ପୁରୁଣା ଭୁବନେଶ୍ବର: ବିଭିନ୍ନ ଦାବି ନେଇ ରାଜ୍ୟ ଅମଲା ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି। ଅମଲା ସଂଘର କଲମ ଛାଡ଼ ଆନ୍ଦୋଳନ ଯୋଗୁ ୬ ଦିନ ହେଲା ରାଜ୍ୟର ସବୁ ଜିଲ୍ଲାରେ ସବ୍ରେଜିଷ୍ଟ୍ରାର୍ ଓ ତହସିଲ କାର୍ଯ୍ୟାଳୟ ଅଚଳ ହୋଇପଡ଼ିଛି। ଫଳରେ ଜମିବାଡ଼ି ବିକାକିଣା ବନ୍ଦ ହୋଇଯାଇଥିବା ବେଳେ ତହସିଲ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରମାଣପତ୍ର ମିଳିବା ବନ୍ଦ ହୋଇଯାଇଛି। ତେବେ ଏହି ଆନ୍ଦୋଳନ ପାଇଁ ବେଶି ପ୍ରଭାବିତ ହେଉଛନ୍ତି ରାଜଧାନୀ ଓ ଉପକଣ୍ଠର ଲୋକେ। ଅମଲା ସଂଘର କାର୍ଯ୍ୟବନ୍ଦ ଡାକରା ରାଜକୋଷ ଉପରେ ଯେତିକି ପ୍ରଭାବ ପକାଇଛି, ତା’ଠୁ ବେଶି ଲୋକେ ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ପ୍ରମାଣପତ୍ର ପାଇଁ ଲୋକେ ପ୍ରବଳ ଗରମରେ ତହସିଲ କାର୍ଯ୍ୟାଳୟ ଆସି ହତାଶ ହୋଇ ଫେରୁଛନ୍ତି। ଏଣେ ସାଧାରଣ ଲୋକେ ସମସ୍ୟାରେ ପଡ଼ୁଥିବା ବେଳେ ଗଳାବାଟରେ ଚାଲିଛି ବଡ଼ବଡ଼ିଆଙ୍କ କାମ। ସ୍ବାଭାବିକ ପ୍ରକ୍ରିୟାରେ ଜମି ରେଜିଷ୍ଟ୍ରି ହେଉନାହିଁ ସିନା ଭିଜିଟ୍ ରେଜିଷ୍ଟ୍ରି ଚାଲିଛି ବୋଲି ଅଭିଯୋଗ ହେଉଛି।
ଅଭିଯୋଗ ଅନୁସାରେ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜମିବାଡ଼ି କିଣାବିକା ପଞ୍ଜୀକରଣ ବାଦ୍ ବିବାହ ରେଜିଷ୍ଟ୍ରେସନ୍, ରେଜିଷ୍ଟ୍ରି ଏଗ୍ରିମେଣ୍ଟ୍, ଅବିକଳ ନକଲ, ଟ୍ରଷ୍ଟ୍ ରେଜିଷ୍ଟ୍ରେସନ୍ ଆଦି କାର୍ଯ୍ୟ କରାଯାଏ। ମାତ୍ର ଏବେ ସବୁ ବନ୍ଦ। ଏଥିପାଇଁ ପ୍ରତିଦିନ ରେଜିଷ୍ଟ୍ରି କାର୍ଯ୍ୟାଳୟରୁ ଫେରୁଛନ୍ତି ଶତାଧିକ ଲୋକ। ସୂଚନାନୁସାରେ ରାଜ୍ୟରେ ରହିଛି ୧୯୧ଟି ସବ୍ରେଜିଷ୍ଟ୍ରି କାର୍ଯ୍ୟାଳୟ। ଭୁବନେଶ୍ବର ଜିଲ୍ଲା ସବ୍ରେଜିଷ୍ଟ୍ରାର, ଖୋର୍ଦ୍ଧା ସବ୍ରେଜିଷ୍ଟ୍ରାର, ଖଣ୍ଡଗିରି ସବ୍ରେଜିଷ୍ଟ୍ରାର, ବାରଙ୍ଗ ସବ୍ରେଜିଷ୍ଟ୍ରାର, ବାଲିଅନ୍ତା ସବ୍ରେଜିଷ୍ଟ୍ରାର ଓ ଜଟଣୀ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟମାନଙ୍କରେ ପ୍ରତିଦିନ ଶତାଧିକ ଜମିଜମା ରେଜିଷ୍ଟ୍ରେସନ୍ ହୁଏ। ଏଠାରେ ଗୋଟିଏ ଗୋଟିଏ କାର୍ଯ୍ୟାଳୟରେ ୨୦ରୁ ଅଧିକ ଜମି ରେଜିଷ୍ଟ୍ରେସନ୍ କରାଯାଇଥାଏ। ଫଳରେ ପ୍ରତିଦିନ ସରକାର ଏବାବଦରେ ୨୦ ଲକ୍ଷରୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ପାଇଥାନ୍ତି।
