ଭୁବନେଶ୍ୱର: ଲେଭଲ୍‌କ୍ରସିଂ ଗେଟ୍‌ ଭାଙ୍ଗିବା ଘଟଣା ଏବେ ନିୟମିତ ହୋଇଯାଇଛି। ପ୍ରତି ମାସରେ ପୂର୍ବତଟ ରେଳପଥ ଅଧୀନ ଖୋ‌ର୍ଦ୍ଧାରୋଡ୍‌ ରେଳମଣ୍ଡଳରେ ହାରାହାରି ୧୦ଟି ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହାକି ‌ଉଭୟ ରେଳବାଇ ଓ ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସମସ୍ୟାର ସମାଧାନ ପାଇଁ ରେଳପଥ ପକ୍ଷରୁ ଚେତାବନୀ ସହ ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏହାକୁ ରୋକାଯାଇପାରି ନାହିଁ। ୨୦୨୪ ଜାନୁଆରିରୁ ୨୦୨୫ ମସିହା ଏପର୍ଯ୍ୟନ୍ତ ମୋଟ୍‌ ୨୦୧ଟି ଘଟଣା ଘଟିଛି। ଅର୍ଥାତ୍‌ ୨୨ ମାସ ମଧ୍ୟରେ ଏଭଳି ଘଟଣାରେ ୧୬୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗିରଫ ହୋଇଛନ୍ତି। ୨୦୨୪ରେ ୧୧୩ଟି ଘଟଣାରେ ୯୨ଜଣ ଓ ୨୦୨୫ରେ ଏବେ ସୁଦ୍ଧା‌ ୬୪ଟି ‌ଲେଭଲ୍‌କ୍ରସିଂ ଗେଟ୍‌ଭାଙ୍ଗିବା ଘଟଣାରେ ୪୭ଜଣଙ୍କୁ ଗିରଫ କରାଯାଇଛି। ୨୦୨୫ରେ କେବଳ ଭୁବନେଶ୍ବରରେ ସର୍ବାଧିକ ୧୧ଟି ଘଟଣା ସାମ୍ନାକୁ ଆସିଛି। ଏହାବ୍ୟତୀତ ବ୍ରହ୍ମପୁର ଅଞ୍ଚଳରେ ୮ଟି, ପୁରୀ, ଭଦ୍ରକଯାଜପୁରକେନ୍ଦୁଝର ରୋଡ୍‌ଅଞ୍ଚଳରେ ୭ଟି ଲେଖାଏଁ, କଟକ ଅଞ୍ଚଳରେ ୬ଟି, ପଲାସା ଓ ଖୋର୍ଦ୍ଧାରୋଡ୍ ଅଞ୍ଚଳରେ ୫ଟି ଲେଖାଏଁ ଘଟଣା ରିପୋର୍ଟ ହୋଇଛି। 

Advertisment

ଲେଭଲ୍ କ୍ରସିଂ ଗେଟ୍ ଉଲ୍ଲଂଘନ ଓ ସଡ଼କ ଯାନ ଦ୍ୱାରା ଗେଟ୍ ଭାଙ୍ଗିବା ଘଟଣା ବୃଦ୍ଧି ପାଇବାକୁ ନେଇ ଖୋର୍ଦ୍ଧାରୋଡ ରେଳମଣ୍ଡଳ ଚିନ୍ତା ପ୍ରକାଶ କରିଛି। ଏହାଦ୍ବାରା କେବଳ ଜୀବନକୁ ବିପଦରେ ପକାଏ ନାହିଁ, ବରଂ ରେଳମଣ୍ଡଳରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୁଏ। ଟ୍ରେନ୍‌ଚଳାଚଳ ପ୍ରଭାବିତ ହେବା ସହ ବିଳମ୍ବ ମଧ୍ୟ ହୋଇଥାଏ। ଅନେକ କ୍ଷେତ୍ରରେ ଫାଟକ ବନ୍ଦ ପରେ କିମ୍ବା ବନ୍ଦ ହେଉଥିବା ସମୟରେ ସଡ଼କ ବ୍ୟବହାରକାରୀମାନେ ଜୋରଜବରଦସ୍ତି ଏହି ଗେଟ୍ ପାର ହେବାକୁ ଚେଷ୍ଟା କରିଥାନ୍ତି। ଫଳରେ ବୁମ୍ ବାରିୟର ଓ ସିଗନାଲ୍‌ ବିଫଳ ହୁଏ। ଏହି ଦାୟିତ୍ୱହୀନ ଆଚରଣ ଟ୍ରେନ୍‌ ଚଳାଚଳର ସମୟାନୁବର୍ତ୍ତିତାକୁ କ୍ଷତି ପହଞ୍ଚାଉଥିବା ବେଳେ ଟ୍ରେନ୍‌ ପରିଚାଳନାରେ ବାଧା ଓ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ନିରାପତ୍ତା ବିଭାଗ ଓ ରେଳବାଇ ସୁରକ୍ଷା ବଳ(ଆର୍‌ପିଏଫ) କର୍ମଚାରୀଙ୍କ ଦ୍ୱାରା କ୍ରମାଗତ ସଚେତନତା ଅଭିଯାନ ଓ ଲେଭଲ୍ କ୍ରସିଂରେ ସଡ଼କ ବ୍ୟବହାରକାରୀଙ୍କ ନିରନ୍ତର ପରାମର୍ଶ ପରେ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କ ଦ୍ୱାରା ଏପରି ଘଟଣା ଜାରି ରହିଛି।
ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାରୁ ଏଣିକି କାର୍ଯ୍ୟାନୁଷ୍ଠାନକୁ ଆହୁରି କଠୋର କରିବାକୁ ରେଳମଣ୍ଡଳ ଚେତାବନୀ ଦେଇଛି। କୁହାଯାଇଛି ଯେ ଗତିଶୀଳ ଟ୍ରେନ୍‌ ବ୍ରେକ୍ ଲଗାଇବା ପରେ ମଧ୍ୟ ତୁରନ୍ତ ଅଟକି ରହେ ନାହିଁ। କାରଣ ଏହାର ଗତି ଓ ଲୋଡ୍‌ ଉପରେ ନିର୍ଭର କରି ଅଟକିବା ପାଇଁ ଏକ ନିର୍ଦ୍ଦିଷ୍ଟ ଦୂରତା ଆବଶ୍ୟକ ହୋଇଥାଏ। ତେଣୁ ବନ୍ଦ ଥିବା କିମ୍ବା ବନ୍ଦ କରାଯାଉଥିବା ଲେଭଲ୍ କ୍ରସିଂ ଫାଟକ ଅତିକ୍ରମ କରିବାର ଯେକୌଣସି ପ୍ରୟାସ, ବିପର୍ଯ୍ୟୟକୁ ନିମନ୍ତ୍ରଣ କରିଥାଏ। ତେଣୁ ଜନସାଧାରଣ ରେଳ ସୁରକ୍ଷା ନିୟମ ପାଳନ କରିବା ସହ ଲେଭଲ୍ କ୍ରସିଂରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଏବଂ ନିରାପଦ, ସମୟାନୁବର୍ତ୍ତୀ ଓ ଦକ୍ଷ ଟ୍ରେନ ସେବା ବଜାୟ ରଖିବାରେ ସାହାଯ୍ୟ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି।