ଏମ୍ସରେ ବିକଳ୍ପ ନିଶା ଚିକିତ୍ସା କେନ୍ଦ୍ର ଆରମ୍ଭ: ମାନସିକ ରୋଗୀଙ୍କ ପାଇଁ ଆପାତକାଳୀନ ଚିକିତ୍ସା

ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ ସେବା ଉଦ୍‌ଘାଟିତ

ଭୁବନେଶ୍ବର: ଏମ୍ସ ମାନସିକ ରୋଗ ବିଭାଗରେ ଏକାସହିତ ୩ଟି ଗୁରୁତ୍ବପୂର୍ଣ୍ଣ ସେବା ଆରମ୍ଭ ହୋଇଛି। ରାଜ୍ୟରେ ବ୍ରାଉନସୁଗାର, ଅଫିମ ଏବଂ ଇଞ୍ଜେକ୍ସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କୁ ଚିକିତ୍ସା ଜରିଆରେ ସମାଜର ମୁଖ୍ୟ ଧାରାକୁ ଆଣିବାକୁ ବିକଳ୍ପ ନିଶା ଚିକିତ୍ସା (ଓଏସଟି) କେନ୍ଦ୍ର ଖୋଲାଯାଇଛି। ଏଥିସହିତ ଗୁରୁତର ମାନସିକ ରୋଗୀଙ୍କ ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଆପାତକାଳୀନ ବ୍ୟବସ୍ଥା (ଆକ୍ୟୁଟ କେୟାର ୟୁନିଟ) ଏବଂ ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ଆରମ୍ଭ କରାଯାଇଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ଅନୁଷ୍ଠାନ (ଏସଆଇଇପି) ଓଡ଼ିଶାରୁ ରେଫର ହୋଇ ଆସୁଥିବା ଏପରି ଦିବ୍ୟାଙ୍ଗ ଶିଶୁଙ୍କୁ ଏମ୍ସରେ ଏହି ସେବା ଯୋଗାଇ ଦିଆଯିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ମାନସିକ ରୋଗ ବିଭାଗରେ ଏହି ସମସ୍ତ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଥିଲେ। ଏଥିରୁ ଉଭୟ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟରୁ ଆସୁଥିବା ନିଶା ରୋଗୀ ଏବଂ ଗୁରୁତର ମାନସିକ ରୋଗୀ ଲାଭାନ୍ବିତ ହେବେ। ସେହିପରି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ କ୍ଲିନିକାଲ୍ ସେବା ମଧ୍ୟ ରାଜ୍ୟ ପାଇଁ ଏକ ସୁଖବର ବୋଲି ପ୍ରଫେସର ବିଶ୍ୱାସ କହିଛନ୍ତି।

ଏହି ଅବସରରେ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି (ଓଏସଏସିଏସ)ର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଉର୍ମିଳା ମିଶ୍ର ଏବଂ ଏମ୍ସ ଭୁବନେଶ୍ୱରର ମେଡିକାଲ୍ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ ମାନସିକ ରୋଗ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମିଶ୍ର, ଓଏସଟି ସେଣ୍ଟରର ନୋଡାଲ ଅଫିସର ତଥା ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅର୍ପିତ ପରମାର, ମନସ୍ତତ୍ତ୍ୱ ବିଭାଗର ଡ. ଏସ୍ କେ ପାଢ଼ୀ, ଡ. ସୁରଭି ପାତ୍ର, ଡ. ଶ୍ରୀ ମିଶ୍ର ଏବଂ ଡ. ଦେବଦତ୍ତା ମହାପାତ୍ରଙ୍କ ସମେତ ଏସଆଇଇପିର ପ୍ରକଳ୍ପ ସଂଯୋଜକ ଡ. ପାମ୍ପା ଦେ, ଓଏସଟି କେନ୍ଦ୍ରର କର୍ମଚାରୀ ଏବଂ ଓସାକ୍ସ୍ ର ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏମ୍ସର ଏହି କେନ୍ଦ୍ରରେ ଦୈନିକ ୧୫୦-୨୦୦ ରୋଗୀଙ୍କୁ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରହିଛି। ତେବେ ଭିନ୍ନକ୍ଷମ ସଶକ୍ତୀକରଣ ଅନୁଷ୍ଠାନରୁ ଆସୁଥିବା ପିଲାମାନଙ୍କୁ ସପ୍ତାହରେ ପ୍ରତି ମଙ୍ଗଳବାର ଏବଂ ବୁଧବାର ଦିନ ମାନସିକ ରୋଗ ବିଭାଗ ଓପିଡ଼ିରେ ସେବା ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଭାଗର ଡ. ଏସ୍ କେ ପାଢ଼ୀ, ଡ. ସୁରଭି ପାତ୍ର, ଡ. ଶ୍ରୀ ମିଶ୍ର ଏବଂ ଡ. ଦେବଦତ୍ତା ମହାପାତ୍ରଙ୍କ ସମେତ ଏସଆଇଇପିର ପ୍ରକଳ୍ପ ସଂଯୋଜକ ଡ. ପାମ୍ପା ଦେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର