ପୁରୁଣା ଭୁବନେଶ୍ୱର: ଧର୍ମମାସ କାର୍ତ୍ତିକରେ ଏକାମ୍ରକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼ ଜମିଛି। ସେଥିପାଇଁ ମନ୍ଦିରଗୁଡ଼ିକରେ ଭିଡ଼ ଜମୁଛି। ତେବେ ଏକାମ୍ରକ୍ଷେତ୍ରରେ ଥିବା ହବିଷିଆଳି ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏ ମନ୍ଦିରକୁ କେହି ଯିବା ତ ଦୂରର କଥା, ଏହାର ଅବସ୍ଥିତି ସଂପର୍କରେ ବି କ୍ବଚିତ୍‌ ଲୋକ ଜାଣିଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରର ଅଧା ନଷ୍ଟ ହୋଇଯିବା ସହ ଗୁଲ୍ମଲତା ଭିତରେ ଲୁଚି ଯାଇଛି। ଏ ପବିତ୍ର କାର୍ତ୍ତିକ ମାସରେ ବି ସେଠାରେ ସଞ୍ଜଦୀପଟିଏ ଜାଳିବା ତ ଦୂରର କଥା, ଓଲଟା ମନ୍ଦିର ଉପରେ ଆବର୍ଜନା ଗଦାହେଉଛି।

Advertisment

ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ପ୍ରାୟ ୧୦୦ ମିଟର ଦୂରରେ ରାସ୍ତାକଡ଼ରେ ଅଛି ହବିଷିଆଳି ମନ୍ଦିର। ହାଟସାହି ଭିତର ଦେଇ କପିଳେଶ୍ୱର ଆଡ଼କୁ ଯିବାବେଳେ ପଡ଼େ ଏ ମନ୍ଦିର। ମନ୍ଦିରରେ ଦୁଇଟି କ୍ଷୁଦ୍ର ଶିବଲିଙ୍ଗ ରହିଛି। କାରୁକାର୍ଯ୍ୟରୁ ଏହା ଅତି ପୁରୁଣା ବୋଲି ଜଣାପଡ଼େ। କିନ୍ତୁ କେହି ବିଶେଷ ଧ୍ୟାନ ଦେଇନଥିବାରୁ ଏହାର ଇତିହାସ ସଂପର୍କରେ ଗବେଷଣା ହୋଇନାହିଁ। ଇତିହାସ ନିରବ ରହିଥିଲେ ହେଁ ମନ୍ଦିରକୁ ସ୍ଥାନୀୟ ଲୋକ ହବିଷିଆଳି ମନ୍ଦିର କହି ଆସୁଛନ୍ତି। କାରଣ ୫୦-୬୦ ବର୍ଷ ପୂର୍ବେ କାର୍ତ୍ତିକରେ ପୂଜା କରିବାଲାଗି ଏହି ମନ୍ଦିରକୁ ପ୍ରତିବର୍ଷ ଶତାଧିକ ହବିଷିଆଳି ଆସୁଥିଲେ। ଯେପରିକି ସ୍ଥାନୀୟ ଅଞ୍ଚଳର ବୟସ୍କ ବ୍ୟକ୍ତି ଅରକ୍ଷିତ ସାହୁ କହନ୍ତି ଯେ ପିଲାଦିନେ ସେ ଅନେକ ହବିଷିଆଳି ଆସି ଏଠାରେ ଥିବା

ଚଉରାମୂଳେ ମୁରୁଜ ପକାଇ ପୂଜା କରିବା ଦେଖିଛନ୍ତି। ୧୯୭୬ ମସିହାରେ ଏହି ମନ୍ଦିରକୁ ଭାଙ୍ଗି ରାସ୍ତା ଚଉଡ଼ା କରିବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ମନ୍ଦିର ଭଙ୍ଗା ଯାଇନଥିଲା ବୋଲି ସାହୁ କହନ୍ତି। ତେବେ ଅନ୍ୟପକ୍ଷରେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ କିଛି ଉଦ୍ୟମ କରାଯାଇନାହିଁ। ଅବହେଳାରୁ ମନ୍ଦିରର ଅଧାଅଂଶ ନଷ୍ଟ ହୋଇଗଲାଣି। ଲଟାବୁଦା ସହିତ ପାଖରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫରମର୍ ଦ୍ୱାରା ମନ୍ଦିରଟି ଲୁଚି ଗଲାଣି। କେନ୍ଦ୍ର ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହାର ପୁନରୁଦ୍ଧାର ପାଇଁ  କୌଣସି ପଦକ୍ଷେପ ନନେବା ଦୁଃଖର ବିଷୟବୋଲି ଶ୍ରୀ ସାହୁଙ୍କ ସମେତ ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି।