ଯନ୍ତ୍ରଣା ଦେଉଛି ନିଃସଙ୍ଗ ବାର୍ଦ୍ଧକ୍ୟ

ଭୁବନେଶ୍ବର : ଏ ନିଃସଙ୍ଗ ବାର୍ଦ୍ଧକ୍ୟ କ’ଣ ସତରେ ଏତେ ଯନ୍ତ୍ରଣା ଦାୟକ? ମୃତ୍ୟୁକୁ ଭୟ କରୁଥିବା ଲୋକଟିଏ କ’ଣ ବାର୍ଦ୍ଧକ୍ୟରେ ଏତେ ସହଜରେ ମୃତ୍ୟୁକୁ ଆପଣେଇ ନେଇପାରେ? ଏ ପ୍ରଶ୍ନର ଉତ୍ତର ହୁଏତ ସେଇ ନିଃସଙ୍ଗ ବୃଦ୍ଧ ବାପା ମା’ମାନେ ଦେଇପାରିବେ। ବୃଦ୍ଧାବସ୍ଥାରେ ନିଜ ମା’ଙ୍କ ଯନ୍ତ୍ରଣା ଜର୍ଜରିତ ମୃତ୍ୟୁକୁ ଅଙ୍ଗେ ନିଭାଇବା ପରେ ଭବିଷ୍ୟତରେ ନିଜ ନିଃସଙ୍ଗ ବାର୍ଦ୍ଧକ୍ୟର କୁପରିଣତିକୁ ଆଶଙ୍କା କରି ୫୨ ବର୍ଷ ବୟସରେ ଆତ୍ମହତ୍ୟା କରିଥିବା ବ୍ରହ୍ମପୁରର ଅଜିତ କୁମାର ପଣ୍ଡାଙ୍କ କଥା ଚିନ୍ତା କଲେ, ବୋଧହୁଏ ଉପରୋକ୍ତ ସମସ୍ତ ପ୍ରଶ୍ନର ଉତ୍ତର ହେବ, ହଁ ବହୁତ ଯନ୍ତ୍ରଣାଦାୟକ। ହୋଇ ବି ନପାରେ। ମାତ୍ର ନିଃସଙ୍ଗ ବାର୍ଦ୍ଧକ୍ୟ ଯେ ବଞ୍ଚି ରହି ମୃତ୍ୟୁଜାଲରେ ଘାଣ୍ଟି ହେବା ସହ ସମାନ, ତାହା ସହରର ଗଳିକନ୍ଦିରେ ନିଃସହାୟ ବୃଦ୍ଧ/ବୃଦ୍ଧାଙ୍କୁ ଦେଖିଲେ ସ୍ପଷ୍ଟ ବାରିହୁଏ।

ସେଇଭଳି ନିଃସଙ୍ଗ ଜୀବନ ବିତାଉଥିବା ଲୋକଙ୍କୁ ଅନ୍ବେଷଣ ବେଳେ ଭେଟ ହୋଇଥିଲା ଗଂଜାମ ମାଗୁରୁପୁଞ୍ଜ ଗାଁ’ର ୫୮ ବର୍ଷୀୟା ଅମ୍ବୃତି ଦଳେଇଙ୍କ ସହ। ୨ ଗୋଡ଼ ପୋଲିଓ ଆକ୍ରାନ୍ତ ହୋଇଥିବାରୁ ସେ ଅବିବାହିତ ରହିଗଲେ। ବାର୍ଦ୍ଧକ୍ୟ ନ ଗ୍ରାସିବା ଯାଏଁ ସେ ଭାଇ ଭାଉଜଙ୍କ ପାଖରେ ରହୁଥିଲେ। ମାତ୍ର ଭାଇ ଭାଉଜଙ୍କୁ ବାର୍ଦ୍ଧକ୍ୟ ଧରିବା ପରେ ଅମ୍ବୃତିକୁ ସେମାନେ ଘରେ ଆଶ୍ରୟ ଦେଇପାରିଲେ ନାହିଁ। ତେଣୁ‌ ବଞ୍ଚିବା ପାଇଁ ବାଧ୍ୟ ହୋଇ ସେ ରାଜଧାନୀର ଏକ ମଠରେ ଆଶ୍ରୟ ନେଇଛନ୍ତି। ମାତ୍ର ଏବେ ବି ନିଜ ଲୋକଙ୍କୁ ସେ ଭାଳି ହୁଅନ୍ତି। ନିଜ ଘରକୁ, ଅନ୍ତରଙ୍ଗ ଲୋକଙ୍କ ପାଖକୁ ଫେରି ଯିବାକୁ ଚାହାନ୍ତି। କିନ୍ତୁ ଅସହିଷ୍ଣୁ ସମାଜ ତାଙ୍କୁ ଏଯାଏଁ ନିଃସଙ୍ଗତାରୁ ମୁକ୍ତି ଦେଇ ପାରିନାହିଁ।

ସେମିତି ଆଉ ଜଣେ ବୃଦ୍ଧ ହେଉଛନ୍ତି ୮୦ ବର୍ଷୀୟ ବୃଦ୍ଧ ମୋସେସ୍‌। କଟକର ଓଡ଼ିଆ ବଜାରରେ ରହୁଥିବା ମୋସେସ୍‌ଙ୍କ ପ୍ରକୃତ ଘର ଆନ୍ଧ୍ରପ୍ରଦେଶରେ। ତେବେ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଦିନେ କଟକ ଚାଲି ଆସିଥିଲେ। ବାହା ହୋଇଥିଲେ ସତ, କିନ୍ତୁ ସନ୍ତାନ ହେଲା ନାହିଁ। ଦୁର୍ଭାଗ୍ୟକୁ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଗଲା। ପୁଣି ବୋଝ ଉପରେ ନଳିତା ବିଡ଼ା ସଦୃଶ ଏକ ଦୁର୍ଘଟଣାରେ ମୋସେସ୍‌ଙ୍କ ଗୋଡ଼ କଟିଗଲା। ନିଃସଙ୍ଗ, ପୁଣି ଭିନ୍ନକ୍ଷମ। ଏମିତିରେ କେତେଥର ସେ ବି ଭାବିଛନ୍ତି, ବଞ୍ଚି ରହି କି ଲାଭ। ମୃତ୍ୟୁକୁ ସିନା ଆପଣେଇନାହାନ୍ତି, କିନ୍ତୁ ପ୍ରତିଦିନ ମୃତ୍ୟୁ ତାଙ୍କ ନିକଟତର ହେଇ ଚାଲିଛି।

ରାଜଧାନୀ ଫୁଟ୍‌ପାଥ୍‌ରେ ବାଦାମ ବିକି ହେଉ ଅବା କାହାଘରେ ପାଇଟି କରି ଅନେକ ବୃଦ୍ଧ ବୃଦ୍ଧା ଏବେ ବସ୍ତିରେ ଭଙ୍ଗା ଟିଣ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ଉଠିବାକୁ ଅଣ୍ଟାରେ ଦମ୍ଭ ନାହିଁ। କିନ୍ତୁ ଦେହର କଷ୍ଟ ମନରେ ମାରି ପେଟ ଚାଖଣ୍ଡଙ୍କ ପାଇଁ ପ୍ରତି ମୁହୂର୍ତରେ ମରିମରି ଜିଉଁଛନ୍ତି। ଖାଲି ଅବିବାହିତ ନୁହନ୍ତି, ବରଂ ବାହା ହୋଇ ସନ୍ତାନ ସନ୍ତତି ନଥିବା ଏବଂ ଘରୁ ସନ୍ତାନଙ୍କ ଦ୍ବାରା ତଡ଼ା ଖାଇଥିବା ଏମିତି ହଜାର ହଜାର ବାପା ମା’ ଏବେ ଆପଣଙ୍କ ସାହିରେ, ପଡ଼ିଶାରେ ନଚେତ୍‌ ଘର ନିକଟରେ ରହୁଛନ୍ତି। କିନ୍ତୁ ତାଙ୍କ ଅନ୍ତର୍ବେଦନା ତାଙ୍କରି ଅନ୍ତରରେ ରହିଯାଉଛି। ଅତୀତରେ ସ୍ବେଚ୍ଛାସେବୀ ସଂସ୍ଥା ୟୁନାଟଇଟେ୍‌ ନେସନ୍‌ସ ପପୁଲେସନ୍ସ ଫଣ୍ଡ୍‌ ଇଣ୍ଡିଆର ସର୍ବେକ୍ଷଣ ହିଁ ଏହା ବୟାନ କରୁଛି। ରାଜ୍ୟର ୬୦ ବର୍ଷରୁ ଊର୍ଧ୍ବ ବୟସର ୧୦ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଦୁର୍ବ୍ୟବହାରର ଶିକାର ହୁଅନ୍ତି। ଗ୍ରାମାଞ୍ଚଳରେ ୮୧.୨ ଏବଂ ସହରାଞ୍ଚଳରେ ୬୫.୫ ପ୍ରତିଶତ ବୃଦ୍ଧ/ବୃଦ୍ଧା ବାଧ୍ୟବାଧକତାରେ ରୋଜଗାର ପାଇଁ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବୃଦ୍ଧବୃଦ୍ଧା ଏକାକୀ ଜୀବନ କାଟୁଛନ୍ତି। ସେଇ ଅସହାୟମାନଙ୍କୁ ଏହି ଯନ୍ତ୍ରଣାରୁ ଉଦ୍ଧାର କରିବା ପାଇଁ ବାସହୀନ ଆଶ୍ରୟସ୍ଥଳୀ ଖୋଲିଛି। ହେଲେ ଅନେକଙ୍କ ପାଇଁ ଏବେ ବି ଏହା ଅପହଞ୍ଚ।

ସମ୍ବନ୍ଧିତ ଖବର