି। ତେଣୁ ବହୁ ଯାତ୍ରୀ ସେମାନଙ୍କ ଯାତ୍ରା ବାତିଲ୍‌ କରୁଛନ୍ତି। ଏପରିସ୍ଥଳେ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍‌ ଅଫ୍ ଓଡ଼ିଶା (ହାରୋ) ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଚିଠି ଲେଖି ହୋଟେଲ ଖୋଲିବାକୁ ଅନୁମତି ମାଗିଛି।

ହାରୋ ଅଧ୍ୟକ୍ଷ ଜେ.କେ ମହାନ୍ତି ଆଜି ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି ଯେ, ଆଜି ସକାଳେ ଭିସ୍ତାରା ବିମାନ ଦିଲ୍ଲୀରୁ ଭୁବନେଶ୍ବର ଆସିଥିବା ବେଳେ ଦିଲ୍ଲୀରୁ ଦୁଇଟି ବିମାନ ଆସିବାର ଅଛି। ପ୍ରତିଦିନ ବିମାନରେ ବାହାର ରାଜ୍ୟରୁ ଯାତ୍ରୀ ଆସିବେ। ତେଣୁ ସେମାନେ ହୋଟେଲ ରୁମ୍‌ ବୁକିଂ କରିବାକୁ ଫୋନ୍‌ କରୁଛନ୍ତି। ଏପରିକି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସକୁର୍ଲାର ଅନୁଯାୟୀ, ଅନ୍ତର୍ଜାତୀୟ ବିମାନରେ ଆସୁଥିବା ଯାତ୍ରୀଙ୍କୁ ହୋଟେଲରେ ସଙ୍ଗରୋଧ ହୋଇ ରହିବାକୁ ପଡ଼ିବ। ତେଣୁ ଆମକୁ ହୋଟେଲ ଖୋଲିବାକୁ ଅନୁମତି ଦିଆଯାଉ। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜଧାନୀର ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ଅନୁମତି ମିଳିବ। ଏନେଇ ମଙ୍ଗଳବାର ବିଏମ୍‌ସି ଏସ୍‌ଓପି ଜାରି କରିବ। ହୋଟେଲରେ କେତେ ଯାତ୍ରୀ ରହିପାରିବେ, ରେସ୍ତୋରାଁରେ ଖାଇପାରିବେ ନା ରୁମ୍‌କୁ ଅର୍ଡର ନେଇ ଖାଇବେ, ହୋଟେଲ କର୍ମଚାରୀ କିପରି ସେବା ଯୋଗାଇବେ, ହୋଟେଲକୁ ଆସୁଥିବା ଲୋକଙ୍କର ଥର୍ମାଲ୍‌ ସ୍କ୍ରିନିଂ ବାଧ୍ୟତାମୂଳକ କରିବା, ହୋଟେଲରେ ସଭା, ବୈଠକ, ବିବାହ ଓ ଅନ୍ୟ ଉତ୍ସବ ହେବ ନା ନାହିଁ ସେନେଇ ନିର୍ଦ୍ଦେଶନାମା ଜାରି ହେବ।

ସମ୍ବନ୍ଧିତ ଖବର