କିନ୍ତୁ ଏବେ ସବୁ ଠପ୍। ଜମି କିଣିବା ଲୋକ କମ ପ୍ରଭାବିତ ହେଉଥିବା ବେଳେ ବିକିବା ଲୋକ ଅଧିକ ସମସ୍ୟାରେ ପଡ଼ୁଛି। କାହାର ଝିଅ ବାହାଘର ତ କାହାର ମେଡିକାଲ ସମସ୍ୟା। ଜମି ବିକ୍ରି ନ ହେଲେ, କାମ ଅଟକି ଯାଉଛି। ବଡ଼ କଥା ହେଉଛି, ସ୍ଲଟ୍ ବୁକିଂ କରି ମଧ୍ୟ ଜମି ରେଜିଷ୍ଟ୍ରି ହୋଇପାରୁନାହିଁ। ପୁଣି ବଡ଼ ସମସ୍ୟା ହେଉଛି, କିଏ ମୁମ୍ବାଇରୁ ତ କିଏ ଦିଲ୍ଲୀରୁ ଆସି ଫସିଯାଉଛନ୍ତି। ଜମି କିଣିବାକୁ ଦିଲ୍ଲୀ, ମୁମ୍ବାଇରୁ ଆସିଥିବା ବ୍ୟକ୍ତି ଗଳାବାଟ ଖୋଜୁଛି। ଅଧିକ ପଇସା ଖର୍ଚ୍ଚ ହୋଇଯାଉ ପଛେ, କାମ ଗୋଟିଏ ଥରକେ ସରୁ ବୋଲି ସେମାନେ ରାଜି ହୋଇଯାଉଛନ୍ତି। କଟକରୁ ଏଭଳି ଏକ କାମରେ ଆସିଥିବା ଆଇନଜୀବୀ ପ୍ରୀୟତମ ଶତପଥୀ କୁହନ୍ତି ଯେ ଭୁବନେଶ୍ବର ଜିଲ୍ଲା ସବ୍ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଭିଜିଟ୍ ରେଜିଷ୍ଟ୍ରି କରାଯାଉଛି। ଏଥିପାଇଁ ଏହି କାର୍ଯ୍ୟାଳୟର କର୍ମଚାରୀମାନେ ଭିଜିଟ୍ ବାବଦରେ ଅଧିକ ୩୦ହଜାର ଟଙ୍କା ଦାବି କରୁଛନ୍ତି।
ଦିଲ୍ଲୀ, ମୁମ୍ବାଇରୁ ହଜାର ହଜାର ଟଙ୍କା ବିମାନ ଭଡ଼ା ଦେଇ ଭୁବନେଶ୍ବର ଆସିଥିବା ଲୋକଟି ଖାଲି ହାତରେ ଫେରିବା ଅପେକ୍ଷା ୩୦ ହଜାର ଗଣିଦେବାକୁ ପସନ୍ଦ କରୁଛି। କିନ୍ତୁ ସାଧାରଣ ଲୋକ ହଇରାଣ ହେଉଛି। ଅମଲା ସଂଘର ଆନ୍ଦୋଳନ ବଡ଼ବଡ଼ିଆଙ୍କୁ ସୁହାଉଛି।
ସେହହିପରି ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟରେ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ବିଭିନ୍ନ ସାର୍ଟିଫିକେଟ୍, ନକଲ, ଜାତିଗତ ସାର୍ଟିଫିକେଟ୍, ଜମି କିସମ ପରିବର୍ତ୍ତନ କାମ ହୋଇପାରୁନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ଶତାଧିକ ଲୋକ ଦାନାପାଣି ହରାଇଛନ୍ତି। ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ତାପସ କୁମାର ଦାସ କୁହନ୍ତି ଯେ ମିଳିତ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁ ଓକିଲ ଏବଂ ମହକିଲ ପ୍ରଭାବିତ ହେଉଛନ୍ତି। ବହୁ ଲୋକ ନିରାଶ ହୋଇ ଫେରୁଛନ୍ତି। ସରକାର ଯଦି କିଛି ପଦକ୍ଷେପ ନେବା କଥା, ଶୀଘ୍ର କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/60-3.jpg)