ରାଜଧାନୀରେ ଅମରନାଥ ଯାତ୍ରା: ପ୍ରଦର୍ଶନୀ ପଡ଼ିଆରେ ‘ଦିବ୍ୟ ମହାକୁମ୍ଭ ମେଳା’

ଦୁର୍ଗା-ମହିଷାସୁର କାହାଣୀ କହୁଛି ମଞ୍ଚ, ନିଜର ଅବଗୁଣ ଦାନବକୁ ଦିଅ, ଦୈବୀଗୁଣ ଧାରଣ କର

ଭୁବନେଶ୍ବର: ଅମରନାଥ ଯାତ୍ରା କରିବାକୁ ଚାହୁଛନ୍ତି କି? ହାତରେ ସମୟ ନାହିଁ କି ପକେଟରେ ଟଙ୍କା ନାହିଁ? ଚିନ୍ତା କରନ୍ତୁନି, ରାଜଧାନୀରେ ବି ଏବେ ବାବା ଅମରନାଥଙ୍କ ଦର୍ଶନ କରି ହେବ। ପୁଣି ମାଗଣାରେ ସମ୍ପୂର୍ଣ୍ଣ ଯାତ୍ରାର ବି ମଜା ନେଇ ହେବ। କାଠ ପୋଲରେ ଚାଲିବା ମଜା, ବରଫରେ ଆଚ୍ଛାଦିତ ଗୁମ୍ଫା ଓ ସାଧୁ ବାବାଙ୍କ ଦର୍ଶନ। ସବୁ ଏବେ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଆପଣଙ୍କୁ ମିଳିଯିବ। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ୨୭ ତାରିଖଠାରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ଦିବ୍ୟ ମହାକୁମ୍ଭ ମେଳା’ରେ ଦେଖିବାକୁ ମିଳୁଛି ବରଫ ଆଚ୍ଛାଦିତ ଅମରନାଥ ମନ୍ଦିର। ଥର୍ମୋକୁଲରେ ତିଆରି ବରଫ ଆଚ୍ଛାଦିତ ପାହାଡ଼, ଅସ୍ଥାୟୀ ନଦୀ ଓ କାଠ, ବାଉଁଶ ତିଆରି ପୋଲ। ଯାହାକି ରାଜଧାନୀବାସୀଙ୍କୁ ବେଶ ଆକର୍ଷିତ କରୁଛି।

ଖାଲି ସେତିକି ନୁହେଁ, ମେଳା ପରିସର ଦିବ୍ୟ ଓ ଆଧ୍ୟାତ୍ମିକତାର ପବିତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି। ସେଠାରେ ପ୍ରଦର୍ଶିତ ହେଉଛି ନବଦେବୀଙ୍କ ଚୈତନ୍ୟ ଝାଙ୍କି, ୪-ଡି ସାଗର ମନ୍ଥନ ସୋ’, ପରମାତ୍ମାଙ୍କ ଅସ୍ତିତ୍ବକୁ ନେଇ ୩-ଡି ଚଳଚ୍ଚିତ୍ର, ଭବିଷ୍ୟତର ସ୍ବର୍ଣ୍ଣିମ ଯୁଗ, ଶ୍ରୀକୃଷ୍ଣଙ୍କ ବିଶାଳ ପ୍ରତିକୃତି ସହ କୃଷ୍ଣ ଭଜନର ଧୁନ୍‌, ଗାଁର ଉତ୍‌ଥାନରେ ରାଷ୍ଟ୍ର ଉତ୍‌ଥାନ୍‌ର ବାର୍ତା, ବିଜ୍ଞାନ ଓ ଆଧ୍ୟାତ୍ମିକ କର୍ଣ୍ଣର ଓ ପିଲାମାନଙ୍କ ପାଇଁ ରହିଛି ରୋବର୍ଟ, କଙ୍କାଳ ସାଇକେଲ, ଘୋଡ଼ା, ହରିଣ ସହ ନିଜ ରାଜପ୍ରସାଦରେ ଘୁଙ୍ଗୁଡ଼ି ମରୁଥିବା କୁମ୍ଭକର୍ଣ୍ଣର କୌତୁକିଆ ପେଟ ଓ ବିଶାଳ ଶରୀରର ପ୍ରତିକୃତି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

ନିଜର ଅବଗୁଣ ଦାନବକୁ ଦିଅ, ଦୈବୀଗୁଣ ଧାରଣ କର
ମେଳାର ଗୋଟିଏ କୋଣରେ ରହିଛି ‘ଭବିଷ୍ୟତର ସ୍ବର୍ଣ୍ଣିମ ଯୁଗ’। ଏଥିରେ ପରମାତ୍ମା ଚାହୁଥିବା ଏବେ ସୁନ୍ଦର ସୁଗର ପରିକଳ୍ପନା କରାଯାଇଛି। ମା’ର ବାତ୍ସଲ୍ୟ ମମତା, ନୃତ୍ୟ ସଙ୍ଗୀତ ଆସର ରାଜାରାଣୀଙ୍କ ନୀତିପୂର୍ଣ୍ଣ, ନ୍ୟାୟସଙ୍ଗତ ଶାସନ, ସୁନ୍ଦର ଶିକ୍ଷାବ୍ୟବସ୍ଥା, ପ୍ରେମରସ ଆଦିକୁ ନେଇ ଭିନ୍ନ ଭିନ୍ନ ମଞ୍ଚ କରାଯାଇଛି। ଏଠାରେ ଶିଶୁ କଳାକାରମାନେ ରହି ନିଜ ନୃତ୍ୟ ମାଧ୍ୟମରେ ଉକ୍ତ ମଞ୍ଚର ପ୍ରାସଙ୍ଗିକତା ବୁଝାଉଛନ୍ତି। ଶେଷରେ ରହିଛନ୍ତି, ଜଣେ ଦାନବ ଓ ‌ଆଉ ଜଣେ ଦେବତା। ପାଖରେ ପଡ଼ିଥିବା ଚିଟ୍‌ରୁ ନିଜର ଏକ ଖରାପ ଗୁଣ ଦାନବକୁ ଦାନ କରି ଦେବତାଙ୍କ ପାଖରେ ଥିବା ଚିଟ୍‌ରୁ ଏକ ଚିଟ୍‌ ଉଠାଇ ସେହି ଦୈବୀଗୁଣକୁ ଧାରଣ କରିବାକୁ ଏଠାରେ ବାର୍ତ୍ତା ଦିଆଯାଇଛି। ପର୍ଯ୍ୟଟକମାନେ ଏହାକୁ ବେଶ୍‌ ଆଗ୍ରହର ସହ ଖେଳୁଥିବା ଆଜି ଦେଖିବାକୁ ମିଳିଛି।

ଦୁର୍ଗା-ମହିଷାସୁର କାହାଣୀ କହୁଛି ମଞ୍ଚ

ଚମତ୍କାର ଆଲୋକ ଓ ଧ୍ବନି ପ୍ରଦର୍ଶନରେ ଚିତ୍ତାକର୍ଷକ ସୃଜନଶୀଳତା ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବ୍ରହ୍ମାକୁମାରୀଙ୍କ ନବଦେବୀଙ୍କର ଚୈତନ୍ୟ ଝାଙ୍କିରେ ଦେଖିବାକୁ ମିଳୁଛି। କଳାକାରମାନେ ଅତି ଆକର୍ଷଣୀୟ ଓ ସୁନ୍ଦରଶୈଳୀରେ ମା’ ଦୁର୍ଗା ଓ ମହିଷାସୁର କାହାଣୀ ବୟାନ କରୁଛନ୍ତି। ପରମାତ୍ମା କେବେ ବି ହିଂସା ଆଚରଣ କରନ୍ତି ନାହିଁ କିମ୍ବା ଏହାର ପକ୍ଷ ନିଅନ୍ତି ବି ନାହିଁ। ମା’ ଦୁର୍ଗା ଓ ମହିଷାସୁର କାହାଣୀ ଯେ ଶକ୍ତି ଓ ସତ୍ୟର ପ୍ରଦର୍ଶନ ଥିଲା, ତାହା କଳାକାରମାନେ ନିଜ ଅଭିନୟ ମାଧ୍ୟମରେ ବୁଝାଉଛନ୍ତି। ଏହି ସୋ’ ପ୍ରତିଦିନ ସଂଧ୍ୟା ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ୨୦ ମିନିଟ୍‌ ଲେଖାଏ ପ୍ରଦର୍ଶିତ ହେଉଛି। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼େ ନାହିଁ। ମେଳା ବୁଲୁଥିବା ପ୍ରତିଟି ପର୍ଯ୍ୟଟକ ଏହି ସୋ’ ସାମ୍‌ନାରେ ପଡ଼ିଥିବା ଚେୟାରରେ ବସି ଦେଖିପାରିବେ।

ସାଗର ମନ୍ଥନର ୪-ଡି ସୋ’
ଦେବତା ଓ ଅସୁରଙ୍କ ମଧ୍ୟରେ ଚାଲିଥିବା ସାଗର ମନ୍ଥନର ପୂରା କାହାଣୀ ଏହି ମେଳାରେ ଦେଖିବାକୁ ମିଳୁଛି। ମନ୍ଦର ପର୍ବତ ଓ ବାସୁକି ନାଗ ସାହାଯ୍ୟରେ ଦେବତା ଓ ଦାନବ ସମୁଦ୍ର ମନ୍ଥନ କରିବା, ଏଥିରୁ ବାହାରିଥିବା ହଳାହଳ ବିଷକୁ ମହାଦେବ ପାନ କରିବା ଓ ସେଥିରୁ ଅମୃତ ଓ ମା’ ଲକ୍ଷ୍ମୀଙ୍କ ଆବିର୍ଭାବ ଆଦି କାହାଣୀ ଏଥିରେ କୁହାଯାଉଛି। ଆମ ସମାଜ ତଥା ଛୁଆମାନଙ୍କୁ ଆମ ପ୍ରାଚୁର୍ଯ୍ୟପୂର୍ଣ୍ଣ ପୁରାଣ, ଗ୍ରନ୍ଥ ସମ୍ପର୍କରେ ଅବଗତ କରାଇବାର ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ।

ସମ୍ବନ୍ଧିତ ଖବର