ଚୋରା ତାର ବୋଝେଇ ଟ୍ରକ୍‌ ଠାବ, ୧୦ ଲକ୍ଷ ଟଙ୍କାର ତମ୍ବା ଓ ଆଲୁମିନିୟମ୍ ତାର ଜବତ

ଖଣ୍ଡଗିରି : ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ କରୁଥିବା ତମ୍ବା ଓ ଆଲୁମିନିୟମ୍ ତାର ବୋଝେଇ ଏକ ଟ୍ରକ୍‌କୁ ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ଜବତ କରିଛି। ସେଥିରୁ ପ୍ରାୟ ଅଢ଼େଇ ଟନ୍‌ ମାଲ୍ ଜବତ କରାଯାଇଛି। କଟକ ଓ ଭୁବନେଶ୍ବରର ବିଭିନ୍ନ କବାଡ଼ିଆମାନଙ୍କଠାରୁ ଏହି ତାର ସଂଗ୍ରହ କରାଯାଇଛି। ପୁଲିସ ଟ୍ରକ୍‌ ଡ୍ରାଇଭର ଉତ୍ତରପ୍ରଦେଶ ଫାଇଜପୁର ଅଞ୍ଚଳର ତ୍ରିଭୁବନନାଥ ଯାଦବ(୬୩)କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ରୢାକେଟ୍‌ର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

ସୂଚନାନୁସାରେ, ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍ ଆଇଗିଣିଆ କୁବେରପୁରୀ ନିକଟରେ ଠିଆ ହୋଇଥିବା ଏହି ଟ୍ରକ୍‌(ଓଆର୧୧ସି-୧୯୩୧)କୁ ସନ୍ଦେହ କରି ଡ୍ରାଇଭରକୁ ପଚରାଉଚରା କରିଥିଲା। ଡ୍ରାଇଭର କଥାରେ ସନ୍ଦେହ ହେବାରୁ ପୁଲିସ ଟ୍ରକ୍‌ ଯାଞ୍ଚ କରି ସେଥିରେ ଆଲୁମିନିୟମ୍ ଓ ତମ୍ବା କଏଲ୍ ଥିବା ଦେଖିବାକୁ ପାଇଥିଲା। ସେଥିରେ ବିଦ୍ୟୁତ୍ ଖମ୍ବରେ ବ୍ୟବହୃତ ହେଉଥିବା ଆଲୁମିନିୟମ୍ ତାର ସହ ମୋବାଇଲ୍‌ ଟାୱାର୍‌ରେ ବ୍ୟବହୃତ ତମ୍ବା କଏଲ୍ ଥିଲା। ପରେ ଡ୍ରାଇଭର ସବୁ କଥା ମାନି ଯାଇଥିଲା। ଚୌଦ୍ବାର ମଙ୍ଗୁଳି ଅଞ୍ଚଳରୁ କବାଡ଼ିଆଙ୍କଠାରୁ ମାଲ୍ ନେଇ ଭୁବନେଶ୍ବର ଆସିଥିଲା ଓ ଏଠାରୁ ମାଲ୍‌ ନେଇ ପଶ୍ଚିମବଙ୍ଗ ଯିବାର ଥିଲା ବୋଲି ସେ କହିଥିଲା। ଏହି କାରବାର ପଛରେ ଏକ ବଡ଼ ରୢାକେଟ୍‌ ରହିଛି ବୋଲି ପୁଲିସ ସନ୍ଦେହ କରୁଛି। ଏହି ରୢାକେଟ୍‌ରେ ତାର ଚୋର ଓ କେବୁଲ୍‌ ମଧ୍ୟ ସାମିଲ୍‌ ଥିବା ଜଣାପଡ଼ୁଛି। ତେବେ ଏହି କାରବାର ପଛରେ ଟ୍ରକ୍‌ ମାଲିକଙ୍କ ସମ୍ପୃକ୍ତି ଅଛି କି ନା, ତାହା ସ୍ପଷ୍ଟ ହୋଇନାହିଁ। ଅଧିକ ତଦନ୍ତ ଚାଲିଛି ଓ ପୁଲିସ ଏକ ବଡ଼ ରୢାକେଟ୍‌ର ପର୍ଦାଫାସ କରିବ ବୋଲି ଆଶା ବାନ୍ଧିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର