ବହୁଚର୍ଚ୍ଚିତ ଅମରେଶ ହତ୍ୟା ମାମଲା : ଶୁଣାଣି ଘୁଞ୍ଚିଲା, ଏବେ ବି ୩ ଫେରାର୍‌

ଭୁବନେଶ୍ବର : ବହୁଚର୍ଚ୍ଚିତ ଏୟାର୍‌ଫିଲ୍‌ଡ ଥାନା ଅମରେଶ ନାୟକ ହତ୍ୟା ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। କୋର୍ଟରେ ଓକିଲମାନଙ୍କ ଆକୋମୋଡେସନ୍‌ ଚାଲିଥିବାରୁ ସାକ୍ଷ୍ୟ ଗ୍ରହଣ ସମ୍ଭବ ହୋଇପାରିଲା ନାହିଁ। ଆଜି ଶୁଣାଣିରେ ଦୁଇ ଜଣ ମୁଖ୍ୟ ସାକ୍ଷୀଙ୍କର ସାକ୍ଷ୍ୟ ଗ୍ରହ‌ଣ ହେବାର ଥିଲା। ମାତ୍ର ଶୁଣାଣି ଘୁଞ୍ଚିବାରୁ ସାକ୍ଷ୍ୟ ଗ୍ରହଣ ବି ଘୁଞ୍ଚିଛି। ମାର୍ଚ୍ଚ ୧୮ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ସେହିଦିନ ସାକ୍ଷୀମାନେ ଅତିରିକ୍ତ ଦୌରାଜଜ୍‌(୨)ଙ୍କ କୋର୍ଟରେ ସାକ୍ଷ୍ୟ ଦେବେ। ତେବେ କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ବି ପୁଲିସ୍ ଏହି ମାମଲାରେ ଫେରାର୍ ଥିବା ୩ଜଣଙ୍କୁ ଗିରଫ କରିପାରିନାହିଁ। ତେଣୁ ଏହି ମାମଲାର ଫାଇନାଲ୍‌ ଚାର୍ଜସିଟ୍‌ କୋର୍ଟରେ ଦାଖଲ ହୋଇପାରିନାହିଁ। ସୂଚନାଯୋଗ୍ୟ, ଏହି ମାମଲାରେ ପୁଲିସ ମୋଟ୍‌ ୧୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି। ପୂର୍ବରୁ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ଓ ୩ଜଣ ଫେରାର୍ ହୋଇଯାଇଥିଲେ। ଏବେ ଗିରଫ ସମସ୍ତ ୧୦ଅଭିଯୁକ୍ତ ଜାମିନ୍‌ରେ ଆସିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହା ଦୀପାବଳି ରାତିରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିଲା। ଅମରେଶ ନାୟକଙ୍କୁ ୧୫/୧୬ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଓ ରାସ୍ତାରେ ବହୁ ‌ଲୋକ ପୂରା ଫିଲ୍ମ୍‌ ଢାଞ୍ଚାର ଏହି ଭୟଙ୍କର ଦୃଶ୍ୟ ଦେଖୁଥିଲେ ବି କେହି ଅମରେଶଙ୍କୁ ବଞ୍ଚାଇବାକୁ ଆଗେଇ ଆସି ନଥିଲେ। ସ୍ଥାନୀୟ ଯୁବକମାନେ ହାତରେ ଖଣ୍ଡା ଭୁଜାଲି ଭଳି ମାରଣାସ୍ତ୍ର ଧରିଥିବାରୁ କେହି ଭୟରେ ସେମାନଙ୍କୁ ଅଟକାଇ ପାରିନଥିଲେ। ଏମିତିକି ଅମରେଶ ସହ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ମଧ୍ୟ ଅତର୍କିତ ଆକ୍ରମଣର ମୁକାବିଲା କରି ନପାରି ସେଠାରୁ ପଛଘୁଞ୍ଚା ଦେଇଥିଲେ। ତେଣୁ ଏକୁଟିଆ ହୋଇଯାଇଥିବା ଅମରେଶଙ୍କୁ ଦୁର୍ବୃତ୍ତମାନେ ସହଜରେ ରାସ୍ତା ଉପରେ ହିଁ ହାଣି ପକାଇଥିଲେ। ଏୟାର୍‌ଫିଲ୍‌ଡ ଥାନାଠାରୁ ମାତ୍ର କିଛି ଦୂରରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲେ ବି କେହି ପୁଲିସକୁ ବି ଠିକଣା ସମୟରେ ଜଣାଇନଥିଲେ କି ପୁଲିସ ଜାଣି ପାରିନଥିଲା।

ସୂଚନାନୁସାରେ, ଏକଦା ବନ୍ଧୁ ଥିବା ଅମରେଶ ଓ ପୁରୁଣା ଭୁବନେଶ୍ବର ହରଚଣ୍ଡୀସାହିର ଶଙ୍କର ବସ୍ତିଆ ପରେ ଭିନ୍ନ ଗୋଷ୍ଠୀ କରିଥିଲେ। ବିଭିନ୍ନ କାରଣକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଅମରେଶଙ୍କ ଦବ୍‌ଦବା ବଢ଼ୁଥିବା ଦେଖି ଶଙ୍କର ଗୋଷ୍ଠୀ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ସେହି ଯୋଜନା ଦୀପାବଳି ରାତିରେ କାର୍ଯ୍ୟକାରୀ ହୋଇଥିଲା। ଅମରେଶ ଓ ତାଙ୍କ ବନ୍ଧୁମାନେ ଏକାମ୍ର କଲେଜ ନିକଟରେ ଭୋଜି କରୁଥିବା ବେଳେ ବାଣ ଫୁଟାଉଥିଲେ। ବାଣରୁ ନିଆଁ ଛିଟିକି ଶଙ୍କର ଗୋଷ୍ଠୀର ଚିଣ୍ଟୁ ଦେହରେ ପଡ଼ିଥିଲା। କିନ୍ତୁ ବାଣ ନିଆଁରେ ଚିଣ୍ଟୁର କ୍ଷତି ହୋଇନଥିଲା। ତେବେ ଗଣ୍ଡଗୋଳ ପାଇଁ ରାସ୍ତା ଖୋଜୁଥିବା ଶଙ୍କର ଗୋଷ୍ଠୀ ପାଇଁ ଏହା ହିଁ ଯଥେଷ୍ଟ ଥିଲା। ଚିଣ୍ଟୁଠାରୁ ଖବର ପାଇ ଶଙ୍କର ତା’ର ୧୫/୧୭ ସାଥୀଙ୍କୁ ଧରି ଅମରେଶ ଉପରେ ଆକ୍ରମଣ କରିଥିଲେ। ପରେ ପୁଲିସ ଶଙ୍କର ବସ୍ତିଆ, କପିଳପ୍ରସାଦର ଜଗଦୀଶ ଗଜେନ୍ଦ୍ର ଓ ସୁନ୍ଦରପଦାର ଜିତେନ୍ଦ୍ର ମଲ୍ଲିକ ସମେତ ମୋଟ ୧୦ଜଣଙ୍କୁ ଗିରଫ କରିଥିଲା। ତେବେ ଉଲ୍ଲେଖନୀୟ ଘଟଣା ହେଲା ଏହି ମାମଲାରେ ଗିରଫ ହୋଇଥିବା ସୁନ୍ଦରପଦା ତଳସାହିର ରୋଶନ ଜେନା ସମେତ ୪ଜଣଙ୍କୁ ଗତ ସେପ୍ଟେମ୍ବର ୯ରେ ଜାମିନ ମିଳିଥିଲା। ଜାମିନ୍‌ ମିଳିବା ପରେ ସେମାନଙ୍କୁ ଝାରପଡ଼ା ଜେଲ୍‌ରୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା। କରୋନା କଟକଣା ସତ୍ତ୍ବେ ଅଭିଯୁକ୍ତମାନଙ୍କୁ ଖୋଲା ଜିପ୍‌ରେ ବସାଇ ରାଜଧାନୀରେ ଶୋଭାଯାତ୍ରା କରାଯାଇଥିଲା। ଅବଶ୍ୟ ପରେ ପୁଣି ଏମାନଙ୍କୁ ଗିରଫ କରାଯାଇଥିଲା ଓ ରୋଶନ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର