ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ଜଣଙ୍କୁ ଜାମିନ : ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ
କୋଭିଡ୍ କଟକଣାକୁ ଫୁ’
ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ଡିସିପି
ଅମରେଶଙ୍କ ପରିବାରକୁ ଧମକ
ଗାଁ ଛାଡ଼ି ଅନ୍ୟତ୍ର ଚାଲିଗଲେ
ଆଉ ଏକ ଗୋଷ୍ଠୀ ସଂଘର୍ଷ ଆଶଙ୍କା
ଭୁବନେଶ୍ୱର : ବହୁଚର୍ଚ୍ଚିତ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍ ମିଳିଛି। ଜାମିନ୍ ଆବେଦନ ମଂଜୁର ହେବା ପରେ ଗତ ଗୁରୁବାର ସେମାନେ ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନେ ଜେଲ୍ରୁ ମୁକୁଳିବା ପରେ ଶହଶହ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଘରକୁ ଫେରିଥିଲେ। ଏୟାରଫିଲ୍ଡ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା। ୪ ଅଭିଯୁକ୍ତ ଖୋଲା ଜିପ୍ରେ ବସି ନେତାଙ୍କ ଭଳି ହାତ ହଲାଇବା ସହ ସେମାନଙ୍କ ସମର୍ଥକଙ୍କୁ କୁଣ୍ଢାଇଥିଲେ। ‘ସ୍ବାଗତ ଭାଇ ସ୍ବାଗତ’ରେ ପୂରା ଅଞ୍ଚଳ କମ୍ପି ଉଠିଥିଲା। କାଁ ଭାଁ କେହି ମାସ୍କ ପିନ୍ଧିଥିବା ବେଳେ ଅନ୍ୟମାନଙ୍କ ମୁହଁରେ ନଥିଲା। ଖାଲି ସେତିକି ନୁହେଁ, ଶୋଭାଯାତ୍ରା ପରେ ବିଳମ୍ବିତ ରାତି ଯାଏ ଭୋଜିଭାତର ଆସର ମଧ୍ୟ ଜମିଥିଲା। ଗୋଟିଏ ପଟେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ୁଥିବା ବେଳେ ଏତେ ବଡ଼ ଶୋଭାଯାତ୍ରାର ଆୟୋଜନ କିପରି ହେଲା, ପୁଲିସ୍ କିପରି ଏ ସଂପର୍କରେ ଜାଣିପାରିଲା ନାହିଁ; ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଏଭଳି ହୋଇଥିବା ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅପରପକ୍ଷେ ପୁଲିସ୍ର କୋହଳ ଚାର୍ଜସିଟ୍ ଯୋଗୁଁ ଅଭିଯୁକ୍ତମାନଙ୍କୁ ଜାମିନ୍ ମିଳିଗଲା ବୋଲି ଅମରେଶଙ୍କ ପରିବାର ଓ ବନ୍ଧୁମାନେ ଅଭିଯୋଗ କରିଛନ୍ତି। ସେହିପରି ଅଭିଯୁକ୍ତମାନେ ଜେଲ୍ରୁ ମୁକୁଳିବା ପରେ ପରେ ଅମରେଶଙ୍କ ପରିବାର ଲୋକଙ୍କୁ ଏକ ଅଜଣା ନମ୍ବରରୁ ବାରମ୍ବାର ଧମକ ମିଳୁଥିବାରୁ ସେମାନେ ଭୟରେ ଗାଁ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। କିନ୍ତୁ ଅମରେଶଙ୍କ ଘନିଷ୍ଠ ବନ୍ଧୁମାନେ ପ୍ରତିଶୋଧ ନେବା ପାଇଁ ଚେତାବନୀ ଦେଇଥିବାରୁ ଏକ ବଡ଼ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହେବା ନେଇ ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ପୁଲିସର ଚାର୍ଜସିଟ୍ରେ ଥିବା ଅନୁକମ୍ପା ଯୋଗୁଁ ଏମାନଙ୍କୁ ଜାମିନ୍ ମିଳିଥିବା ନେଇ ଅମରେଶଙ୍କ କିଛି ବନ୍ଧୁ ଓ ପରିବାର ଲୋକ ଅଭିଯୋଗ କରିଛନ୍ତି। ଚାର୍ଜସିଟ୍ରେ ଦର୍ଶାଯାଇଛି ଯେ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଅମରେଶଙ୍କ ମୁଣ୍ଡକୁ ପିଟି ହତ୍ୟା କରାଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ମୁତାବକ, ଜିତେନ୍ଦ୍ର ତାଙ୍କ ମୁଣ୍ଡକୁ ମାରିଥିଲା। କିନ୍ତୁ ଏମାନେ (ଜାମିନ ପାଇଥିବା ୪ ଅଭିଯୁକ୍ତ) ଶରୀରର ଅନ୍ୟାନ୍ୟ ସ୍ଥାନକୁ ଆକ୍ରମଣ କରିଥିଲେ। ପୁଲିସର ଏହି କୋହଳ ଚାର୍ଜସିଟ୍ ସେମାନଙ୍କୁ ଜାମିନ୍ ଦେବାରେ ସହାୟକ ହୋଇଛି ବୋଲି ସେମାନେ କହିଛନ୍ତି। ତେବେ କେବଳ ଚାର୍ଜସିଟ୍ରେ ଅନୁକମ୍ପା ନୁହେଁ ବରଂ ପୁଲିସ ମୁତାବକ ବୟାନ ଦେବା ପାଇଁ କେତେକ ସାକ୍ଷୀଙ୍କୁ ପୁଲିସ୍ ବାଧ୍ୟ କରିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ପୁଲିସ କଥାରେ ଦୁଇଜଣଙ୍କୁ ପୁଲିସ ଅନ୍ୟ ଏକ ମିଛ ମାମଲାରେ ଜେଲ୍ ପଠାଇ ଦେଇଥିବା ମଧ୍ୟ ଅଭିଯୋଗ ରହିଛି।
ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ଏୟାରଫିଲଡ୍ ଥାନା ଅଧୀନ ଏକାମ୍ର କଲେଜ ନିକଟରେ ବିଡିଏ କଲୋନିର ଅମରେଶ ନାୟକଙ୍କୁ ହତ୍ୟା କରାଯାଇଥିଲା। ବୋମା ମାଡ଼ ସହ କାଠ ଫାଳିଆରରେ ପିଟି ତାଙ୍କୁ ମାରି ଦିଆଯାଇଥିଲା। ପୁଲିସ ଏହି ଘଟଣାରେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ଓରଫ ମଣ୍ଟୁଙ୍କୁ ଅଟକ ରଖିଥିଲା। ତେବେ ପ୍ରବଳ ବିରୋଧ ହେବାରୁ ପୁଲିସ ଛାଡ଼ି ଦେଇଥିଲା। ପରେ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା। ଗତ ଗୁରୁବାର ହାଇକୋର୍ଟରୁ ୪ ଜଣ ଜାମିନ ପାଇଥିବା ବେଳେ ଆଉ ୫ ଜଣ ଝାରପଡ଼ା ଜେଲ୍ରେ ରହିଛନ୍ତି।